ଆଜିଠୁ ବିଧାନସଭା ବଜେଟ ଅଧିବେଶନ: ୩୦ରେ କାମଚଳା ବଜେଟ, ୩୧ରେ ବ୍ୟୟମଞ୍ଜୁରୀ ବିଧେୟକ

ଭୁବନେଶ୍ୱର: କୋଭିଡ କଟକଣା ମଧ୍ୟରେ ଶୁକ୍ରବାର ଷୋଡ଼ଶ ବିଧାନସଭାର ନବମ ଅଧିବେଶନ ଅର୍ଥାତ ବଜେଟ ଅଧିବେଶନ ଆରମ୍ଭ ହେବ। ଏନେଇ ସମସ୍ତ ପୂର୍ବପ୍ରସ୍ତୁତି ଶେଷ ହୋଇଛି। ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ୭ ଦିନ ମଧ୍ୟରେ ୨୭ ତାରିଖ ରବିବାର ପଡ଼ୁଥିବାର ସେହିଦିନ ଛୁଟି ରହିବ। ଅନ୍ୟ ୬ ଦିନ ଗୃହକାର୍ଯ୍ୟ ଚାଲିବ। ଏହି ଅଧିବେଶନରେ ୪ଟି ଅଧ୍ୟାଦେଶକୁ ବିଲ୍‌ ଆକାରରେ ଉପସ୍ଥାପନ କରାଯିବା ନେଇ […]

ଭୁବନେଶ୍ୱର: କୋଭିଡ କଟକଣା ମଧ୍ୟରେ ଶୁକ୍ରବାର ଷୋଡ଼ଶ ବିଧାନସଭାର ନବମ ଅଧିବେଶନ ଅର୍ଥାତ ବଜେଟ ଅଧିବେଶନ ଆରମ୍ଭ ହେବ। ଏନେଇ ସମସ୍ତ ପୂର୍ବପ୍ରସ୍ତୁତି ଶେଷ ହୋଇଛି। ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ୭ ଦିନ ମଧ୍ୟରେ ୨୭ ତାରିଖ ରବିବାର ପଡ଼ୁଥିବାର ସେହିଦିନ ଛୁଟି ରହିବ। ଅନ୍ୟ ୬ ଦିନ ଗୃହକାର୍ଯ୍ୟ ଚାଲିବ। ଏହି ଅଧିବେଶନରେ ୪ଟି ଅଧ୍ୟାଦେଶକୁ ବିଲ୍‌ ଆକାରରେ ଉପସ୍ଥାପନ କରାଯିବା ନେଇ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ମାର୍ଚ୍ଚ ୨୫ ତାରିଖ ଦିନ ୧୧ ଘଟିକା ସମୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ଅଭିଭାଷଣ ରଖିବେ। ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳ ଏବଂ ପୂର୍ବତନ ବାଚସ୍ପତି ସ୍ୱର୍ଗତ କିଶୋର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହେବ। ଏହାପରେ ଗୃହକୁ ୪ ଟା ପର୍ଯ୍ୟନ୍ତ ମୁଲତବୀ କରାଯିବା ପରେ ପରେ ପୁନର୍ବାର ଗୃହ କାର୍ଯ୍ୟ ଆରମ୍ଭ ହେବ। ୨୬ ଓ ୨୮ ତାରିଖ ଦୁଇଦିନ ଧରି ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ। ୨୯କୁ ସରକାରୀ କାର୍ଯ୍ୟ ଦିବସ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ୩୦ରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କାମଚଳା ବଜେଟ ଆଗତ କରିବେ। ସେହିଦିନ ମୋସନ ଅନ୍‍ ଭୋଟ ଅନ୍‍ ଆକାଉଣ୍ଟ ବା ଲେଖାନୁଦାନ ପ୍ରସ୍ତାବ ଆଗତ ହେବ ଓ ତା’ ଉପରେ ଆଲୋଚନା ଆରମ୍ଭ ହେବ। ୩୧ରେ ଲେଖାନୁଦାନ ଉପରେ ବ୍ୟୟମଞ୍ଜୁରୀ ବିଧେୟକ ଓ ବଜେଟ ଅଧିବେଶନ ଶେଷ ହେବ। ଏପଟେ ଏହି ସଂକ୍ଷିପ୍ତ ଅଧିବେଶନରେ ଦଳୀୟ ରଣନୀତି ପ୍ରସ୍ତୁତ ପାଇଁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି, ନିର୍ବାଚନୀ ହିଂସା, ବିଦ୍ୟୁତ୍‍ କାଟ, ଆବାସ ଦୁର୍ନୀତି ଆଦି ପ୍ରସଙ୍ଗକୁ ନେଇ ବିଜେପି ସରକାରଙ୍କୁ ଘେରିବାକୁ ସ୍ଥିର କରିଛି। ଏପଟେ କଂଗ୍ରେସ ବିଧାୟକ ଦଳ ଶୁକ୍ରବାର ଅଧିବେଶନ ପୂର୍ବରୁ ବସିବାକୁ ନିର୍ଘଣ୍ଟ ହୋଇଛି। ସେହିପରି ବିରୋଧୀଙ୍କ ମୁକାବିଲା ପାଇଁ ଶାସକ ବିଜେଡିର ବିଧାୟକ ଦଳ ବୈଠକ ଶୁକ୍ରବାର, ସକାଳ ୧୦ଟା ୩୦ ମିନିଟରେ ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

About The Author: The Sakala