୨୭ରେ ‘ନିତି’ ଆୟୋଗ ବୈଠକ : ଉଠିବ ରାଜ୍ୟସ୍ୱାର୍ଥ ସମ୍ବଳିତ ଏକାଧିକ ପ୍ରସଙ୍ଗ

ଭୁବନେଶ୍ୱର : ଆସନ୍ତା ୨୭ ତାରିଖରେ ‘ନିତି’ ଆୟୋଗର ଅଷ୍ଟମ ସାଧାରଣ ପରିଚାଳନା ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ଅଞ୍ଚଳର ରାଜ୍ୟପାଳମାନେ ଏଥିରେ ଯୋଗଦେବେ। ଆସନ୍ତାବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଏହି ବୈଠକକୁ କେନ୍ଦ୍ରରେ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ନିତି ଆୟୋଗ ବୈଠକ ଭାବେ ବିଚାର କରାଯାଉଛି। ଏହି ଦୃଷ୍ଟିରୁ ଏହି ବୈଠକଟି ବେଶ୍‌‌ ଗୁରୁତ୍ୱ […]

ଭୁବନେଶ୍ୱର : ଆସନ୍ତା ୨୭ ତାରିଖରେ ‘ନିତି’ ଆୟୋଗର ଅଷ୍ଟମ ସାଧାରଣ ପରିଚାଳନା ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ଅଞ୍ଚଳର ରାଜ୍ୟପାଳମାନେ ଏଥିରେ ଯୋଗଦେବେ। ଆସନ୍ତାବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଏହି ବୈଠକକୁ କେନ୍ଦ୍ରରେ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ନିତି ଆୟୋଗ ବୈଠକ ଭାବେ ବିଚାର କରାଯାଉଛି। ଏହି ଦୃଷ୍ଟିରୁ ଏହି ବୈଠକଟି ବେଶ୍‌‌ ଗୁରୁତ୍ୱ ବହନ କରୁଥିବା ବେଳେ ଓଡ଼ିଶା ପକ୍ଷରୁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏହି ବୈଠକରେ ଉଠିପାରେ।

ଗତ ୨୦୨୨ ମସିହା ଅଗଷ୍ଟ ମାସରେ ଅନୁଷ୍ଠିତ ସପ୍ତମ ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ରାଜ୍ୟସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗମାନ ଉଠାଇଥିଲେ। ବିଶେଷକରି ରାଜ୍ୟକୁ ଫୋକସ ଷ୍ଟେଟ୍‌‌ ମାନ୍ୟତା, ରେଳବାଇ ଟେଲିକମ୍‌‌, ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସହାୟତା, ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ପାଇଁ ସହାୟତା ପରି ପ୍ରସଙ୍ଗକୁ ନବୀନ ଉଠାଇବା ସହ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଥିଲେ। ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦେବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ସମାନ ପ୍ରସଙ୍ଗ ସହ ଅନ୍ୟ କେତେକ ପ୍ରସଙ୍ଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରିପାରନ୍ତି ବୋଲି ଆଲୋଚନା ହେଉଛି।

ସୂଚନାଯୋଗ୍ୟ ନିକଟରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଥିବା ବେଳେ ରାଜ୍ୟରେ ଅସମ୍ପୂର୍ଣ୍ଣ ଜାତୀୟ ରାଜପଥ, ରାଜ୍ୟର ସମସ୍ତ ପଞ୍ଚାୟତରେ ବ୍ୟାଙ୍କ ଶାଖା , ଭାରତ ନେଟ୍‌‌ର ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାକୁ ସାମିଲ କରିବାକୁ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିଥିବା ସିଂହଭାଗ ଦାବି ଏବେବି ଅପୂରଣୀୟ ହୋଇ ରହିଥିବା ବେଳେ ସମାନ ଦାବି ଆସନ୍ତା ବୈଠକରେ ଉଠିବାର ଯଥେଷ୍ଟ ସମ୍ଭାବନା ରହିଥିବା କୁହାଯାଉଛି।

ତେବେ ରାଜ୍ୟ ସରକାର ଗତ ୨୦୧୭ ମସିହାରୁ କୋଇଲା ରାଜଭାଗ ବୃଦ୍ଧି ନେଇ ଦାବିକରି ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ଏଥି ପ୍ରତି କର୍ଣ୍ଣପାତ କରୁନାହାନ୍ତି। କୋଇଲା ରାଜଭାଗକୁ ୧୪ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି ନେଇ ଓଡ଼ିଶାର ବହୁଦିନର ଦାବି ଏହି ବୈଠକରେ ଉଠିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବିଶେଷଜ୍ଞ ମହଲରେ ମତପ୍ରକାଶ ପାଇଛି। ଏହାସହ ଉଷୁନା ଚାଉଳ ଉଠାଣକୁ ନେଇ ସବୁବେଳେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଉଛି। ବଳକା ଚାଉଳକୁ ଏଫ୍‌‌ସିଆଇ ଉଠାଇବାକୁ ମନା କରୁଥିବା ବେଳେ ଏହାଦ୍ୱାରା ରାଜ୍ୟର ଚାଷୀକୂଳ ଗୁରତର ଭାବେ ପ୍ରଭାବିତ ହେଉଛନ୍ତି। ତେଣୁ ଏପରି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଓଡ଼ିଶା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଆୟୋଜିତ ହେବାକୁ ଥିବା ବୈଠକରେ ଶିକ୍ଷା, କୃଷି ଏବଂ ଅର୍ଥନୀତି ଉପରେ ବିଶେଷ ଭାବରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

About The Author: The Sakala