ଦାଦନରୁ ମୁକ୍ତି ଦେଇଛି ଗୋଷ୍ଠୀଶ୍ରମ, ୧୦ ମହିଳା ସ୍ବାବଲମ୍ବୀ

ନୂଆପଡ଼ା (ଶୁଭ୍ରାଂଶୁ କୁମାର ନାୟକ): ଆଜିର ନାରୀ ଆଗରେ ଅବଳା ଦୂର୍ବଳା ଶବ୍ଦ ଏବେ ଅତୀତ ପାଲଟିଛି। ପ୍ରତିକ୍ଷେତ୍ରରେ ନାରୀ ତାର ପାରଦର୍ଶିତା ଦେଖାଉଛି। ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଅନ୍ୟ ପାଇଁ ସାହାରା ପାଲଟିଛନ୍ତି। ସଂଘର୍ଷରୁ ସଫଳତା ପାଇ ନିଜ ଗୋଡ଼ରେ ଛିଡ଼ା ହେବା ସହ ପରିବାରର ଆର୍ଥିକ ଅବସ୍ଥାରେ ସୁଧାର ଆଣିଛନ୍ତି। ମହିଳା ଦାଦନ ଶ୍ରମିକରୁ ଜୀବନ ଯାତ୍ରା ଆରମ୍ଭକରି ସଫଳ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ନୂଆପଡ଼ା ଜିଲ୍ଲା […]

ନୂଆପଡ଼ା (ଶୁଭ୍ରାଂଶୁ କୁମାର ନାୟକ): ଆଜିର ନାରୀ ଆଗରେ ଅବଳା ଦୂର୍ବଳା ଶବ୍ଦ ଏବେ ଅତୀତ ପାଲଟିଛି। ପ୍ରତିକ୍ଷେତ୍ରରେ ନାରୀ ତାର ପାରଦର୍ଶିତା ଦେଖାଉଛି। ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଅନ୍ୟ ପାଇଁ ସାହାରା ପାଲଟିଛନ୍ତି। ସଂଘର୍ଷରୁ ସଫଳତା ପାଇ ନିଜ ଗୋଡ଼ରେ ଛିଡ଼ା ହେବା ସହ ପରିବାରର ଆର୍ଥିକ ଅବସ୍ଥାରେ ସୁଧାର ଆଣିଛନ୍ତି।

ମହିଳା ଦାଦନ ଶ୍ରମିକରୁ ଜୀବନ ଯାତ୍ରା ଆରମ୍ଭକରି ସଫଳ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ର ବଣପାହାଡ଼ ଘେରା ମାଣ୍ଡିଆରୁଚା ଗାଁର ୧୦ ଜଣ ମହିଳା। ଗାଁର ଏହି ମହିଳା ମାଁ ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଏବେ ବେଶ ସ୍ୱାବଲମ୍ବୀ। ଏକତ୍ରିତ ଭାବେ ଗାଁରେ କାମକରି ସମସ୍ତ ଦୁଃଖକଷ୍ଟ ଅଭାବ ଅସୁବିଧା ଦୂରେଇବାରେ ସଫଳ ହୋଇ ଉଦାହରଣ ସୃଷ୍ଟି କରି ପାରିଛନ୍ତି। ସିନାପାଲି ସଦର ମହୁକମାରୁ ୧୫ କିମି ଦୂରତାରେ ଅବସ୍ଥିତ ଏହି ଆଦିବାସୀବହୁଳ ବଣପାହାଡ଼ ଘେରା ଗାଁ ମାଣ୍ଡିଆରୁଚା। ଦୁଃଖ ଦୁର୍ଦ୍ଦଶାରେ ରହିଥିବା ଏହି ଗାଁର ମହିଳାମାନେ କାମଧନ୍ଧା ଅନ୍ୱେଷଣରେ ଶ୍ରମିକ ଦଲାଲ ହାବୁଡ଼ରେ ପଡ଼ି ରାଜ୍ୟ ବାହାରକୁ ଚାଲାଣ ହେଉଥିଲେ। ବିଭିନ୍ନ ସହରକୁ ଯାଇ ଅକଥନୀୟ ନିର୍ଯାତନାର ଶିକାର ହୋଇ ଘରକୁ ଫେରୁଥିଲେ।

କେହି କେହି ଅକାଳରେ ଜୀବନହାରି ଗାଁକୁ ଶବ ହୋଇ ଫେରିଥିବା ଅନେକ ଉଦାହାରଣ ରହିଛି। ଏହି ମହିଳାମାନେ ବଞ୍ଚିବାର ରାହା ଖୋଜୁଖୋଜୁ ୨୦୦୯ ମସିହାରେ ମହିଳା ସ୍ୱୟଂ ସାହାୟକ ଗୋଷ୍ଠୀ ଆରମ୍ଭ କଲେ। ପ୍ରଥମେ ନିଜନିଜ ମଧ୍ୟରେ ମାସକୁ ୧୦ ଟଙ୍କା ଲେଖାଏଁ ସଞ୍ଚୟ କରି ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ।ଦୀର୍ଘ ୪ ବର୍ଷ ସଞ୍ଚୟ କରିବାପରେ ବ୍ୟାଙ୍କରୁ ଟଙ୍କା ଉଠାଣ କରି ନିଜ ଗାଁରେ ଇଟା ଗଢିବାସହ ବିକ୍ରିକରି ପ୍ରଚୁର ଲାଭବାନ ହୋଇଥିଲେ। ପରିଶ୍ରମର ଫଳ ସ୍ୱରୂପ ହାତକୁ ଟଙ୍କା ଆସିବାପରେ ଗାଁର ପଡ଼ିଆ ଜମିରେ ପରିବେଶ ସୁରକ୍ଷା ପାଇଁ ଚାରାରୋପଣ କରିଥିଲେ। ପରେ ମହିଳାଙ୍କ କାମରେ ଖୁସିହୋଇ ନୂଆପଡ଼ା ଜିଲ୍ଲା ପ୍ରଶାସନ ଅନେକ କାମ ଦେଇଥିଲେ।ଏହି କାମରେ ମହିଳାମାନେ ପ୍ରତି ମାସରେ ୩୫ ହଜାର ଟଙ୍କା ଲାଭ ପାଇଥିଲେ। ପରେ ସ୍ୱଚ୍ଛଭାରତ ଅଭିଯାନରେ ୭୬ଟି ଶୌଚାଳୟ ନିର୍ମାଣ ପାଇଁ ଜିଲ୍ଲା ଜଳ ଓ ପରିମଳ ବିଭାଗ ଦାୟୀତ୍ୱ ଦେଇଥିଲେ।କିଛି ବର୍ଷ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କାର୍ଯ୍ୟ କରିଥିଲେ। ସମସ୍ତ କାମରେ ସଫଳ ହେବାପରେ ବର୍ତ୍ତମାନ ଛତୁଆ, ବାଦାମ ଲଡୁ, ଭୁଜା ଲଡୁ, ତିଆରି କରି ସିନାପାଲି ବ୍ଲକର ୬ଟି ପଞ୍ଚାୟତରେ ବଣ୍ଟନ ଦାୟିତ୍ୱ ଦେଇଛନ୍ତି ଜିଲ୍ଲା ପ୍ରଶାସନ। ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମକରୀ ମହିଳାମାନେ ଏବେ ସ୍ୱୟଂ ସିଦ୍ଧା ସଂପୂର୍ଣ୍ଣା ହୋଇପାରିଛନ୍ତି।

ଦାଦନ ପରିଚୟରୁ ଏବେ ସ୍ୱାବଲମ୍ୱୀ ହୋଇ ବେଶ୍‌ ଖୁସିରେ ଜୀବନଯାପନ କରୁଥିବା ସେମାନେ କହିଛନ୍ତି। ସଭାନେତ୍ରୀ ବନ୍ଧନା ମାଝୀ, ସମ୍ପାଦିକା ଦ୍ରୋପଦୀ ସାହୁଙ୍କ ବଳିଷ୍ଠ ଉଦ୍ୟମରେ ମାଆମାନେ ଏକତ୍ରିତ ହୋଇ କାମକରି ସ୍ୱାବଲମ୍ୱି ହୋଇପାରିଛନ୍ତି। ଏହି ଗୋଷ୍ଠୀର ମହିଳାମାନେ ଏବେ ଗର୍ଭବତୀ, ପ୍ରସୂତି ମାଆ, କୋମଳମତି ଶିଶୁ, କିଶୋରୀଙ୍କୁ ପୃଷ୍ଟିକର ସୁଷମ ଖାଦ୍ୟ ତିଆରିକରି ୬ଟି ପଞ୍ଚାୟତର ୧୮ଟି ଗ୍ରାମର ଅଙ୍ଗନବାଡ଼ି ସେଣ୍ଟରଗୁଡ଼ିକୁ ବଣ୍ଟନ କରି ଲାଭବାନ ହୋଇପାରିଛନ୍ତି। ନିଜଗାଁରେ ନିଜେ ରହି ଏକ ମିନିଫାକ୍ଟ୍ରି ଚଳାଇବାରେ ବନ୍ଦନା ମାଝୀ, ଦ୍ରୋପଦୀ ସାହୁ, ରୁକ୍ମଣୀ ମାଲି, ସାବିତ୍ରୀ ମାଲି, ପ୍ରଭାବତୀ ମାଲି, ଅହଲ୍ୟା ମାଝୀ, ଗୋମତୀ ବାଗ, ସଙ୍ଗୀତା ମାଲି, ରଜ ମାଲି ଓ କାନ୍ତି ମାଝୀଙ୍କ ଏଭଳି ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଉଛି।

ନୂତନ ଓଡ଼ିଶା ଗଠନର ସଂକଳ୍ପ ନେଇ ନବୀନ ସରକାର ଅନେକ ଜନ କଲ୍ୟାଣ ଓ ଜନ ହିତକର ଯୋଜନା କରିଥିଲେ। ତନ୍ମଧ୍ୟରୁ ମିଶନ ଶକ୍ତି ଅନ୍ୟତମ। ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଓ ସଶକ୍ତ କରି ବିକଶିତ ରାଷ୍ଟ୍ର ଗଠନ ନେଇ ଯେଉଁ ମିଶନଶକ୍ତି ଯୋଜନା ଆରମ୍ଭ କରିଥିଲେ। ତାହା ପ୍ରକୃତରେ ପ୍ରତିଫଳନ ହେଇଛି।

About The Author: The Sakala