ଟାନୱାଟର ଦାରିଦ୍ର୍ୟ ଦୂରକଲା ଗେଣ୍ଡୁଫୁଲ ଚାଷ; ସ୍ୱାବଲମ୍ବୀ ହେଲେ ମହିଳା

ନୂଆପଡ଼ା( ଘନଶ୍ୟାମ ଭୋଇ): ଦିନେ ସୁଖବାସୀ ହେବାର ସ୍ୱପ୍ନରେ ନୂଆପଡ଼ା ଭଳି ଉପାନ୍ତ ଜିଲ୍ଲାରୁ ଲୋକେ ଦାଦନ ଖଟିବାକୁ ଯାଉଥିଲେ। ଦରିଦ୍ରତାର କୁଚକ୍ରୀରୁ କେବେ ମୁକୁଳିବେ ବୋଲି ଏମାନେ କେବେ ଆଶା ରଖି ନ ଥିଲେ। ହେଲେ ସମୟ ବଦଳିଛି। ଲୋକେ ତାଙ୍କ ଗାଁରେ ରହି ରୋଜଗାରର ବାଟ ଖୋଜିଛନ୍ତି। ନିଜ ବିଲରେ ପରିଶ୍ରମ କରି ସୁନା ଫଳାଇଛନ୍ତି। ନୂଆପଡ଼ା ଜିଲ୍ଲାର ଜଙ୍ଗଲିଆ ଗାଁ ଟାନୱାଟରେ ମହିଳାମାନେ ସେମାନଙ୍କ ଜମିରେ ଗେଣ୍ଡୁ ଫୁଲ ଫୁଟାଇଛନ୍ତି। ଏଥିରୁ ସେମାନଙ୍କ […]

ନୂଆପଡ଼ା( ଘନଶ୍ୟାମ ଭୋଇ): ଦିନେ ସୁଖବାସୀ ହେବାର ସ୍ୱପ୍ନରେ ନୂଆପଡ଼ା ଭଳି ଉପାନ୍ତ ଜିଲ୍ଲାରୁ ଲୋକେ ଦାଦନ ଖଟିବାକୁ ଯାଉଥିଲେ। ଦରିଦ୍ରତାର କୁଚକ୍ରୀରୁ କେବେ ମୁକୁଳିବେ ବୋଲି ଏମାନେ କେବେ ଆଶା ରଖି ନ ଥିଲେ। ହେଲେ ସମୟ ବଦଳିଛି। ଲୋକେ ତାଙ୍କ ଗାଁରେ ରହି ରୋଜଗାରର ବାଟ ଖୋଜିଛନ୍ତି। ନିଜ ବିଲରେ ପରିଶ୍ରମ କରି ସୁନା ଫଳାଇଛନ୍ତି। ନୂଆପଡ଼ା ଜିଲ୍ଲାର ଜଙ୍ଗଲିଆ ଗାଁ ଟାନୱାଟରେ ମହିଳାମାନେ ସେମାନଙ୍କ ଜମିରେ ଗେଣ୍ଡୁ ଫୁଲ ଫୁଟାଇଛନ୍ତି। ଏଥିରୁ ସେମାନଙ୍କ ଦାରିଦ୍ର୍ୟ ହଟିଛି।

ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୭କିମି ଦୂରରେ ରହିଛି ଟାନୱାଟ ଗ୍ରାମପଞ୍ଚାୟତ। ପୂର୍ବେ ଏହି ପଞ୍ଚାୟତ ଅଞ୍ଚଳରୁ ବହୁ ଲୋକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିଲେ। ଏଭଳି ସ୍ଥିତିରେ ଗାଁର କିଛି ଉଦ୍ୟୋଗୀ ମହିଳାମାନେ ଏକଜୁଟ ହୋଇ ମା’ ଗାୟତ୍ରୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରିଥିଲେ। ଫୁଲ ଚାଷ କଲେ କମ୍‌‌ ଦିନ ଏବଂ କମ୍‌‌ ଟଙ୍କା ବିନିଯୋଗରେ ବେଶ ଦୁଇପଇସା ରୋଜଗାର କରିପାରିବେ। ଏଥିପାଇଁ ଓଡ଼ିଶା ଜୀବିକା ମିଶନର ସହାୟତା ଲୋଡିଥିଲେ। ଜିଲ୍ଲା କାର୍ଯ୍ୟାଳୟର ସହାୟତା ଏବଂ ପରାମର୍ଶ କ୍ରମେ ଫୁଲ ଚାଷ କରିବାକୁ ଉଦ୍ୟମ କରିଥିଲେ। ଏଥିପାଇଁ ଜିଲ୍ଲା କୃଷି କାର୍ଯ୍ୟାଳୟର ଆତ୍ମା ପ୍ରକଳ୍ପ ତରଫରୁ କିଛି ଆର୍ଥିକ ସହାୟତା ପାଇଥିଲେ। ସେଥିରେ ହାରାହାରି ୧ ଏକର ଜମି ସକାଶେ ଗେଣ୍ଡୁ ଫୁଲର ବିହନ ଆଣି ସାର ଏବଂ ଆନୁଷଙ୍ଗିକ ବ୍ୟବସ୍ଥା କରି ଚାଷ ଆରମ୍ଭ କରିଥିଲେ। ବର୍ତ୍ତମାନ ଫୁଲ ଚାଷ ସଫଳ ହୋଇଛି। ଲାଲ, ଗୋଲାପୀ, ହଳଦିଆ ରଙ୍ଗର ଫୁଲର ସମ୍ଭାରରେ ବଗିଚା ସମସ୍ତଙ୍କ ମନ ମୋହୁଛି। ଏଠାକୁ ପ୍ରତ୍ୟହ ବୁଲିବାକୁ ବହୁ ଲୋକ ଆସୁଥିବାବେଳେ ସ୍ୱଂୟ ସହାୟକ ଦଳର ମହିଳାମାନେ ଫୁଲ ସଂଗ୍ରହ କରି ନୂଆପଡ଼ା ବଜାରକୁ ଆଣୁଛନ୍ତି।

ଦିନେ ରାଜ୍ୟ ବାହାରୁ ଅର୍ଥାତ ଛତିଶଗଡ଼ର ରାୟପୁର, ଆନ୍ଧ୍ରପ୍ରଦେଶ ସହ ପଶ୍ଚିମବଙ୍ଗ ବଜାରରୁ ପ୍ରତ୍ୟହ ଫୁଲ ଆମଦାନୀ ହେଉଥିଲା। ଏହାକୁ କିଛି ମାତ୍ରାରେ ରୋକିପାରିଛନ୍ତି ଟାନୱାଟ ଗାଁର ମହିଳା ଚାଷୀମାନେ। ବର୍ତ୍ତମାନ ନୂଆପଡ଼ା ବଜାରରେ ରାଜ କରୁଛି ଟାନୱାଟର ଗେଣ୍ଡୁ ଫୁଲ। ଏଥିରୁ ସବୁ ମହିଳା ମାସକୁ ୫/୬ହଜାର ଟଙ୍କା ପାଉଥିବା ପ୍ରକାଶ କରିଛନ୍ତି। ଏହି ଚାଷ ସକାଶେ ଆତ୍ମା ତରଫରୁ ଆର୍ଥିକ ସହାୟତା, ଉଦ୍ୟାନ ବିଭାଗ ତରଫରୁ ଜଳ ସେଚନର ସୁବିଧା ସକାଶେ ଡ୍ରିପ ବ୍ୟବସ୍ଥା, ଇଫକୋ ତରଫରୁ ନାନୋ ୟୁରିଆ, ୱାଟର ସୋଲ୍ୟୁବଲ ସାର ଯୋଗାଇ ଦିଆଯାଉଛି। ଏହିଭଳି ଜିଲ୍ଲାବ୍ୟାପୀ ଏହି ଋତୁରେ ୧୦ହେକ୍ଟର ଜମିରେ ଗେଣ୍ଡୁ ଫୁଲ ଚାଷ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ଆତ୍ମାର ଏପିଡି ସୁଧାଂଶୁ ଶେଖର ସାହୁ ପ୍ରକାଶ କରିଛନ୍ତି। ଜିଲ୍ଲାରେ ଫୁଲ ସହ ଅନ୍ୟାନ୍ୟ ଚାଷ ସକାଶେ ଉପଯୁକ୍ତ ମାଟି ସହ ଭିତ୍ତିଭୂମି ରହିଛି। ବଜାର ବ୍ୟବସ୍ଥା ମଧ୍ୟ ରହିଛି। ଆଗକୁ ଚାଷୀମାନେ ଆଗକୁ ଆସିଲେ ଆମ ତରଫରୁ ସବୁ ପ୍ରକାର ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ଜୀବନଜୀବିକା ମିଶନର ଅଧିକାରୀ ଟିମନ ବାରା କହିଛନ୍ତି।

About The Author: The Sakala