ଭୁବନେଶ୍ୱର: ରାଜ୍ୟର ସମୃଦ୍ଧ ଜଗନ୍ନାଥ ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପ୍ରଚାର ପ୍ରସାର ସହ ଗ୍ରାମାଞ୍ଚଳରେ ସର୍ବୋତ୍କୃଷ୍ଟ ବିକଶିତ ଭିତ୍ତିଭୂମି ଯୋଗାଇଦେବା ପାଇଁ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ଅୟମାରମ୍ଭ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ପ୍ରୟାସ ମାଧ୍ୟମରେ ଓଡ଼ିଶାର ଐତିହ୍ୟ ଓ ସାଂସ୍କୃତିକ ଭିତ୍ତିଭୂମି ବିକାଶ, ପ୍ରାଥମିକ ଶିକ୍ଷା ଉନ୍ନତିକରଣ, ମହିଳା, ଯୁବକ ସଶକ୍ତିକରଣ ପାଇଁ ଭିତ୍ତିଭୂମି ବିକାଶ, ଯୁବପିଢ଼ୀଙ୍କ ପାଇଁ କ୍ରୀଡ଼ା ସୁବିଧା ସହ ଉନ୍ନତ ବ୍ୟାଙ୍କିଙ୍ଗ ଏବଂ ଡିଜିଟାଲ ସେବା ଗ୍ରାମାଞ୍ଚଳରେ ଯୋଗାଇ ଦିଆଯିବ।
ନିଷ୍ପତ୍ତି ଅନୁଯାୟୀ, ପୂର୍ବ ପ୍ରଚଳିତ ‘ଆମ ଗାଁ ଆମ ବିକାଶ’ର ନିର୍ଦ୍ଦେଶନାମାକୁ ସଂଶୋଧନ କରି ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ଅଭିନବ ପ୍ରୟାସର ଆରମ୍ଭ କରିଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ଏହି ପ୍ରୟାସ ଅଧିନରେ ମୋଟ ୪୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ଯୋଜନାର ଅଂଶ ସ୍ୱରୂପ ପୂଜା ଓ ଐତିହାସିକ ସ୍ଥାନର ବିକାଶ ତଥା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧାର ବିକାଶ ପାଇଁ ପ୍ରତ୍ୟେକ ଗାଁରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରାଯାଇପାରିବ। ପଞ୍ଚାୟତ ଗୁଡ଼ିକରେ ଆଧୁନିକ ଭିତ୍ତିଭୂମିର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରିବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୬ଟି ବିଭାଗର ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକ ପରେ ରାଜ୍ୟ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଏବଂ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏନେଇ ଗଣମାଧ୍ୟମକୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି।
ଓଡ଼ିଶା ସର୍ବଧର୍ମ ସମନ୍ୱୟର ପ୍ରତୀକ ଶ୍ରୀଜଜଗନ୍ନାଥ ସଂସ୍କୃତିର ଆଦିଭୂମି ଅଟେ। ବିଶ୍ୱମୈତ୍ରୀ, ଶାନ୍ତି, ସେବା ଓ ସମାନତାର ଅଦ୍ଭୁତ ସମନ୍ୱୟ ଉତ୍କଳୀୟ ପରମ୍ପରା ଓ ଜଗନ୍ନାଥ ସଂସ୍କୃତିର ବୈଶିଷ୍ଟ ଅଟେ। ଓଡ଼ିଶାର ଏହି ମହାନ ଐତିହ୍ୟ ଓ ସଂସ୍କୃତିକୁ ବଜାୟ ରଖି ଏହାକୁ ବିଶ୍ୱସ୍ତରରେ ପ୍ରଚାର କରି ଏକ ଆଧୁନିକ ତଥା ଆକାଂକ୍ଷୀ ଓଡ଼ିଶା ଗଠନ ଏହି ପ୍ରୟାସର ମୂଳ ଉଦ୍ଦେଶ୍ୟ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି ପ୍ରୟାସ ମାଧ୍ୟମରେ ପ୍ରତ୍ୟେକ ଗ୍ରାମପଞ୍ଚାୟତ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଉକ୍ତ ଅର୍ଥରୁ ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାର ପ୍ରୋତ୍ସାହନ, ସଂରକ୍ଷଣ, ସୁରକ୍ଷା କରାଯିବ। ସେହିପରି ଅଧିକ ସଂଖ୍ୟାରେ ତୀର୍ଥଯାତ୍ରୀଙ୍କ ସମାଗମ ହେଉଥିବା ଉପାସନାସ୍ଥଳୀଗୁଡ଼ିକରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ପଞ୍ଚାୟତୱାରୀ ପ୍ରକଳ୍ପ ତାଲିକା ବ୍ଲକସ୍ତରରୁ ପ୍ରସ୍ତାବିତ ହୋଇ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦ ସଭାପତିଙ୍କର ଦସ୍ତଖତ ସହିତ ସରକାରଙ୍କ ଅନୁମୋଦନ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ପ୍ରେରଣ କରାଯିବ। ଉକ୍ତ ପ୍ରୟାସରେ କାର୍ଯ୍ୟକାରୀ ହେବାକୁଥିବା ପ୍ରକଳ୍ପଗୁଡ଼ିକର ମୂଲ୍ୟ ୨.୫୦ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ରହିବ। ଆବଶ୍ୟକସ୍ଥଳେ ସରକାର ଏହି ସୀମାକୁ ପରିବର୍ତ୍ତନ କରିପାରିବେ। ସେହିପରି ପ୍ରକଳ୍ପଗୁଡ଼ିକ ଉପଯୁକ୍ତ ପ୍ର୍କ୍ରିୟା ଅନୁଯାୟୀ ପଞ୍ଚାୟତ ସମିତି ଦ୍ୱାରା ବିଭାଗୀୟ ଭାବେ କାର୍ଯ୍ୟକାରୀ ହେବ। ଏହି ପ୍ରୟାସ ଅନ୍ତର୍ଗତ ପ୍ରକଳ୍ପ ଗୁଡ଼ିକର ସ୍ୱଚ୍ଛତା ବଜାୟ ରଖିବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଏକ ୱେବ୍ ଆଧାରିତ ଏମଆଇଏସ ଏବଂ ଉତ୍ସର୍ଗୀକୃତ ମୋବାଇଲ ଆପ୍ ବିକଶିତ ହେବ। ପ୍ରତ୍ୟେକ ପ୍ରକଳ୍ପଗୁଡ଼ିକର ଜିଆଇଏସ ଟ୍ୟାଗିଂ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।