ବିଶିଷ୍ଟ ଲେଖିକା ପଦ୍ମଭୂଷଣ ଡ. ପ୍ରତିଭା ରାୟଙ୍କୁ ମିଳିବ ସାହିତ୍ୟ ଏକାଡେମୀ ଫେଲୋସିପ୍‌

ଭୁବନେଶ୍ୱର: ବିଶିଷ୍ଟ ଲେଖିକା ପଦ୍ମଭୂଷଣ ଡ. ପ୍ରତିଭା ରାୟ, ଅମଦୁସ ସମଦ୍‌ ଓ ଲକ୍ଷ୍ମୀ ଖିଲାଣୀଙ୍କୁ ମିଳିବ ସାହିତ୍ୟ ଏକାଡେମୀ ଫେଲୋସିପ୍‌। ଏନେଇ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି। ଡ. ରାୟ ଜ୍ଞାନପୀଠ ପୁରସ୍କାର ସହ ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ସାରଳା ପୁରସ୍କାର ସମେତ ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ବର୍ତ୍ତମାନ ଯାଏ ସେ ୨୦ଟି ଉପନ୍ୟାସ, ୨୪ଟି କ୍ଷୁଦ୍ରଗଳ୍ପ ସଙ୍କଳନ, ୧୦ଟି ଭ୍ରମଣ କାହାଣୀ, କବିତା ସଙ୍କଳନ ସମେତ ଅନେକ ପ୍ରକାର ପ୍ରବନ୍ଧ ରଚନା କରି ପାଠକୀୟ ଆଦୃତି ଲାଭ କରିଛନ୍ତି।  

ଲକ୍ଷ୍ମୀ ଖିଲାଣୀ ଜଣେ ବିଶିଷ୍ଟ ସିନ୍ଧି କଥା ଲେଖକ, ନାଟ୍ୟକାର, ଅନୁବାଦକ, ସମ୍ପାଦକ। ତାଙ୍କର ୨୪ରୁ ଅଧିକ ପ୍ରକାଶିତ କୃତି ଏବଂ ବହୁ ସଂଖ୍ୟକ ପ୍ରବନ୍ଧ ରହିଛି। ସେ ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ଅନେକ ସମ୍ମାନ ଲାଭ କରିଛନ୍ତି।  ସେହିପରି ଅବଦୁସ୍‌ ସମଦ୍‌ ଜଣେ ପ୍ରଖ୍ୟାତ ଉର୍ଦ୍ଦୁ ଲେଖକ ଏବଂ କବି। ତାଙ୍କର ୨୪ରୁ ଅଧିକ ପ୍ରକାଶିତ କୃତି ରହିଛି। ସେ ସାହିତ୍ୟ ଏକାଡେମୀ ପୁରସ୍କାର, ଗାଲିବ୍‌ ପୁରସ୍କାର, ଭାରତୀୟ ଭାଷା ପରିଷଦ ପୁରସ୍କାର ଏବଂ ଉର୍ଦ୍ଦୁ ଏକାଡେମୀରୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରାପ୍ତ କରିଛନ୍ତି। ଆଗାମୀ ଦିନରେ କେନ୍ଦ୍ର ସାହିତ୍ୟ ଏକାଡେମୀର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଫେଲୋସିପ୍‌ ପ୍ରଦାନ କରାଯିବ। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ସର୍ବୋଚ୍ଚ ସମ୍ମାନ ୧୯୬୮ ମସିହାରୁ ଆରମ୍ଭ ହୋଇଥିଲା। ଏହା ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରେ।

About The Author: Madhusudan Das