ଏଣିକି ଅଫଲାଇନରେ ବି ପୈଠ କରିହେବ ଇ-ଚାଲାଣ, ନଗଦ ଅର୍ଥ ଗ୍ରହଣ ପାଇଁ RTOଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଅଫ୍‌ଲାଇନ୍‌ରେ ବି ପୈଠ କରିହେବ ଇ ଚାଲାଣ । ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ରେ ମୋଟର ଯାନ ନିୟମ ଉଲ୍ଲଙ୍ଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଗ୍ରହଣ କରାଯିବ । ଏନେଇ ସମସ୍ତ ଆରଟିଓଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ (STA) ଙ୍କ ଦ୍ୱାରା ନିର୍ଦ୍ଦେଶ ଜାରି କରାଯାଇଛି । ଇ-ଚାଲାଣ ଅର୍ଥ ପୈଠ ବେଳେ ଓଟିପି ସମସ୍ୟା ନେଇ ଅଭିଯୋଗ କରୁଥିବା ଜନସାଧାରଣଙ୍କ ଦାବି ତଥା ଦୁର୍ବଳ ଇଣ୍ଟରନେଟ୍ ଥିବା ଅଞ୍ଚଳର ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ ପୂର୍ବ ଭଳି ଅନଲାଇନରେ ମଧ୍ୟ ଇ-ଚାଲାଣ ପୈଠ କରାଯାଇପାରିବ । ଏନେଇ ପରିବହନ ବିଭାଗ (mParivahan) ଆପ୍ଲିକେସନ୍ ଏବଂ https://echallan.parivahan.gov.in/ ରେ ଇ-ଚାଲାଣ ପୈଠ କରିହେବ । 

ଏହାସହ ଇ-ଚାଲାଣ ଅର୍ଥ ପୈଠ ବେଳେ କୌଣସି ଅସାଧୁ ବ୍ୟକ୍ତି କିମ୍ବା ସାଇବର ହ୍ୟାକରଙ୍କ ଠାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । କେବଳ ପରିବହନ ବିଭାଗର ୱେବସାଇଟ୍, ଆପ୍ଲିକେସନ୍ କିମ୍ବା ଆରଟିଓରେ ଅର୍ଥ ପୈଠ ପାଇଁ STA ଦ୍ୱାରା ପରାମର୍ଶ ଦିଆଯାଉଛି । ସାଧୁତା, ସ୍ୱଚ୍ଛତା ଏବଂ ଜନସାଧାରଣଙ୍କ ସୁବିଧା ପାଇଁ ପୂର୍ବରୁ ଅନଲାଇନ୍ ରେ ଅର୍ଥ ପୈଠ ପାଇଁ ବ୍ୟବସ୍ଥା ହୋଇଥିଲା । ତେବେ ଅଫଲାଇନ ବ୍ୟବସ୍ଥାରେ ମଧ୍ୟ ଅର୍ଥ ଗ୍ରହଣ ପାଇଁ ବିଗତ କିଛି ଦିନ ଧରି ଜନସାଧାରଣ ଦାବି କରି ଆସୁଛନ୍ତି। ଜନସାଧାରଣଙ୍କ ଏହି ଦାବିକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। 

ଆରଟିଓ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଭାବେ ଅଧିକାରୀଙ୍କୁ ଇ-ଚାଲାଣ ଅର୍ଥ ଗ୍ରହଣ ପାଇଁ ଦାୟିତ୍ୱ ପ୍ରଦାନ କରାଯିବ । କେବଳ ଗାଡ଼ି ମାଲିକ କିମ୍ବା ଖିଲାପକାରୀଙ୍କ ଠାରୁ ସକ୍ରିୟ ବକେୟା ଇ-ଚାଲାଣ ବାବଦରେ ଅର୍ଥ ଗ୍ରହଣ କରାଯିବ ।  ଇ-ଚାଲାଣ ଗ୍ରହଣ ପରେ ମନି ରିସିପ୍ଟ ବା ରସିଦ ପ୍ରଦାନ କରାଯିବ। ଏବଂ ଅର୍ଥ ପୈଠ ହେଲା ବୋଲି ଅନଲାଇନରେ ମଧ୍ୟ ଅପଡେଟ୍ ହେବ। ଇ-ଚାଲାଣ ବାବଦରେ ଗ୍ରହଣ କରାଯାଇଥିବା ସମସ୍ତ ଅର୍ଥ ରାଶି ପରବର୍ତ୍ତୀ କାର୍ଯ୍ୟ ଦିବସରେ ସରକାରୀ କୋଷାଗାରରେ ଜମା କରାଯିବ। 

ଅଫଲାଇନ ବ୍ୟବସ୍ଥାରେ ସାଧୁତା ଏବଂ ପାରଦର୍ଶିତାକୁ ସର୍ବୋତ୍ତମ ପ୍ରାଧାନ୍ୟ ସହ ଜନସାଧାରଣଙ୍କୁ ଉତ୍ତମ ସହାୟତା ପ୍ରଦାନ ପାଇଁ ଆରଟିଓ ମାନଙ୍କୁ STA ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

About The Author: Madhusudan Das