ଆଇସିଏଆର୍‌ ରିପୋର୍ଟ : ମାଛ ଖାଇବାରେ ବଙ୍ଗାଳୀଙ୍କୁ ପଛରେ ପକାଇଲେ ଓଡ଼ିଆ

ଭୁବନେଶ୍ୱର : ସମଗ୍ର ଦେଶରେ ମାଛ ଖାଇବା ପରିମାଣ ବୃଦ୍ଧି ପାଇଛି। ମାଛ ଖାଇବାରେ ଓଡ଼ିଶାବାସୀ ପଛରେ ନାହାନ୍ତି। ଏ କ୍ଷେତ୍ର‌ରେ ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଅରୁଣାଚଳ ପ୍ରଦେଶ ଭଳି ରାଜ୍ୟକୁ ପଛରେ ପକାଇଦେଇଛି ଓଡ଼ିଶା। ଭାରତ ସରକାରଙ୍କ କୃଷି ମନ୍ତ୍ରାଳୟ ଅଧୀନରେ ଥିବା ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରୁ ଏହା ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ସମଗ୍ର ଦେଶରେ ୭୨.୧% ଅର୍ଥାତ୍‌‌ ୯୬୬.୬ ନିୟୁତ ଲୋକ ମାଛ ଖାଉଛନ୍ତି। ତ୍ରିପୁରାରେ […]

ଭୁବନେଶ୍ୱର : ସମଗ୍ର ଦେଶରେ ମାଛ ଖାଇବା ପରିମାଣ ବୃଦ୍ଧି ପାଇଛି। ମାଛ ଖାଇବାରେ ଓଡ଼ିଶାବାସୀ ପଛରେ ନାହାନ୍ତି। ଏ କ୍ଷେତ୍ର‌ରେ ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଅରୁଣାଚଳ ପ୍ରଦେଶ ଭଳି ରାଜ୍ୟକୁ ପଛରେ ପକାଇଦେଇଛି ଓଡ଼ିଶା। ଭାରତ ସରକାରଙ୍କ କୃଷି ମନ୍ତ୍ରାଳୟ ଅଧୀନରେ ଥିବା ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରୁ ଏହା ଜଣାପଡ଼ିଛି।

ରିପୋର୍ଟ ଅନୁସାରେ, ସମଗ୍ର ଦେଶରେ ୭୨.୧% ଅର୍ଥାତ୍‌‌ ୯୬୬.୬ ନିୟୁତ ଲୋକ ମାଛ ଖାଉଛନ୍ତି। ତ୍ରିପୁରାରେ ସର୍ବାଧିକ ଲୋକ ମାଛ ଖାଉଥିବା ବେଳେ ପଞ୍ଜାବ ଓ ହରିୟାନାରେ ଏହି ହାର ସବୁଠାରୁ କମ୍‌‌ ରହିଛି। ଦୈନିକ ମାଛ ଖାଇବା କଥା ଦେଖିଲେ, କେରଳ ଲୋକ ଆଗରେ ରହିଛନ୍ତି। ଏହି ରାଜ୍ୟରେ ୫୩.୫% ଲୋକ ଦୈନିକ ମାଛ ଖାଉଥିବା ବେଳେ ଏହା ପଛକୁ ଗୋଆ (୩୬.୨%), ପଶ୍ଚିମବଙ୍ଗ (୨୧.୯୦%), ମଣିପୁର (୧୯.୭୦%), ଆସାମ (୧୩.୧୦%), ତ୍ରୁପୁରା (୧୧.୫୦%) ରହିଛନ୍ତି। ତେବେ ସାପ୍ତାହିକ ମାଛ ଖାଇବାରେ ୬୯% ସହ ଆସାମ ଓ ତ୍ରିପୁରା ଆଗରେ ରହିଥିବା ବେଳେ ୬୬.୮% ସହିତ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଓଡ଼ିଶା ପଛକୁ ପଶ୍ଚିମବଙ୍ଗ (୬୫.୭୫%), ଅରୁଣାଚଳ ପ୍ରଦେଶ (୬୫.୨୫%), ତାମିଲନାଡ଼ୁ (୫୮.୨%) ରହିଛନ୍ତି। ତଥ୍ୟରୁ ଜଣାପଡ଼ିଛି ଯେ ଉତ୍ତରପୂର୍ବ ଓ ପୂର୍ବାଞ୍ଚଳ ରାଜ୍ୟ, ତାମିଲନାଡ଼ୁ, କେରଳ ଓ ଗୋଆରେ ମାଛ ଖାଉଥିବା ଲୋକଙ୍କ ହାର ୯୦%ରୁ ଅଧିକ ଅଛି।

ଆଇସିଏଆର ରିପୋର୍ଟ କହୁଛି ଯେ ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ପରିମାଣର ମାଛ ଖାଇଥା’ନ୍ତି। କମ୍‌‌ ମାଛ ଖାଉଥିବା ରାଜ୍ୟରେ ପୁରୁଷମାନେ ଘର ବାହାରେ ମାଛ ଖାଇଥା’ନ୍ତି। ଭାରତ ବିଶ୍ୱରେ ତୃତୀୟ ବୃହତ୍ତମ ମତ୍ସ୍ୟ ଉତ୍ପାଦକ ରାଷ୍ଟ୍ର ହୋଇଥିବା ସତ୍ତ୍ବେ ମାଛ ଖାଇବାରେ ୧୮୩ଟି ଦେଶ ମଧ୍ୟରେ ଭାରତ ୧୨୯ତମ ସ୍ଥାନରେ ରହିଛି। ବିଶ୍ୱର ମାତ୍ର ୮% ମାଛ ଭାରତୀୟମାନେ ଖାଇଥା’ନ୍ତି। ୨୦୦୦-୦୧ ବେଳକୁ ଓଡ଼ିଶାରେ ମୁଣ୍ଡପିଛା ମାଛ ସେବନ ୭.୭୧ କେଜି ଥିବା ବେଳେ ୨୦୨୦-୨୧ରେ ଏହା ୧୬.୨୪ କେଜିକୁ ବୃଦ୍ଧି ପାଇଥିଲା। ୨୦୨୫ ବେଳକୁ ଓଡ଼ିଶାରେ ମୁଣ୍ଡପିଛା ମାଛ ସେବନ ୨୦ କେଜିକୁ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ୭ ଲକ୍ଷ ହେକ୍ଟର ମଧୁର ଜଳରେ ପ୍ରାୟ ୭ଲକ୍ଷ ଟନ୍‌‌ ମାଛ ଉତ୍ପାଦନ ହୋଇଥାଏ।

ସେହିପରି ପ୍ରାୟ ୫ଲକ୍ଷ ହେକ୍ଟର ଲୁଣାପାଣିରେ ମାଛ ଚାଷ କରାଯାଉଛି। ଏଥିରୁ ପ୍ରାୟ ୫୦ହଜାର ଟନ୍‌‌ ଲୁଣାମାଛ ଉତ୍ପାଦନ ହେଉଛି। ‘୫-ଟି’ ଉପକ୍ରମ ଅଧୀନରେ ଓଡ଼ିଶା ସରକାର ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧି ପାଇଁ ସ୍ୱତନ୍ତ୍ର ରଣନୀତି ଆଧାରରେ କାମ କରୁଛନ୍ତି। ମାଛ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ସରକାର ଲୋକଙ୍କୁ ଜୀବିକା ଭିତ୍ତିକ ମାଛ ଚାଷ ପାଇଁ ପ୍ରୋତ୍ସାହନ ଦେଉଛନ୍ତି। ପରିଣାମ ସ୍ୱରୂପ ଗତବର୍ଷ ଅକ୍ଟୋବର ସୁଦ୍ଧା ମାଛ ଉତ୍ପାଦନରେ ୩୧.୫% ଅଭିବୃଦ୍ଧି ସହିତ ଓଡ଼ିଶା ୪ର୍ଥ ସ୍ଥାନରେ ରିହଥିଲା। ମୋଟାମୋଟି ଭାବେ ମାଛ ଉତ୍ପାଦନ ୮ଲକ୍ଷ ଟନ୍‌‌ ନିକଟବର୍ତ୍ତୀ ହୋଇଛି।

About The Author: The Sakala