ସଙ୍କଟରେ ଜଙ୍ଗଲରାଜା ! ତସ୍କରଙ୍କ ପାଇଁ ଓଡିଶାରୁ ହ୍ରାସ ପାଉଛି ବାଘସଂଖ୍ୟା

ଭୁବନେଶ୍ୱର(ପ୍ରସନ୍‌‌ଜିତ୍‌‌, ପ୍ରଦୀପ): ଆଇନ କଡ଼ାକଡ଼ି। ସୁରକ୍ଷା ବି ପୂର୍ବାପେକ୍ଷା କଡ଼ାକଡ଼ି। ଏସବୁ ପରେ ବି ଆଇନ ଓ ପୁଲିସ ବ୍ୟବସ୍ଥାକୁ ଦଳିମକଚି ରାଜ୍ୟରେ ବାଘ ଶିକାର କରିଚାଲିଛନ୍ତି ଜଙ୍ଗଲ ତସ୍କର। କେଉଁଠି ବାଘ ଶିକାର କରି ତସ୍କରମାନେ ଛାଲ, ନଖ ଚାଲାଣ କଲେଣି ତ ଆଉ କେଉଁଠି ବାଘମାଂସ ଜବତ କରି ତସ୍କରମାନେ ରାଜ୍ୟ ବାହାରକୁ ଚାଲାଣ କଲେଣି। ଫଳରେ ବିଭିନ୍ନ ଜଙ୍ଗଲରେ ବାଘସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏସବୁ ସତ୍ତ୍ବେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା […]

ଭୁବନେଶ୍ୱର(ପ୍ରସନ୍‌‌ଜିତ୍‌‌, ପ୍ରଦୀପ): ଆଇନ କଡ଼ାକଡ଼ି। ସୁରକ୍ଷା ବି ପୂର୍ବାପେକ୍ଷା କଡ଼ାକଡ଼ି। ଏସବୁ ପରେ ବି ଆଇନ ଓ ପୁଲିସ ବ୍ୟବସ୍ଥାକୁ ଦଳିମକଚି ରାଜ୍ୟରେ ବାଘ ଶିକାର କରିଚାଲିଛନ୍ତି ଜଙ୍ଗଲ ତସ୍କର। କେଉଁଠି ବାଘ ଶିକାର କରି ତସ୍କରମାନେ ଛାଲ, ନଖ ଚାଲାଣ କଲେଣି ତ ଆଉ କେଉଁଠି ବାଘମାଂସ ଜବତ କରି ତସ୍କରମାନେ ରାଜ୍ୟ ବାହାରକୁ ଚାଲାଣ କଲେଣି। ଫଳରେ ବିଭିନ୍ନ ଜଙ୍ଗଲରେ ବାଘସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏସବୁ ସତ୍ତ୍ବେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଆଗାମୀ ଦିନରେ ବାଘ ସଂଖ୍ୟାବୃଦ୍ଧିରେ ସହାୟକ ହେବ ବୋଲି ବନ୍ୟଜନ୍ତୁପ୍ରେମୀମାନେ ଆଶା କରିଛନ୍ତି।

ସଙ୍କଟରେ ଜଙ୍ଗଲରାଜା
ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ ଭାବେ ବିଚରଣ କରୁଛନ୍ତି ବାଘମାମୁଁ। ଉଭୟ ମହାବଳ ଓ କଲରାପତିଆ ବାଘଙ୍କ ଉପରେ ବଢ଼଼ୁଛି ଶିକାରୀଙ୍କ ଲୋଲୁପ ଦୃଷ୍ଟି। ୨୦୧୮ ମସିହାରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ସଂସ୍ଥା (ଏନ୍‌‌ଟିସିଏ) ଦ୍ୱାରା ୨୦୧୮ରେ ବ୍ୟାଘ୍ରଗଣନା ହୋଇଥିଲା। ଏଥିରେ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ୨୮ଟି ମହାବଳ ବାଘ ଏବଂ ୭୬୦ଟି କଲରାପତରିଆ ବାଘ ଥିବା ନେଇ ସୂଚନା ଦିଆଯାଇଥିଲା। ତେବେ ସେହିଦିନଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବାଘ ଶିକାର ହୋଇଛି। ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୨-୧୩ରୁ ୨୦୨୧-୨୨ ଅର୍ଥାତ ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୬ଟି ମହାବଳ ବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ୪୯ଟି କଲରାପତରିଆଙ୍କ ମୃତ୍ୟୁ ହୋଇଛି। ଏହି ମୃତବାଘଙ୍କ ମଧ୍ୟରେ ୩ ଶିକାରୀଙ୍କ ଫାଶରେ ପଡ଼ି ଜୀବନ ହାରିଛନ୍ତି। ସେହିପରି ପ୍ରାଣ ହରାଇଥିବା ୪୯ଟି କଲରାପତରିଆଙ୍କ ମଧ୍ୟରୁ ଶିକାରୀଙ୍କ ଯୋଗୁଁ ୨୬ଟି କଲରାପତରିଆଙ୍କ ଜୀବନ ଯାଇଥିବା କୁହାଯାଇଛି।

୪ ବର୍ଷରେ ୪୫ କଲରାପତିରିଆ, ୨ ମହାବଳ ଛାଲ ଜବତ
ଜଙ୍ଗଲ ପାଇଁ ତୃଣଭୋଜୀ ଯେତିକି ଦରକାର; ମାଂସାଶୀ ପ୍ରାଣୀ ମଧ୍ୟ ସେ ତୁଳନାରେ ଦରକାର। କିନ୍ତୁ କିଛିବର୍ଷ ହେଲା ବିଭିନ୍ନ ପ୍ରଜାତିର ବାଘ ଶିକାର ଯେମିତି ହେଉଛି; କେଉଁଦିନ ଓଡ଼ିଶା ଜଙ୍ଗଲରୁ ବାଘଲୋପ ହୋଇଯିବ ତାହା କହିହେବ ନାହିଁ। ରାଜ୍ୟ ସଂରକ୍ଷିତ ଜଙ୍ଗଲଗୁଡ଼ିକରେ ରାଜୁତି କରୁଛନ୍ତି ଶିକାରୀ। ଗତ ୪ବର୍ଷରେ ରାଜ୍ୟରୁ ୪୫ଟି କଲରାପତରିଆ ବାଘଛାଲ, ଦୁଇଟି ମହାବଳ ବାଘଛାଲ ଜବତ କରିଛି କ୍ରାଇମ୍‌‌ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌‌ଟିଏଫ୍‌‌)। ୨୦୨୦ରେ ୭ଟି, ୨୦୨୧ରେ ୧୨ଟି, ୨୦୨୧ ୧୪ଟି ଓ ୨୦୨୩ରେ ୧୨ଟି କଲରାପତରିଆ ବାଘଛାଲ ଜବତ ହୋଇଛି। ଏଥିସହ ୨୦୨୨ ଓ ୨୩ରେ ଗୋଟିଏ ଲେଖାଏଁ ମହାବଳ ବାଘଛାଲ ଜବତ କରାଯାଇଛି। ସେହିପରି ବନ୍ୟପ୍ରାଣୀ ସୁରକ୍ଷା ଆଇନ୍‌‌ ୧୯୭୨ ଅନୁସାରେ ବାଘ ସିଡ୍ୟୁଲ୍‌‌ ୧ ପ୍ରାଣୀ। ତେଣୁ ଏହାର ସୁରକ୍ଷା ପାଇଁ ନିୟମକୁ କଡ଼ାକଡ଼ି କରିଛନ୍ତି ସରକାର। ଏହାଛଡ଼ା ୨୦୦୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟପ୍ରାଣୀଙ୍କ ଶିକାର ରୋକିବା ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି।

ଶିକାରୀଙ୍କ ଗଡ଼ ପଶ୍ଚିମ ଓଡ଼ିଶା
ବାଘଛାଲ ଶିକାର ଓ ଚୋରା ଚାଲାଣ ପଛରେ ପଶ୍ଚିମ ଓଡ଼ିଶା ଲିଙ୍କ୍‌‌ ପଦାକୁ ଆସୁଛି। ସୋନପୁର, ସମ୍ବଲପୁର, ବଲାଙ୍ଗୀର, ଭବାନୀପାଟଣା, ବରଗଡ଼, ନୂଆପଡ଼ା, ବୌଦ୍ଧ, ରାୟଗଡ଼ା, ମୟୂରଭଞ୍ଜ ଓ କନ୍ଧମାଳ ଭଳି ଜିଲ୍ଲାରେ ଅଧିକ ବନ୍ୟଜନ୍ତୁ ଶିକାର କରାଯାଉଛି। ମୟୂରଭଞ୍ଜର ଶିମିଳିପାଳ ଜଙ୍ଗଲ, ସମ୍ବଲପୁରର କୁଚିଣ୍ଡା, ନୟାଗଡ଼ ଦଶପଲ୍ଲାର ଗିରିପୂଜା ଜଙ୍ଗଲ, ରଣପୁର ମଣିନାଗ ଜଙ୍ଗଲ ଓ ବୌଦ୍ଧର ମନମୁଣ୍ଡା ଜଙ୍ଗଲରେ କଲରାପତରିଆ ବାଘ ଶିକାର ବୃଦ୍ଧିପାଇଛି। ଶିକାରୀମାନେ ଏହି ଅଞ୍ଚଳରେ ନିଜେ ନିଜର ଅସ୍ଥାୟୀ ଆସ୍ଥାନ ଜମାଇ ଏସବୁର ମୂଲଚାଲ୍‌‌ କରୁଛନ୍ତି। ସେହିପରି କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ, ଅନୁଗୋଳ, ସୁନ୍ଦରଗଡ଼ ଓ କଟକର ଆଠଗଡ଼ ଜଙ୍ଗଲରୁ ଶିକାର କରାଯାଉଥିବା ଜଣାପଡ଼ିଛି। ବାଘଛାଲ ଗୋଟା ପିଛା ୫ରୁ ୭ଲକ୍ଷ ଯାଏଁ ବିକ୍ରି କରାଯାଉଛି। ଏହା ଆର୍ନ୍ତଜାତିକ ବଜାରରେ ୨୦ରୁ ୨୫ ଲକ୍ଷ ପର୍ଯ୍ୟନ୍ତ ବିକ୍ରି ହେଉଥିବା ତଦନ୍ତରୁ ଖୁଲାସା ହୋଇଛି।

ଚୀନକୁ ଲମ୍ବିଛି ସାମ୍ରାଜ୍ୟ
କଲରାପତରିଆ ବାଘଛାଲର ଚାହିଦା ଥିବାରୁ ଶିକାର ମଧ୍ୟ ବଢ଼଼ିବାରେ ଲାଗିଛି। ଓଡ଼ିଶାରୁ ବିଦେଶ ଲମ୍ବିଛି ବାଘଛାଲ ଚୋରା ଚାଲାଣ ଚେର। ବାଘଛାଲ, ନଖ ଓ ଦାନ୍ତ ଓଡ଼ିଶାରୁ ଛତିଶଗଡ଼ ଦେଇ ମିଆଁମାର ଓ ରାୟଗଡ଼ା-ପାର୍ବତୀପୁର ଦେଇ କର୍ଣ୍ଣାଟକ ଯାଉଛି। ସେଠାରୁ ରାଜସ୍ଥାନର ଜୟପୁର, କୋଲକାତା ଓ ବିଶାଖାପାଟଣାକୁ ପଠାଯାଉଛି। ସେଇ ନେଟ୍‌‌ୱର୍କରେ ଚୀନ, ନେପାଳ, ଇରାନ୍‌‌, ଇରାକ୍‌‌, ବର୍ମା, ୟୁଏଇ ଓ ତିବ୍ଦତ ଆଦି ଦେଶକୁ ଚାଲାଣ କରାଯାଉଛି। ସେହିପରି କିଛି ମାତ୍ରାରେ ବାଘଛାଲ ଜବତ କରୁଛି ବନବିଭାଗ ଓ ଏସ୍‌‌ଟିଏଫ୍‌‌। ହେଲେ ବାଘଟି କେଉଁ ଅଞ୍ଚଳର ଜଣାପଡୁନାହିଁ। ବୈଜ୍ଞାନିକ କାରଣ ଅନୁସାରେ ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସାଧନା ନାହିଁ। କେବଳ ଡିଏନ୍‌‌ଏଫ୍‌‌ ପ୍ରୋଫାଇଲ ପ୍ରେଜେକ୍ଟ ଆରମ୍ଭ ପ୍ରକ୍ରିୟା ହୋଇଛି। ବାଘଗୁଡ଼ିକର ଡିଏନ୍‌‌ଏ ସାମ୍ପୂଲ ସଂଗ୍ରହ କରି ରଖିହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।

ଛାଲରୁ ଫ୍ୟାନ୍ସି ସାମଗ୍ରୀ: ନଖ ଓ ଦାନ୍ତରୁ ଔଷଧ
ରାଜ୍ୟରେ ବଢ଼଼ୁଥିବା ଶିକାରକୁ ଦେଖିଲେ ଆଗାମୀ କିଛିବର୍ଷରେ ଜଙ୍ଗଲରୁ କଲରାପତିରିଆ ବଂଶ ବୁଡ଼ିଯିବା ଆଶଙ୍କା ସୃଷ୍ଟିହୋଇଛି। ବାଘଛାଲ, ନଖ ଓ ଦାନ୍ତର ଚାହିଦାଥିବାରୁ ବାଘ ଶିକାର ବଢ଼଼ିଥିବା ମତ ଦେଇଛନ୍ତି ବିଶେଷଜ୍ଞ। ବାଘଛାଲରୁ ଫ୍ୟାନ୍ସି ସାମଗ୍ରୀ ଯଥା-ବିଭିନ୍ନ ବ୍ରାଣ୍ଡର ନାମୀଦାମୀ ଜ୍ୟାକେଟ୍‌‌, ଜୋତା, ପର୍ସ, ଭ୍ୟାନିଟ ଓ ପୋଷାକ ଆଦି ପ୍ରସ୍ତୁତ କରାଯାଉଛି। ସେପରି ନଖ ଓ ଦାନ୍ତକୁ ପାରମ୍ପରିକ ଚାଇନିଜ୍‌‌ ମେଡିସିନ୍‌‌ ଭାବେ ବ୍ୟବହାର ହୋଇଥାଏ। ଆଲ୍‌‌ସର, ମ୍ୟାଲେରିଆ, ଡିସେଣ୍ଟ୍ରି, ଗଣ୍ଠିବାତ, ର‍୍ୟାମାଟିଜିମ ଭଳି ରୋଗର ଔଷଧ ପାଇଁ ବାଘ ନଖ ଓ ଦାନ୍ତ ଓ ହାଡ଼ ବ୍ୟବହାର କରାଯାଉଛି। ସେହିପରି ଧନପ୍ରାପ୍ତି, ବାସ୍ତୁଦୋଷ ଛଡ଼ାଇବା ଲାଗି ମଧ୍ୟ ବଡ଼ବଡ଼ିଆମାନେ ଏହାକୁ ଚଢ଼ା ଦାମ୍‌‌ରେ କିଣି ଅଳଙ୍କାର ଭାବେ ବ୍ୟବହାର କରୁଛନ୍ତି। ବାଘନଖ ଗୋଟା ପ୍ରତି ୩ହଜାରରୁ ୫ହଜାର ଟଙ୍କାରେ ବିକ୍ରି କରାଯାଉଥିବା ବେଳେ ଦାନ୍ତ ମଧ୍ୟ ଗୋଟା ପ୍ରତି ୩ହଜାରରୁ ୪ହଜାର ଟଙ୍କାରେ ବିକ୍ରି ହେଉଛି।

ମିଶନ ଶିମିଳିପାଳ: ୨୩୬ ବନ୍ଧୁକ ଜବତ, ୪୨ ଗିରଫ
ରାଜ୍ୟର ବିଭିନ୍ନ ଜଙ୍ଗଲରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼଼ିଥିଲା। ଶିମିଳିପାଳ ଜଙ୍ଗଲରେ ଶିକାରୀଙ୍କ ଗୁଳିମାଡ଼ରେ ୨ବନ କର୍ମଚାରୀ ସହିଦ ହେବା ପରେ ଆରମ୍ଭ ହୋଇଥିଲା ଅପରେସନ୍‌‌ କ୍ଲିନ୍‌‌ସୁଇପ୍‌‌। ଶିମିଳିପାଳ ଜଙ୍ଗଲ ସଂଲଗ୍ନ ଗାଁ ଗୁଡ଼ିକରେ ଅସ୍ତ୍ରଶସ୍ତ୍ର ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ୧୩ଟି ଥାନା ଅଞ୍ଚଳରୁ ୨୩୬ଟି ଦେଶୀ ବନ୍ଧୁକ ଜବତ ହୋଇଥିଲା। ଏଥିସହ ୮୦ଟି ମାମଲାରେ ସମ୍ପୃକ୍ତି ରହିଥିବା ୪୨ଜଣଙ୍କୁ ଗିରଫ କରାଯାଇଥିଲା। ଏହାବ୍ୟତୀତ ଗୋଟିଏ ବନ୍ଧୁକ ତିଆରି କାରଖାନା ଠାବ ହୋଇଥିଲା। ସେହିପରି ଶିମିଳିପାଳକୁ ଶିକାର ଓ ଶିକାରୀମୁକ୍ତ କରିବା ଲାଗି ବନବିଭାଗକୁ ନେଇ ଏକ ମିଳିତ ଟାସ୍କଫୋର୍ସ ଗଠନ କରାଯାଇଛି।

ବାଘଙ୍କ ନୂଆ ଠିକଣା ସୁନାବେଡ଼ା ଓ ଡେବ୍ରିଗଡ଼
ରାଜ୍ୟରେ ବ୍ୟାଘ୍ର ବଂଶବୃଦ୍ଧିକୁ ଗୁରୁତ୍ୱ ଦିଆଯାଉଥିବାରୁ ବ୍ୟାଘ୍ର ପ୍ରକଳ୍ପସଂଖ୍ୟା ବୃଦ୍ଧି କରିବାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟରେ ବ୍ୟାଘ୍ର ବଂଶବୃଦ୍ଧି ଏବଂ ସୁରକ୍ଷା ପାଇଁ ବର୍ତ୍ତମାନ ୨ଟି ବ୍ୟାଘ୍ର ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି। ଶିମିଳିପାଳରେ କିଛି ବାଘ ରହିଥିବା ବେଳେ ଆଉ ଗୋଟିଏ ବ୍ୟାଘ୍ର ପ୍ରକଳ୍ପ ସାତକୋଶିଆ ରହିଛି। ବର୍ତ୍ତମାନ ସୁନାବେଡ଼ା ଓ ଡେବ୍ରିଗଡ଼ ଜଙ୍ଗଲରେ ଦୁଇଟି ବ୍ୟାଘ୍ର ପ୍ରତିଷ୍ଠା ହେବାକୁ ଯାଉଛି। ସୁନାବେଡ଼ା ଜଙ୍ଗଲରେ ବ୍ୟାଘ୍ର ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ମିଳିସାରିଛି। କେବଳ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଜାରିକରିବା ପରେ ଏଠାରେ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟକାରୀ ହୋଇଯିବ। ସମାନ ଭାବେ ଡେବ୍ରିଗଡ଼ରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ ପାଇଁ ଯୋଜନା ରହିଛି। ତେଣୁ ଏନ୍‌‌ଟିସିଏର ଅନୁମତିକୁ ଅପେକ୍ଷା ରହିଛି। ଏହି ଦୁଇ ବ୍ୟାଘ୍ର ପ୍ରକଳ୍ପ ରାଜ୍ୟ ପାଇଁ ଏକ ବଡ଼ ସୁଫଳ ଆଣିବ ବୋଲି ଆଶା କରାଯାଉଛି। ଏହି ଦୁଇ ପ୍ରକଳ୍ପ ହେବା ପରେ ବ୍ୟାଘ୍ର ପ୍ରକଳ୍ପ ସଂଖ୍ୟା ୪ରେ ପହଞ୍ଚିବ। ଅନ୍ୟପଟେ ଶିକାର ନିରୋଧକ ଶିବିର ପ୍ରତିଷ୍ଠା, ସ୍ପେଶାଲ ସ୍କ୍ୱାଡ୍‌‌ ମୁତୟନ, ଡ୍ରୋନ୍‌‌ ଓ କ୍ୟାମେରା ବ୍ୟବହାର କରି ସୁରକ୍ଷା ଯୋଗାଇବା, ଜଙ୍ଗଲରେ ପାଦଚଲା ପଇଁତରା, ତୃଣଭୋଜୀ ପ୍ରାଣୀଙ୍କ ବୃଦ୍ଧି ପାଇଁ ଚାରଣଭୂମିର ବିକାଶ, ଜଙ୍ଗଲ ନିଅାଁର ପ୍ରତିରୋଧ ଆଦି ପଦକ୍ଷେପ ନିଆଯାଉଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ପରିଚାଳନାରେ ଶିମିଳିପାଳ ଉତ୍କୃଷ୍ଟ
ଦେଶରେ ଥିବା ବ୍ୟାଘ୍ର ପ୍ରକଳ୍ପଗୁଡ଼ିକରେ ପ୍ରଭାବୀ ପରିଚାଳନା ମୂଲ୍ୟାନୟରେ ଶିମିଳିପାଳ ଶ୍ରେଷ୍ଠ ୧୨ ବ୍ୟାଘ୍ର ପ୍ରକଳ୍ପରେ ସାମିଲ ହୋଇଛି। ୯୦.୧୫ ମାର୍କ ସହ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପ୍ରଭାବୀ ପରିଚାଳନା ମୂଲ୍ୟାୟନ (ଏମ୍‌‌ଇଇ) ‘ଏକ୍ସଲେଣ୍ଟ’ ଶ୍ରେଣୀରେ ରହିଛି। ଓଡ଼ିଶାର ଶିମିଳିପାଳ ଏକ୍ସଲେଣ୍ଟ ଶ୍ରେଣୀରେ ରହିଥିବା ବେଳେ ରାଜ୍ୟର ଦ୍ୱିତୀୟ ବ୍ୟାଘ୍ର ପ୍ରକଳ୍ପ ପୂର୍ବ ତୁଳନାରେ ଗୋଟିଏ ପାହଚ ଉପରକୁ ଉଠି ‘ଭେରିଗୁଡ୍‌‌’ ଶ୍ରେଣୀରେ ରହିଛି। ଦେଶରେ ବର୍ତ୍ତମାନ ୫୧ଟି ବ୍ୟାଘ୍ର ପ୍ରକଳ୍ପ ରହିଛି। ୨୦୧୮ ମସିହାରେ ହୋଇଥିବା ସର୍ଭେରେ ଶିମିଳିପାଳ ଏହି ଶ୍ରେଣୀରେ ୭୨.୬୬ ପ୍ରତିଶତ ମାର୍କ ସହ ‘ଗୁଡ୍‌‌’ ଶ୍ରେଣୀରେ ରହିଥିଲା। ୪ ବର୍ଷ ପରେ ଅର୍ଥାତ ୨୦୨୨ରେ ହୋଇଥିବା ଗଣନାରେ ଶିମିଳିପାଳ ୯୦.୧୫ ପ୍ରତିଶତ ମାର୍କ ରଖିବାରେ ସଫଳ ହୋଇଛି। ସେହିପରି ସାତକୋଶିଆ ୨୦୧୮ରେ ୬୭.୯୭ ମାର୍କ ରଖି ‘ଗୁଡ୍‌‌’ ଶ୍ରେଣୀରେ ରହିଥିବା ବେଳେ ଏବେ ଏହା ୭୫ ପ୍ରତିଶତ ମାର୍କ ସହ ‘ଭେରିଗୁଡ୍‌‌’ ଶ୍ରେଣୀକୁ ଉନ୍ନିତ ହୋଇଛି।

ମହାବଳଙ୍କ ପସନ୍ଦ ଓଡ଼ିଶା ଜଙ୍ଗଲ
ମହାରାଷ୍ଟ୍ର, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ବାଘ ଏବେ ଓଡ଼ିଶା ମୁହାଁ। ସୁରକ୍ଷା, ଅନୁକୂଳ ପରିବେଶ ଓ ପର୍ଯ୍ୟାପ୍ତ ଖାଦ୍ୟ ମିଳୁଥିବାରୁ ମହାବଳଙ୍କୁ ଓଡ଼ିଶା ଜଙ୍ଗଲ ଆକୃଷ୍ଟ କରୁଛି। କିଏ ସାଥୀ ପାଇଁ ପାଗଳହୋଇ ଆସୁଛି ତ ଆଉ କାହାକୁ ଓଡ଼ିଶାର ଜଳବାୟୁ ଆକର୍ଷିତ କରୁଛି। କିଛିଦିନ ତଳେ ୪ଟି ରାଜ୍ୟ ଓ ୨ହଜାର କିଲୋମିଟର ଅତିକ୍ରମକରି ମହାରାଷ୍ଟ୍ରର ମହାବଳ ବାଘ ଓଡ଼ିଶାରେ ପହଞ୍ଚିଥିଲା। ଏଇ ଗୋଟିଏ ଘଟଣା ନୁହେଁ ରାଜ୍ୟର ତିନୋଟି ବନାଞ୍ଚଳରେ ମହାବଳ ବାଘ ଦେଖାଦେବା ବ୍ୟାଘ୍ରପ୍ରେମୀଙ୍କ ମନରେ ଉତ୍ସାହ ଭରିଛି। ଗତ କିଛିବର୍ଷ ମଧ୍ୟରେ ମହାବଳ ବାଘଙ୍କ ସଂଖ୍ୟା ହ୍ରାସ ନେଇ ବନ ବିଭାଗକୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏବେ ୩ଟି ବନାଞ୍ଚଳରେ କେନ୍ଦୁଝର, ଡେବ୍ରିଗଡ଼ ଓ ଗଜପତି ଜିଲ୍ଲାର ରାୟଗଡ଼ ଜଙ୍ଗଲ ନିୟମିତ ଭାବେ ମହାବଳ ବାଘ ଦେଖାଦେଉଛନ୍ତି। ଡେବ୍ରିଗଡ଼ ଓ କେନ୍ଦୁଝରରେ ବାଘ ପାଖାପାଖି ବର୍ଷେହେବ ରହି ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶରୁ ଗୋଟିଏ ବାଘ ଓଡ଼ିଶା ସୀମା ଡେଇଁ ଗଜପତି ଜଙ୍ଗଲରେ ପହଞ୍ଚିଛି। ଓଡ଼ିଶା ଜଙ୍ଗଲରେ ଏହି ବାଘକୁ ସୁରକ୍ଷା ଦେଇ ଏଠାରେ ଏହି ବାଘର ସ୍ଥାୟୀ ଠିକଣା କରିବା ପାଇଁ ବନ ବିଭାଗ ପ୍ରୟାସ କରୁଛି। ଡେବ୍ରିଗଡ଼ରେ ରହିଥିବା ବାଘଟି ପଡ଼ୋଶୀ ଛତିଶଗଡ଼ରୁ ଓଡ଼ିଶା ଆସିଥିବା ବେଳେ ଆନ୍ଧ୍ରରୁ ଏହି ବାଘ ଗଜପତିକୁ ଆସିଛି।

ଡେରାଡୁନ୍‌‌ ପରୀକ୍ଷାକୁ ଭରସା
ଉଭୟ ମହାବାଳ ଓ କଲରାପତରିଆ ବାଘ ଶିକାର କରାଯାଉଛି। ବୟସାଧିକ ଓ ରୋଗାଗ୍ରସ୍ତରୁ କିଛି କଲରାପତରିଆ ବାଘ ମରୁଥିବା କୁହାଯାଉଛି। ମାତ୍ର ବନ୍ୟପ୍ରାଣୀଙ୍କ ଫୋରେନ୍‌‌ସିକ ଯାଞ୍ଚ ଲାଗି ଓଡ଼ିଶା ପାଖେ କୌଣସି ସୁବିଧା ନାହିଁ। ତେଣୁ ବାଘଛାଲକୁ ଯାଞ୍ଚକରିବା ଲାଗି ଡେରାଡୁନ୍‌‌ସ୍ଥିତ ବନ୍ୟପ୍ରାଣୀ ଅନୁଷ୍ଠାନକୁ ପଠାଇ ଦିଆଯାଉଛି। ସେଠାରେ ବାୟୋଲୋଜିକାଲ୍‌‌ ପରୀକ୍ଷା ପରେ ବିସ୍ଫୋରକ ତଥ୍ୟ ପଦାକୁ ଆସୁଛି। କଲରାପତରିଆ ଓ ମହାବାଘଙ୍କୁ ଗୁଳି, ବାର୍‌‌ହା ଫାଶ, ତୀରରେ ଏବଂ ବିଷ ଦେଇ ହତ୍ୟା କରାଯାଉଥିବା ପ୍ରମାଣିତ ହୋଇଛି। ତେବେ ଓଡ଼ିଶାରେ ଏହି ପରୀକ୍ଷା ନ ଥିବାରୁ ତଦନ୍ତ ପ୍ରକ୍ର୍ରିୟା ଓ ପ୍ରମାଣ କରିବା ଲାଗି ଦୀର୍ଘଦିନ ସମୟ ଲାଗୁଛି। ବନବିଭାଗ ପକ୍ଷରୁ ଓୟୁଏଟିରେ ୱାଇଲ୍ଡଲାଇଫ୍‌‌ ୱିଙ୍ଗ୍‌‌ କରାଯାଇଥିଲେ ବି ସେଠାରେ ସେସବୁ ଯାଞ୍ଚ ଲାଗି ପରିପକ୍ୱ ବିଶେଷଜ୍ଞ ନ ଥିବାରୁ ଆମକୁ ଡେରାଡୁନ୍‌‌ସ୍ଥିତ ବନ୍ୟପ୍ରାଣୀ ଅନୁଷ୍ଠାନ ଉପରେ ନିର୍ଭର କରିବାକୁ ପଡୁଛି।

ଚର୍ଚ୍ଚାରେ କଳା ମହାବଳ, କଲରାପତରିଆ
ରାଜ୍ୟରେ କଳା ମହାବଳ ଓ କଳା କଲରାପତରିଆ ବାଘ ଦେଖାଯାଇଛି। ଶିମିଳିପାଳ ଜାତୀୟ ଉଦ୍ୟାନରେ ତିନୋଟି କଳା ମହାବଳ ବାଘ ଠାବ କରାଯାଇଥିବା ବେଳେ କେନ୍ଦ୍ରୀୟ ଓଡ଼ିଶାର ଏକ ଜଙ୍ଗଲରେ କଳା କଲରାପତରିଆ ବାଘ ଦେଖାଯିବା ପରେ ବନବିଭାଗ ଲାଗି ଉତ୍ସାହ ଭରିଛି। ଦେଖାଯାଇଥିବା କଳା ମହାବଳ ବାଘର ଦେହ ରଙ୍ଗ ଧଳା ଅଥବା ସୁନେଲି ରଙ୍ଗର ହୋଇଥିବା ବେଳେ ତା’ଉପରେ ଗାଢ଼କଳା ପଟା ଗାର ଚିହ୍ନିତ ରହିଛି। କଳା ବାଘମାନଙ୍କର ‘ଜିନ୍‌‌ ପୁଲ୍‌‌’ ଅଭିନବ ଏବଂ ସେମାନଙ୍କର ସଂଖ୍ୟାବୃଦ୍ଧି କରିବା ଲାଗି ‘ବ୍ୟାଘ୍ର ସଂରକ୍ଷଣ’ ଉଦ୍ୟମ ଚଳାଇଛି। ଗୁଣସୂତ୍ରୀୟ ପରିବର୍ତ୍ତନ ହେତୁ ମହାବଳ ବାଘ ଦେହରେ ଏଭଳି ଚମତ୍କାର ଗାଢ଼କଳା ପଟାଦାଗ ସୃଷ୍ଟି ହୋଇଥାଏ। ନିର୍ଦ୍ଦିଷ୍ଟ କୌଣସି ଗୁଣସୂତ୍ର ରୂପାନ୍ତରିତ ହୋଇଯିବା ପରେ କଳାପଟା ଦାଗ ସବୁ ବଢ଼଼ିବଢ଼଼ି ବାଘର କମଳା ରଙ୍ଗର ଦେହକୁ ଆବୃତ୍ତ କରି ପକାଇଥାଏ। ତେବେ ବାଘଗଣନା ଯୋଗୁଁ ଲଗାଯାଇଥିବା ଟ୍ରାପ୍‌‌ କ୍ୟାମେରାରେ ବାଘଟି ନଜରକୁ ଆସିଥିଲା। ଦେଖାଯାଇଥିବା କଳାବାଘଟି ନିର୍ଦ୍ଦିଷ୍ଟ କେଉଁ ଜଙ୍ଗଲରେ ରହିଛି ସେନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଉ ନ ଥିଲେ ମଧ୍ୟ ସାତକୋଶିଆ, ନୟାଗଡ଼, ବୌଦ୍ଧ କିମ୍ବା ଅନୁଗୁଳର କୌଣସି ଏକ ଜଙ୍ଗଲରେ କଳାବାଘ ବିଚରଣ କରୁଥିବା ଅନୁମାନ କରାଯାଉଛି।

ଜାରିରହିଛି ବାଘଗଣନା; ଜାନୁଆରୀରେ ରିପୋର୍ଟ
କେନ୍ଦ୍ର ସରକାରଙ୍କ ସଂସ୍ଥା ଏନ୍‌‌ଟିସିଏ ପକ୍ଷରୁ ଯେଉଁ ବାଘଗଣନା କରାଯାଇଛି, ସେଥିରେ ଓଡ଼ିଶାରେ ୨୦ଟି ବାଘ ଥିବା ନେଇ ସୂଚନା ଦିଆଯାଇଛି। ହେଲେ କେନ୍ଦ୍ର ସରକାରଙ୍କ ବାଘଗଣନା ପ୍ରକ୍ରିୟାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ସନ୍ତୋଷବ୍ୟକ୍ତ କରୁ ନ ଥିବା ବେଳେ ଏହାକୁ ଅନେକ ସ୍ଥାନରେ ଗ୍ରହଣ ମଧ୍ୟ କରାଯାଉ ନାହିଁ। ଯାହାଦ୍ୱାରା ରାଜ୍ୟ ସରକାର ନିଜସ୍ୱ ବାଘଗଣନା କରିବାକୁ ନିଷ୍ପତ୍ତି ନେଇଥିଲେ। ନଭେମ୍ବର ମାସ ୧ ତାରିଖରୁ ରାଜ୍ୟରେ ବାଘଗଣନା ଆରମ୍ଭ ହୋଇଛି। ରାଜ୍ୟରେ ବର୍ତ୍ତମାନ ନିଜସ୍ୱ ବାଘଗଣନା ପ୍ରକ୍ରିୟା ଜାରିରହିଛି। ଏଥିପାଇଁ ବିଭିନ୍ନ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ଟ୍ରାପ୍‌‌ କ୍ୟାମେରା ଲଗାଯାଇଛି। ବାଘର ପାଦ ଚିହ୍ନ, ଦେହର ଚିତ୍ରିତ ଚିହ୍ନ ଓ ମଳ ଆଦିକୁ ଗ୍ରହଣ କରାଯିବ। ବାଘଗଣନା ସରିବା ପରେ ଆସନ୍ତା ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ ଏହାର ରିପୋର୍ଟ ପ୍ରକାଶ କରିବେ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି କେନ୍ଦ୍ର ସରକାରଙ୍କ ଗଣନା ବେଳେ ରାଜ୍ୟରେ ଥିବା ୮ଛୁଆ ବାଘ ଥିଲେ ମଧ୍ୟ ଏଥିରେ ସାମିଲ କରାଯାଇ ନ ଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ଗଣତି ବେଳେ ଏମାନଙ୍କୁ ସାମିଲ୍‌‌ କରାଯିବ।

ଦେଶରେ ୩୧୬୭ ବାଘ
୨୦୧୮ ମସିହାରେ ଦେଶରେ ବାଘ ସଂଖ୍ୟା ୨୯୬୭ ଥôବା ବେଳେ ୨୦୨୨ ରିପୋର୍ଟରେ ଏହି ସଂଖ୍ୟା ବୃଦ୍ଧିହୋଇ ୩୧୬୭ରେ ପହଞ୍ଚିଛି। ‘କେନ୍ଦ୍ରୀୟ ଭାରତୀୟ ହାଇଲାଣ୍ଡ୍‌‌ସ ଏବଂ ଇଷ୍ଟର୍ନ ଘାଟ୍‌‌ସ’ ଅଧୀନରେ ବାଘସଂଖ୍ୟା ୧୨୮ଟି ବଢ଼଼ିଛି। ଏଥିରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ରାଜସ୍ଥାନ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶ ଆଦି ରାଜ୍ୟ ରହିଛି। ୨୦୧୮ ବାଘ ଗଣନାରେ ଏହି ଅଞ୍ଚଳରେ ୧୦୩୩ଟି ବାଘ ଚିହ୍ନଟ ହୋଇଥିବା ବେଳେ ୨୦୨୨ ଗଣନାରେ ୧୧୬୧ଟି ବାଘ ଚିହ୍ନଟ କରାଯାଇଛି।

ରାଜ୍ୟରେ ୮ ଛୁଆ ସହ ୨୦ ମହାବଳ
୨୦୨୧-୨୨ ମସିହାରେ ରାଜ୍ୟରେ ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌‌ଟିସିଏ) ପକ୍ଷରୁ ବାଘଗଣନା କରାଯାଇ ରାଜ୍ୟରେ ୨୦ଟି ବାଘ ଥିବା ନେଇ ସଂସ୍ଥା ପକ୍ଷରୁ କୁହାଯାଇଛି। ଏନ୍‌‌ଟିସିଏର ରିପୋର୍ଟ ଅନୁସାରେ ୨୦୦୬ରେ ରାଜ୍ୟରେ ୪୫ଟି ବାଘ ଥିଲା ବେଳେ ୨୦୧୦ରେ ଏହି ସଂଖ୍ୟା ୩୨କୁ ଖସିଥିଲା। ୨୦୧୪ ଓ ୨୦୧୮ରେ ବାଘ ସଂଖ୍ୟା ୨୮କୁ ହ୍ରାସ ପାଇଥିଲା। ୨୦୧୮ରେ ଶିମିଳିପାଳରେ ୮ଟି ବାଘ ଥିବା ବେଳେ ବର୍ତ୍ତମାନ ତାହା ୧୬କୁ ବୃଦ୍ଧିପାଇଛି। ମାତ୍ର ୨୦୧୮ରେ ରାଜ୍ୟରେ ୨୮ଟି ବାଘ ଥିବାବେଳେ ଏ ବର୍ଷ ତାହା ୨୦କୁ ଖସି ଆସିଛି। ରାଜ୍ୟରେ ଏବେ ୭ରୁ ୮ ମହାବଳ ଶାବକ ଅଛନ୍ତି। ଏହି ଶାବକଙ୍କର ବୟସ ଗୋଟିଏ ବର୍ଷରୁ କମ୍‌‌ ରହିଥିବା କାରଣରୁ ଗତ ବାଘଗଣନା ସମୟରେ ଏମାନଙ୍କୁ ଗଣତି ପ୍ରକ୍ରିୟାରୁ ବାଦ୍‌‌ ଦିଆଯାଇଛି। ରାଜ୍ୟରେ ଏହି ସଂଖ୍ୟା ତୁଳନାରେ ଅଧିକ ବାଘ ଥିବା ନେଇ ରାଜ୍ୟ ସରକାର ଆଶା ରଖିଥିଲେ। ଏହି ଗଣନା ପ୍ରକ୍ରିୟାକୁ ଗ୍ରହଣ ନ କରି ନିଜସ୍ୱ ଭାବେ ବାଘଗଣନା କିରିଥିଲେ। ଏଥିରେ ୨୦୦୪ରେ ରାଜ୍ୟରେ ୧୯୨ଟି ବାଘ ଥିବା ବେଳେ ୨୦୧୬ରେ ଏହି ସଂଖ୍ୟା ୪୦କୁ ଖସି ଆସିଥିଲା।

About The Author: The Sakala