ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଜୁନ ୧୮ରେ ହେବ ଉପନିର୍ବାଚନ । ଓଡ଼ିଶାରୁ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଭାରତ ନିର୍ବାଚନ ଆୟୋଗ ଉପନିର୍ବାଚନ ସୂଚୀ ଘୋଷଣା କରିଛନ୍ତି। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାରୁ ଖାଲି ପଡିଛି ଗୋଟେ ଆସନ । ଏହି ଗୋଟେ ଆସନ ପାଇଁ ହେବ ଉପନିର୍ବାଚନ । ତାଙ୍କର ପଦତ୍ୟାଗ ୨୫ ମେ ୨୦୨୬ରୁ କାର୍ଯ୍ୟକାରୀ ହୋଇଥିବା ବେଳେ ଏହି ଆସନର କାର୍ଯ୍ୟକାଳ ୩ ଏପ୍ରିଲ ୨୦୩୦ ପର୍ଯ୍ୟନ୍ତ ଥିଲା।
ନିର୍ବାଚନ ଆୟୋଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଜୁନ୍ ୧ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁନ୍ ୮ ନାମାଙ୍କନ ଦାଖଲର ଶେଷ ତାରିଖ ଥିବାବେଳେ ଜୁନ୍ ୯ରେ ଯାଞ୍ଚ ପ୍ରକ୍ରିୟା ହେବ। ଜୁନ୍ ୧୧ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ।
ଆସନ ପାଇଁ ଭୋଟଗ୍ରହଣ ଜୁନ୍ ୧୮ ତାରିଖ ସକାଳ ୯ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ହେବ। ସେହି ଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣନା କରାଯିବ। ଜୁନ୍ ୨୦ ସୁଦ୍ଧା ସମଗ୍ର ନିର୍ବାଚନ ପ୍ରକ୍ରିୟା ସମାପ୍ତ କରାଯିବ ବୋଲି ଭାରତୀୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।