ନାଇଜର୍‍ ଗବେଷକଙ୍କ ନୂଆ ଆବିଷ୍କାର: କର୍କଟ ଚିକିତ୍ସା ପାଇଁ ଆସିଲା ଥାଇଓଲୁମାଜିନ୍‍ ଔଷଧ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଗବେଷଣା କ୍ଷେତ୍ରରେ ନୂଆ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା। ଭୁବନେଶ୍ୱର ଜଟଣି ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ସାଇନ୍ସ ଏଜୁକେସନ୍‍ ଆଣ୍ଡ ରିସର୍ଚ୍ଚ (ନାଇଜର୍‍)ର ବୈଜ୍ଞାନିକମାନେ ଏପରି ଏକ ଔଷଧ ଆବିଷ୍କାର କରିଛନ୍ତି ଯାହା ସବୁ ପ୍ରକାର କର୍କଟ ରୋଗୀଙ୍କ ପାଇଁ ବେଶ୍‍ ଉପାଦେୟ ହୋଇପାରିବ। ପ୍ରାକୃତିକ ଉପାଦାନରେ ପ୍ରସ୍ତୁତ ଏହି ଔଷଧ ‘ଥାଇଓଲୁମାଜିନ୍‍’ ସେବନ କଲେ ରେଡିଓ ଥେରାପି, କେମୋଥେରାପିର ଆବଶ୍ୟକତା ରହିବ ନାହିଁ। ସୂର୍ଯ୍ୟ ଆଲୋକ ଏହି ଔଷଧକୁ ରୋଗୀଙ୍କ ଶରୀରେ […]

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଗବେଷଣା କ୍ଷେତ୍ରରେ ନୂଆ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା। ଭୁବନେଶ୍ୱର ଜଟଣି ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ସାଇନ୍ସ ଏଜୁକେସନ୍‍ ଆଣ୍ଡ ରିସର୍ଚ୍ଚ (ନାଇଜର୍‍)ର ବୈଜ୍ଞାନିକମାନେ ଏପରି ଏକ ଔଷଧ ଆବିଷ୍କାର କରିଛନ୍ତି ଯାହା ସବୁ ପ୍ରକାର କର୍କଟ ରୋଗୀଙ୍କ ପାଇଁ ବେଶ୍‍ ଉପାଦେୟ ହୋଇପାରିବ। ପ୍ରାକୃତିକ ଉପାଦାନରେ ପ୍ରସ୍ତୁତ ଏହି ଔଷଧ ‘ଥାଇଓଲୁମାଜିନ୍‍’ ସେବନ କଲେ ରେଡିଓ ଥେରାପି, କେମୋଥେରାପିର ଆବଶ୍ୟକତା ରହିବ ନାହିଁ। ସୂର୍ଯ୍ୟ ଆଲୋକ ଏହି ଔଷଧକୁ ରୋଗୀଙ୍କ ଶରୀରେ ସକ୍ରିୟ କରିବା ପାଇଁ ସମର୍ଥ। ଏଥିସହ କର୍କଟ ଔଷଧ ସେବନ ଦ୍ୱାରା ଶରୀରେ ଦେଖା ଦେଉଥିବା ବିକୃତି କିମ୍ବା ଯନ୍ତ୍ରଣା ରହିବ ନାହିଁ। ବଜାରରେ ମିଳୁଥିବା ଔଷଧ ଠାରୁ ଏହା ବହୁତ ଶସ୍ତା ହେବ। ନାଇଜର୍‍ ସ୍କୁଲ ଅଫ୍‍ କେମିକାଲ ସାଇନ୍ସ ବିଭାଗର ବରିଷ୍ଠ ବୈଜ୍ଞାନିକ ଡ଼ ହିମାଂଶୁ ଶେଖର ବିଶ୍ୱାଳଙ୍କ ନେତୃତ୍ୱରେ ଗବେଷକ ଦଳ ଏହି ଆବିଷ୍କାର କରିଛନ୍ତି। ବିଭିନ୍ନ ପ୍ରକାର ତୃଣ ଓ ବୃକ୍ଷଲତାରୁ ସଂଗୃହିତ ପ୍ରାକୃତିକ ଉପାଦାନକୁ କର୍କଟ ମୋଲିକ୍ୟୁଲ ଉପରେ ବ୍ୟବହାର କରି କର୍କଟ ଚିକିତ୍ସା ନିମନ୍ତେ ଔଷଧ ପ୍ରସ୍ତୁତ କରିବା ସମଗ୍ର ଦେଶରେ ପ୍ରଥମ ବୋଲି କୁହାଯାଇଛି।

କର୍କଟ ଭଳି ଏକ ମାରାତ୍ମକ ରୋଗୀ ଚିକିତ୍ସା ପାଇଁ ସାଧାରଣତଃ ଫଟୋ ଡାଇନାମିକ୍‍ ଥେରାପି (ପିଡିଟି) ପଦ୍ଧତ୍ତି ଅବଲମ୍ବନ କରାଯାଇଥାଏ। କେମୋ, ରେଡିଓଥେରାପିର ବିକଳ୍ପ ଭାବେ ପିଡିଟି ବ୍ୟବହାର ହୋଇଥାଏ। ପିଡିଟି ପଦ୍ଧତ୍ତିରେ ରୋଗୀଙ୍କ ଶରୀରରେ ଲେଜର୍‍ ଲାଇଟ୍‍, ଲାଇଟ୍‍ ପକାଯାଇ କର୍କଟ ଭୂତାଣୁକୁ ନଷ୍ଟ କରାଯାଇଥାଏ। ତେବେ ଏହି ପଦ୍ଧତ୍ତିରେ ବ୍ୟବହାର ହେଉଥିବା ଔଷଧରେ ଭାରୀ ଧାତୁ ଏବଂ କ୍ଷତିକାରକ ଉପାଦାନ ରହିଥାଏ ଯାହା ରୋଗୀଙ୍କ ଶରୀର ଉପରେ ଗଭୀର କୁପ୍ରଭାବ ପକାଇଥାଏ। କର୍କଟ ଚିକିତ୍ସା ପାଇଁ ଅନ୍ୟ ରୋଗ ସୃଷ୍ଟି ହୋଇଥାଏ। ରୋଗୀ ଜୀବନ ତମାମ୍‍ କଷ୍ଟ ଭୋଗିଥାନ୍ତି। ତେବେ ନାଇଜର୍‍ ବୈଜ୍ଞାନିକଙ୍କ ଦ୍ୱାରା ଆବିଷ୍କାର ହୋଇଥିବା ଥାଇଓଲୁମାଜିନ୍‍ କର୍କଟ ରୋଗୀଙ୍କ ପାଇଁ ଆଶାର ଆଲୋକ ହେବ ବୋଲି କୁହାଯାଉଛି। ମୋଲିକ୍ୟୁଲ୍‍କୁ ବ୍ୟବହାର କରି ଔଷଧ ପ୍ରସ୍ତୁତ କରାଯାଇଛି। ପିଡିଟି ଚିକିତ୍ସା ପଦ୍ଧତ୍ତିକୁ ଏହା ଅଧିକ ସରଳ କରିବ। ବିଭିନ୍ନ ପ୍ରାକୃତିକ ଉପାଦାନ ବ୍ୟବହାର କରି ଥାଇଓଲୁମାଜିନ୍‍ ପ୍ରସ୍ତୁତ କରାଯାଇଛି। ତେଣୁ ଏହା କମ୍‍ ମୂଲ୍ୟଯୁକ୍ତ, ଶରୀର ପାଇଁ ହିତକର, ସହଜରେ ଉପଯୋଗୀ, ଜୈବସଙ୍ଗତ ଓ ପରିବେଶ୍‍ ଅନୁକୂଳ। ନାଇଜର୍‍ର ପିଏଚ୍‍ଡି ସ୍କଲାର୍‍ ଶୁଭକାନ୍ତ ଜେନା ଏହି ଔଷଧ ଉଦ୍ଭାବନ ପାଇଁ ବିଭିନ୍ନ ମଡେଲ୍‍ ପ୍ରସ୍ତୁତ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପିଡିଟି ପଦ୍ଧତ୍ତିରେ କ୍ଷତିକାରକ ଲାଇଟ୍‍ ପକାଇବା ଜରୁରୀ। ଏହା ଦ୍ୱାରା ଶରୀରେ ଥିବା ଡିଏନ୍‍ଏ, ଆରଏନ୍‍ଏ ଆଦିକୁ କ୍ଷତି ପହଞ୍ଚିଥାଏ। କିନ୍ତୁ ଥାଇଓଲୁମାଜିନ୍‍ ସେବନ କଲେ ତାହା ସୂର୍ଯ୍ୟ ଆଲୋକରେ କ୍ରିୟାଶୀଳ ହୋଇପାରିବ। ତେଣୁ ରୋଗୀଙ୍କ ଶରୀର ପ୍ରତି କ୍ଷତିର ଆଶଙ୍କା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ନାଇଜର୍‍ ଗବେଷକଙ୍କ ଏହି ଉଦ୍‍ଭାବନ ଆମେରିକାନ୍‍ କେମିକାଲ ସୋସାଇଟି ପତ୍ରିକାର ସ୍ୱତନ୍ତ୍ର ସଂସ୍କରଣରେ ପ୍ରକାଶ ପାଇଛି।

ଏବେ ସୁଦ୍ଧା ଲ୍ୟାବ୍‍ ପରୀକ୍ଷଣ ଅତ୍ୟନ୍ତ ସଫଳ ରହିଥିବା ବେଳେ ମୋଲିକ୍ୟୁଲ୍‍ର ପଶୁ ଓ ମାନବ ପରୀକ୍ଷଣ ବାକି ଅଛି। ଏଥିପାଇଁ ଅନୁମତି ହାସଲ ଲାଗି ନାଇଜର୍‍ ପକ୍ଷରୁ ଉଦ୍ୟମ ଜାରି ରହିଛି। ଚୂଡ଼ାନ୍ତ ପରୀକ୍ଷଣ ପରେ କୌଣସି ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଏହାର ବିଧିବଦ୍ଧ ଉତ୍ପାଦନ ଆରମ୍ଭ କରିବ। ତା ପରେ ଯାଇ ବଜାରରେ ଏହା ଉପଲବ୍ଧ ହୋଇପାରିବ ବୋଲି କୁହାଯାଇଛି।

About The Author: The Sakala