ଦେବ୍ରୀଗଡ଼ରେ ଠାବ ହୋଇଥିବା ମହାବଳ ବାଘ ଛତିଶଗଡ଼ରୁ ଆସିଛି: NTCA

ଭୁବନେଶ୍ୱର: ଦେବ୍ରୀଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ନିକଟରେ ଦେଖାଦେଇଥିବା ଅଣ୍ଡିରା ମହାବଳ ବାଘଟି ଛତିଶଗଡ଼ରୁ ଆସିଥିବା ନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA) ସ୍ପଷ୍ଟ କରିଛି। ଗତ ନଭେମ୍ବର ୯ ତାରିଖରେ ଦେବ୍ରୀଗଡ଼ ଅଞ୍ଚଳରେ ଏହି ବାଘର ଉପସ୍ଥିତି ପ୍ରଥମେ ରେକର୍ଡ କରାଯାଇଥିଲା। ଏହି ବାଘଟି ପୂର୍ବରୁ ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ବ୍ୟାଘ୍ର ପ୍ରକଳ୍ପରେ ରହୁଥିଲା ବୋଲି ଏବେ ସୂଚନା ମିଳିଛି।

NTCA ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଛତିଶଗଡ଼ ବନ୍ୟପ୍ରାଣୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କ୍ୟାମେରା-ଟ୍ରାପ୍ ଚିତ୍ର ଏବଂ ଅନ୍ୟାନ୍ୟ କ୍ଷେତ୍ର ପ୍ରମାଣଗୁଡ଼ିକୁ ବିଧିବଦ୍ଧ ଭାବେ ଯାଞ୍ଚ କରାଯାଇଥିଲା। ବାଘର ଶରୀରରେ ଥିବା ଷ୍ଟ୍ରାଇପ୍ ପ୍ୟାଟର୍ନ (Stripe-pattern) ବା ପଟା ଚିହ୍ନକୁ ମିଳାଇବା ପରେ ଏହା ନିଶ୍ଚିତ ହୋଇଛି ଯେ, ଉଭୟ ସ୍ଥାନରେ ଦେଖାଯାଇଥିବା ବାଘଟି ଏକା। 

ଏହି ବାଘଟିର ଗତିପଥ ଅନୁଧ୍ୟାନ କରିବାରୁ ଜଣାପଡ଼ିଛି ଯେ, ଏହି ମହାବଳ ବାଘ ପ୍ରଥମେ ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ବ୍ୟାଘ୍ର ପ୍ରକଳ୍ପରୁ ବାହାରି ବାରନୱାପାରା ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଯାଇଥିଲା। ସେଠାରୁ ଏହା ଓଡ଼ିଶାର ଦେବ୍ରୀଗଡ଼ ଅଞ୍ଚଳକୁ ପ୍ରବେଶ କରିଛି। ଏହି ଅଣ୍ଡିରା ବାଘର ବୟସ ପ୍ରାୟ ୫ ବର୍ଷ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି। ଏହି ଖବର ପରେ ଦେବ୍ରୀଗଡ଼ ଅଞ୍ଚଳରେ ବାଘର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

About The Author: Madhusudan Das