ଏସ୍‌‌ସିବି ମେଡିକାଲର ଚାଲିଛି ନବକଳେବର; ୧୩୮ ଏକର ପରିମିତ ଜମିରେ ନିର୍ମାଣ ହେଉଛି ସ୍ୱାସ୍ଥ୍ୟସେବାର ସର୍ବୋଚ୍ଚ ଇମାରତ୍‌‌

ଆକାଶକୁ ଧୀରେ ଧୀରେ ମୁଣ୍ଡ ଟେକୁଛି ସୁଉଚ୍ଚ ଅଟ୍ଟାଳିକା। ମହାନଦୀ କୂଳ ଯାଏ ଲମ୍ବି ସାରିଲାଣି ପରିସୀମା। ଏକ ବୃହତ୍‌‌ ପ୍ରକଳ୍ପର ପରିକଳ୍ପନା କ୍ରମଶଃ ବାସ୍ତବତାର ରୂପ ନେଉଛି। ବଡ଼ ମେଡିକାଲ ବିଶ୍ୱ ଦରବାରରେ ପ୍ରତିଷ୍ଠିତ ହେବ। ରାଜ୍ୟ ସରକାରଙ୍କ ଉଦ୍ୟମରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ନବକଳେବର ଚାଲିଛି। ରାଜ୍ୟର ଏହି ସର୍ବବୃହତ୍‌‌ ସରକାରୀ ହସ୍ପିଟାଲ ଯେପରି ତା’ର କାୟା ମେଲାଉଛି। ‘ଏମ୍ସ ପ୍ଲସ୍‌‌’ର ସ୍ୱପ୍ନ ଆଉ ଅଳ୍ପ ଦିନ। ୧୩୮ ଏକର […]

ଆକାଶକୁ ଧୀରେ ଧୀରେ ମୁଣ୍ଡ ଟେକୁଛି ସୁଉଚ୍ଚ ଅଟ୍ଟାଳିକା। ମହାନଦୀ କୂଳ ଯାଏ ଲମ୍ବି ସାରିଲାଣି ପରିସୀମା। ଏକ ବୃହତ୍‌‌ ପ୍ରକଳ୍ପର ପରିକଳ୍ପନା କ୍ରମଶଃ ବାସ୍ତବତାର ରୂପ ନେଉଛି। ବଡ଼ ମେଡିକାଲ ବିଶ୍ୱ ଦରବାରରେ ପ୍ରତିଷ୍ଠିତ ହେବ। ରାଜ୍ୟ ସରକାରଙ୍କ ଉଦ୍ୟମରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ନବକଳେବର ଚାଲିଛି। ରାଜ୍ୟର ଏହି ସର୍ବବୃହତ୍‌‌ ସରକାରୀ ହସ୍ପିଟାଲ ଯେପରି ତା’ର କାୟା ମେଲାଉଛି। ‘ଏମ୍ସ ପ୍ଲସ୍‌‌’ର ସ୍ୱପ୍ନ ଆଉ ଅଳ୍ପ ଦିନ। ୧୩୮ ଏକର ପରିମିତ ଜମିରେ ନିର୍ମାଣ ଚାଲିଛି ସ୍ୱାସ୍ଥ୍ୟସେବାର ସର୍ବୋଚ୍ଚ ଇମାରତ୍‌‌….

ନୂଆ ରୂପ ଦେବ ୪ କ୍ଲିନିକାଲ୍‌‌ କୋଠା
ବଡ଼ ମେଡିକାଲର ରୂପ ବଦଳାଇ ଦେବ ୪ଟି ନୂତନ କ୍ଲିନିକାଲ୍‌‌ କୋଠା। ଏହି କୋଠାଗୁଡ଼ିକର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି। ୪ଟି ଯାକ କୋଠା ତାଳଦଣ୍ଡା କେନାଲକୁ ମୁହଁ କରି ଛିଡ଼ା ହେବ। ଏହାର ପ୍ରବେଶ ପଥ ମଧ୍ୟ ତାଳଦଣ୍ଡା ପାର୍ଶ୍ବରେ ରହିବ। ସମ୍ଭବତଃ ଆସନ୍ତା ଜୁଲାଇ ମାସରେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଓବିସିସି ପକ୍ଷରୁ କୁହାଯାଇଛି। କ୍ଲିନିକାଲ କୋଠା ନିର୍ମାଣ ଦାୟିତ୍ୱ ଏଲ୍‌‌ଆଣ୍ଡଟିକୁ ପ୍ରଦାନ କରାଯାଇଛି। ପ୍ରାୟ ୪୫ ଏକର ଜାଗାରେ ଏହି ନିର୍ମାଣ କାର୍ଯ୍ୟ ଚାଲିଛି।

୪ଟି ଯାକ କୋଠାକୁ ଗୋଟିଏ ଢାଞ୍ଚାରେ ନିର୍ମାଣ କରାଯାଉଛି। ପ୍ରତ୍ୟେକ କୋଠା ୧୦ମହଲା ବିଶିଷ୍ଟ ହେବ। ବି+ଜି+୯ ଢାଞ୍ଚାରେ ନିର୍ମିତ କୋଠାର ‘ବି’ ଅର୍ଥାତ୍‌‌ ବେସ୍‌‌ମେଣ୍ଟକୁ ପାର୍କିଂ ରୂପେ ବ୍ୟବହାର କରାଯିବ। ‘ଜି’ ଅର୍ଥାତ୍‌‌ ଗ୍ରାଉଣ୍ଡ ଫ୍ଲୋର୍‌‌ ଆଉଟ୍‌‌ଡୋର୍‌‌ ଭାବେ ବ୍ୟବହୃତ ହେବ। କ୍ଲିନିକାଲ କୋଠା-୧ ହେଉଛି ଜେନେରାଲ ମେଡିସିନ୍‌‌। ଭେଷଜ ବିଭାଗ ସମେତ ଏହାର ଉପବିଭାଗଗୁଡ଼ିକ ଏହି କୋଠାରେ କାର୍ଯ୍ୟ କରିବ। କେଉଁ କେଉଁ ବିଭାଗ ଏଠାକୁ ସ୍ଥାନାନ୍ତର ହେବ ତାହା ଚୂଡ଼ାନ୍ତ ହୋଇନାହିଁ। ସେହିପରି କ୍ଲିନିକାଲ କୋଠା-୨ ହେଉଛି ସ୍ପେସିଆଲାଇଜ୍‌‌ଡ ମେଡିସିନ। ଏହି କୋଠାରେ ନ୍ୟୁରୋଲୋଜି, ଏଣ୍ଡୋକ୍ରାଇନୋଲୋଜି, ନେଫ୍ରୋଲୋଜି, ହେମାଟୋଲୋଜି ଆଦି ବିଭାଗ କାର୍ଯ୍ୟ କରିବ। କ୍ଲିନିକାଲ କୋଠା-୩ ସ୍ପେସିଆଲାଇଜ୍‌‌ଡ ସର୍ଜରୀ ଭାବେ ନାମିତ ହୋଇଛି। ଏଠାରେ ମୁଖ୍ୟତଃ ସୁପରସ୍ପେସିଆଲିଟି ସର୍ଜରୀ ବିଭାଗଗୁଡ଼ିକ ଖୋଲିବ। ଯେପରିକି କାର୍ଡିଓ ଥୋରାସିସ୍‌‌ ଆଣ୍ଡ ଭସ୍କୁଲାର ସର୍ଜରୀ(ସିଟିଭିଏସ୍‌‌), ନ୍ୟୁରୋସର୍ଜରୀ, ୟୁରୋଲୋଜି, ପ୍ଲାଷ୍ଟିକ୍‌‌ ସର୍ଜରୀ ଓ ବର୍ଣ୍ଣ ୱାର୍ଡ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଭଳି ବିଭାଗ ରହିବ। କ୍ଲିନିକାଲ କୋଠା-୪ରେ ରହିବ ଟ୍ରମା ୟୁନିଟ୍‌‌, ଟ୍ରମା କେୟାର ଏବଂ ଜେନେରାଲ ସର୍ଜରୀ ବିଭାଗ। ଏତଦ୍‌‌ବ୍ୟତୀତ ପ୍ରତ୍ୟେକ କ୍ଲିନିକାଲ କୋଠାରେ ପାରାମେଡିକାଲ ୱିଙ୍ଗ୍‌‌ ଖୋଲାଯିବ। ରେଡିଓଲୋଜି, ସିଟି ସ୍କାନ, ଏମ୍‌‌ଆର୍‌‌ଆଇ କେନ୍ଦ୍ର, ପାଥୋଲୋଜି, ମାଇକ୍ରୋବାୟୋଲୋଜି, ନିଶ୍ଚେତକ ଗୃହ ମଧ୍ୟ ପୃଥକ୍‌‌ ପୃଥକ୍‌‌ ଭାବେ ରଖାଯିବ।

ଅତ୍ୟାଧୁନିକ ନିର୍ମାଣ ଶୈଳୀ ‘ମିଭାନ୍‌‌’
ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ (ଓବିସିସି) ଲିମିଟେଡର ଜନୈକ ଯନ୍ତ୍ରୀଙ୍କ କହିବା ମୁତାବକ, ଆବାସିକ କୋଠା ନିର୍ମାଣରେ ‘ମିଭାନ’ ଟେକ୍ନୋଲୋଜି ବ୍ୟବହାର କରାଯାଉଛି। ଯାହା ସମ୍ପୂର୍ଣ୍ଣ ନୂଆ ଓ ଅତ୍ୟାଧୁନିକ ନିର୍ମାଣ ଶୈଳୀ। ପୂର୍ବରୁ ଓଡ଼ିଶାରେ ଏହି ନୂଆ ପଦ୍ଧତ୍ତିରେ କୌଣସି କୋଠା ନିର୍ମାଣ କରାଯାଇନାହିଁ। ଏହି ପଦ୍ଧତ୍ତି ସମୟସାପେକ୍ଷ। କମ୍‌‌ ସମୟରେ ଦୀର୍ଘସ୍ଥାୟୀ କୋଠା ନିର୍ମାଣ ସମ୍ଭବ। ଆବାସିକ କୋଠା ନିର୍ମାଣ ପାଇଁ ଏହି ନୂତନ ପଦ୍ଧତ୍ତି ଗ୍ରହଣ କରାଯାଇଛି ବୋଲି ଓବିସିସି ପକ୍ଷରୁ କୁହାଯାଇଛି।

ପାରମ୍ପରିକ ଶୈଳୀ କୋଠା ନିର୍ମାଣ ଠାରୁ ‘ମିଭାନ’ ହେଉଛି ଭିନ୍ନ। ଏଥିରେ ବିମ୍‌‌, କଲମ୍‌‌ ଏବଂ ଇଟ୍ଟା ଯୋଡେଇର ଆବଶ୍ୟକତା ନଥାଏ। ଆଲୁମିନିୟମ ଓ ଆରସିସି ବ୍ୟବହାର ଦ୍ୱାରା କାନ୍ଥ ଏବଂ ସ୍ଲାବ ପ୍ରସ୍ତୁତ କରାଯାଏ। ଯାହା ଦ୍ୱାରା ସିଧାସଳଖ ଗୃହ ନିର୍ମାଣ ସମ୍ଭବ, ଯାହା ଶକ୍ତ ଓ ଦୀର୍ଘସ୍ଥାୟୀ ମଧ୍ୟ।

‘୫ ହଜାର ଶଯ୍ୟା ହିଁ ବିଶ୍ୱସ୍ତରୀୟ ପରିଚୟ’
ଆଗାମୀ ଦିନରେ ଏସ୍‌‌ସିବି ମେଡିକାଲ ଏମ୍ସ ପ୍ଲସ ଭାବେ ପରିଗଣିତ ହେବ। ବଡ଼ ମେଡିକାଲକୁ ମିଳିବ ବିଶ୍ୱସ୍ତରୀୟ ପରିଚୟ। କେବଳ କାଗଜ କଲମରେ ନୁହେଁ, ବିଶ୍ୱସ୍ତରୀୟ ପରିଚୟ ପାଇବା ପାଇଁ ସେହିଭଳି ବ୍ୟବସ୍ଥାମାନ ଏଠାରେ କରାଯାଉଛି। ଏଯାବତ୍‌‌ ୫ ହଜାର ଶଯ୍ୟା କୌଣସି ସରକାରୀ ହସ୍ପିଟାଲରେ ନାହିଁ। କୌଣସି ଘରୋଇ ହସ୍ପିଟାଲରେ ମଧ୍ୟ ଏତେ ସଂଖ୍ୟକ ଶଯ୍ୟା ରହିଥିବାର ତଥ୍ୟ ଦେଖିବାକୁ ମିଳୁନି। ହେଲେ ଏସ୍‌‌ସିବି ମେଡିକାଲରେ ରୋଗୀଙ୍କ ପାଇଁ ଉପଲବ୍ଧ କରାଯିବ ୫ ହଜାର ଶଯ୍ୟା। ଏହା ହିଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଓ ଆଭିମୁଖ୍ୟ।

ସମ୍ପ୍ରତି ଏସ୍‌‌ସିବି ମେଡିକାଲରେ ରହିଛି ୨୧୭୦ ସାଧାରଣ ଶଯ୍ୟା। ଯେଉଁ ୪ଟି ନୂତନ କ୍ଲିନିକାଲ କୋଠା ନିର୍ମାଣ ହେଉଛି ସେଠାରେ ୨୦୫୮ଟି ସାଧାରଣ ଶଯ୍ୟା ରହିବ। କ୍ଲିନିକାଲ କୋଠା-୧ରୁ ୪ ମଧ୍ୟରେ ଯଥାକ୍ରମେ ୬୦୦, ୪୯୬, ୪୫୬ ଓ ୫୦୬ଟି ଲେଖାଏଁ ସାଧାରଣ ଶଯ୍ୟା ରଖାଯିବ। ତେବେ କେତେକ ବିଭାଗ ପୁରୁଣା କୋଠାରୁ ସ୍ଥାନାନ୍ତର ହୋଇ ନୂତନ କୋଠାକୁ ଚାଲିଯିବ। ପୁରୁଣା କୋଠାର ଶଯ୍ୟା ଫାଙ୍କା ପଡ଼ିବ, ଯାହାକି ପରବର୍ତ୍ତୀ ସମୟରେ ସ୍ଥାନାନ୍ତରିତ ହେଉ ନ ଥିବା ବିଭାଗଗୁଡ଼ିକୁ ପ୍ରଦାନ କରାଯିବ। ସେହିପରି ନୂତନ କ୍ଲିନିକାଲ କୋଠାରେ ୨୬୬ଟି ଆଇସିୟୁ ଶଯ୍ୟା ଉପଲବ୍ଧ ହେବ। ମିଳିଥିବା ସୂଚନା ମୁତାବକ, ଏବେ ଏସ୍‌‌ସିବିରେ ରହିଛି ୨୧୩ଟି ଆଇସିୟୁ ଶଯ୍ୟା। ସେଣ୍ଟ୍ରାଲ ଆଇସିୟୁରେ ୨୪ଟି, ଭେଷଜ ବିଭାଗ ଅଧୀନରେ ୬୦ଟି, ସିଟିଭିଏସ୍‌‌ରେ ୬ଟି, ନ୍ୟୁରୋସର୍ଜରୀରେ ୧୦ଟି, ଶିଶୁ ରୋଗ ବିଭାଗରେ ୬ଟି, ହୃଦ୍‌‌ରୋଗ ବିଭାଗରେ ୨୦ଟି, ଟ୍ରମା ୟୁନିଟରେ ୧୪ଟି, ପଲମୋନାରୀ ବିଭାଗରେ ୧୫ଟି, ୟୁରୋଲୋଜି ବିଭାଗରେ ୩ଟି, ପଲମୋନାରୀ ମେଡିସିନରେ ୪୧ଟି, ବର୍ଣ୍ଣ ଆଇସିୟୁରେ ୯ଟି, କିଡ୍‌‌ନୀ ଟ୍ରାନ୍ସପ୍ଲାଣ୍ଟ ୟୁନିଟରେ ୫ଟି ଆଇସିୟୁ ଶଯ୍ୟା ଅଛି। ଉକ୍ତ ବିଭାଗଗୁଡ଼ିକ ଭିତରୁ କିଛି ବିଭାଗର ସାଧାରଣ ଶଯ୍ୟା ଓ ଆଇସିୟୁ ଶଯ୍ୟା ନୂତନ କ୍ଲିନିକାଲ କୋଠାକୁ ଚାଲିଯିବ। ସମ୍ପ୍ରସାରଣ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଚାଲିଛି। ଏଣୁ ଦ୍ୱିତୀୟ ପର୍ଯ୍ୟାୟରେ ଏଠାରେ ଶଯ୍ୟା ସଂଖ୍ୟା ୫ହଜାର ଛୁଇଁବା ନିଶ୍ଚିତ ବୋଲି ଏସସିବି କର୍ତ୍ତୃପକ୍ଷ କହିଛନ୍ତି।

ନୂତନ କୋଠାରେ ରେଡ୍‌କ୍ରସ୍‌ ରକ୍ତ ଭଣ୍ଡାର
ଏସ୍‌‌ସିବି ମେଡ଼ିକାଲ ସମ୍ପ୍ରସାରଣ ପ୍ରକଳ୍ପ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି। ଏହି ପରିପ୍ରେକ୍ଷୀରେ ମେଡ଼ିକାଲ ଆଖପାଖ ଅଞ୍ଚଳର ରୂପରେଖ ବଦଳୁଛି। ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାର କାର୍ଯ୍ୟାଳୟ ସ୍ଥାନାନ୍ତରିତ ହେବ ବୋଲି ଜଣାପଡ଼ିଛି। ଏଥି ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି। ପୁରୁଣା ବୋଷ କଲେଜ କ୍ୟାମ୍ପସ ପରିସରରେ ରେଡକ୍ରସର ନୂତନ କୋଠା ନିର୍ମାଣ କରାଯାଇଛି। ୩ ହଜାର ୩୦୦ବର୍ଗଫୁଟ ଅଞ୍ଚଳରେ ଏହି କୋଠା ତିଆରି ହୋଇଛି। ଦୁଇ ମହଲା ବିଶିଷ୍ଟ କେନ୍ଦ୍ରୀୟ ରେଡକ୍ରସର ନୂତନ କୋଠାରେ ଥାଲାସେମିଆ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଡେ କେୟାର ସେଣ୍ଟର ଖୋଲିଛି। ଏତଦବ୍ୟତୀତ ଏଠାକୁ କିଛି ନୂତନ ମେସିନ ଅଣାଯିବା ପାଇଁ ମଧ୍ୟ ଯୋଜନା ରହିଛି। ରେଡକ୍ରସ କାର୍ଯ୍ୟାଳୟର ଅଧିକାରୀଙ୍କ ସୂଚନା ଅନୁସାରେ, ୬୦୦ରୁ ଅଧିକ ଥାଲାସେମିଆ ରୋଗୀ ଏଠାରେ ପଞ୍ଜୀକରଣ କରିଛନ୍ତି। ପ୍ରତ୍ୟେକ ରୋଗୀ ଅତିକମ୍‌‌ରେ ମାସକୁ ୩ଥର ଏଠାକୁ ଆସି ରକ୍ତ ସଂଗ୍ରହ କରୁଛନ୍ତି। ଥାଲାସେମିଆ ରୋଗୀଙ୍କୁ ନିଃଶୁଳ୍କରେ ରକ୍ତ ୟୁନିଟ ପ୍ରଦାନ କରାଯାଉଛି। ଥାଲାସେମିଆ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଏକ ଡେ କେୟାର ୟୁନିଟ ଖୋଲାଯିବ ବୋଲି ସେ ଜଣାଇଛନ୍ତି। ବ୍ଲଡ ଗ୍ରୁପିଂ ପାରମ୍ପରିକ ପଦ୍ଧତ୍ତିରେ କରାଯିବା ବନ୍ଦ ହେଲାଣି। ବ୍ଲଡ ଗ୍ରୁପିଂ ନିମନ୍ତେ ଏକ ଅତ୍ୟାଧୁନିକ ମେସିନ ଅଣାଯିବ। ଯାହା ସମ୍ପୂର୍ଣ୍ଣ ଭାବେ ଅଟୋମେଟିକ। ଗ୍ରୁପିଂ କରିବା ପାଇଁ ଲୋକଙ୍କ ଆବଶ୍ୟକତା ପଡ଼ିବ ନାହିଁ। ସେହିପରି ଗୋଟିଏ ୟୁନିଟ ରକ୍ତରୁ ପ୍ଲାଜମା, ପ୍ଲେଟଲେଟ, ଶ୍ୱେତ ରକ୍ତ କଣିକା ଏବଂ ଲୋହିତ ରକ୍ତ କଣିକା ପୃଥକ କରିବା ପାଇଁ ମଧ୍ୟ ଅତ୍ୟାଧୁନିକ ଆଫେରେସିସ ମେସିନ ଅଣାଯିବ। ରକ୍ତାଭାବ ପ୍ରାୟ ସମୟରେ ଦେଖା ଯାଉଛି। ଏହାକୁ ଦୂର କରିବା ଉଦ୍ଦେଶ୍ୟରେ ନୂତନ ରେଡ୍‌‌କ୍ରସ କୋଠାରେ ରକ୍ତ ଗଚ୍ଛିତ ପାଇଁ ବୃହତ୍‌‌ ଷ୍ଟୋରେଜ ବ୍ୟବସ୍ଥା ହେବ।

କ୍ୟୁରିଂ କମ୍ପାଉଣ୍ଡ ମିଶ୍ରଣ କାନ୍ଥ, ପାଣି ଦେବାକୁ ପଡୁନାହିଁ
କ୍ଲିନିକାଲ କୋଠାଗୁଡ଼ିକର ନିର୍ମାଣ ମଧ୍ୟ ଅତ୍ୟାଧୁନିକ ଶୈଳୀରେ ହେଉଛି। ପ୍ରାୟ ୩ ହଜାର ଶ୍ରମିକ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଓବିସିସିର ଜନୈକ ଯନ୍ତ୍ରୀଙ୍କ କହିବା ଅନୁସାରେ, କାନ୍ଥଗୁଡ଼ିକ କମ୍ପୋଜିଟ୍‌‌ କରାଯାଉଛି। ଆର୍‌‌ସିସି(ରେନ୍‌‌ଫୋର୍ସ ସିମେଣ୍ଟ କଂକ୍ରିଟ୍‌‌) ସହିତ କ୍ୟୁରିଂ କମ୍ପାଉଣ୍ଡ ମିଶ୍ରଣ ହେଉଛି। ଏହା କାନ୍ଥକୁ ଦୀର୍ଘସ୍ଥାୟୀ ଏବଂ ଶକ୍ତ ରଖିବ। ଏହି କାନ୍ଥଗୁଡ଼ିକରେ ପାଣି ଦେବାକୁ ପଡ଼ିବ ନାହିଁ। କମ୍‌‌ ସମୟ ମଧ୍ୟରେ କୋଠା ନିର୍ମାଣର ଏହା ହେଉଛି ନୂତନ ଫର୍ମୁଲା।

ଡାକ୍ତର, କର୍ମଚାରୀଙ୍କ ପାଇଁ ୧୩ କୋଠା
ସମ୍ପ୍ରସାରଣ ପ୍ରକଳ୍ପ ଭିତରେ ବଡ ମେଡିକାଲର ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀ, ଷ୍ଟାଫ ନର୍ସ, ପାରାମେଡିକାଲ ଷ୍ଟାଫ, ଫାର୍ମାସିଷ୍ଟ ଓ ବିଭିନ୍ନ ଶ୍ରେଣୀର କର୍ମଚାରୀଙ୍କ ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି। ସେମାନଙ୍କ ରହଣୀ ନିମନ୍ତେ ନିର୍ମାଣ ଚାଲିଛି ଆବାସିକ କୋଠା। ଏହି କୋଠା ଗୁଡିକ ପୁରୁଣା ବୋଷ କଲେଜ କ୍ୟାମ୍ପସ ପାର୍ଶ୍ବରେ ତିଆରି କରାଯାଉଛି। ନିର୍ମାଣଧିନ ୧୩ଟି ଯାକ କୋଠା ୧୩ ମହଲା ବିଶିଷ୍ଟ ହେବ। ୨୦୨୪ ଜାନୁୟାରୀ ମାସରେ ସମସ୍ତ ଆବାସିକ କୋଠାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଦିନ ଧାର୍ଯ୍ୟ ହୋଇଛି। ୧୩ କୋଠାରୁ ୮ଟି କ୍ୱାର୍ଟର ଏବଂ ୫ଟି ହଷ୍ଟେଲ ଭାବେ ବ୍ୟବହୃତ ହେବ।

ଆବାସିକ କୋଠା ନିର୍ମାଣ ପାଇଁ ୫୦ ଏକର ପରିମିତ ଜାଗା ସ୍ଥିରିକୃତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏହି ସ୍ଥାନ ଅଧିଗ୍ରହଣ କରାଯାଇଛି। ଆବଶ୍ୟକସ୍ଥଳେ ତଥା ଦ୍ୱିତୀୟ ପର୍ଯ୍ୟାୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲେ ଆଉ ଅଧିକ ସ୍ଥାନ ବ୍ୟବହାର ହୋଇପାରେ। ପ୍ରତ୍ୟେକ କୋଠା ‘ବି+ଏସ୍‌‌+୧୨’ ଢ଼ାଞ୍ଚାରେ ନିର୍ମାଣ ହେଉଛି। ‘ବି’ ଅର୍ଥାତ୍‌‌ ବେସ୍‌‌ମେଣ୍ଟ, ଯାହା ପାର୍କିଂ ନିମନ୍ତେ ବ୍ୟବହାର ହେବ। ‘ଏସ୍‌‌’ ଅର୍ଥାତ୍‌‌ ଷ୍ଟିଲ୍‌‌ଡ ଫ୍ଲୋର। ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ନିମନ୍ତେ ଉକ୍ତ ମହଲାକୁ ବ୍ୟବହାର କରାଯାଇ ପାରିବ। ଏହାକୁ ମିଶାଇ ଆଉ ୧୨ ମହଲା କୋଠା ରହିବ। ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ରହଣୀ ନିମନ୍ତେ ଯେଉଁ କୋଠା ନିର୍ମାଣ ହେଉଛି ସେଥିରେ ବିଭିନ୍ନ ଆସବାବପତ୍ର ଯୋଗାଇ ଦିଆଯିବା ସହ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ଆବାସିକ କୋଠା ନିର୍ମାଣର ମୋଟ୍‌‌ ବଜେଟ ହେଉଛି ୮୮୮ କୋଟି ଟଙ୍କା। ନାଗାର୍ଜୁନ କନଷ୍ଟ୍ରକସନ କମ୍ପାନୀ ଲିମିଟେଡକୁ ଏହି କୋଠା ନିର୍ମାଣର ଦାୟିତ୍ୱ ପ୍ରଦାନ କରାଯାଇଛି।

ଏକ ଉଜ୍ଜ୍ୱଳ ଭବିଷ୍ୟତର ଅୟମାରମ୍ଭ
ବଡ଼ ମେଡିକାଲରେ ଜନ୍ମ ଗ୍ରହଣ କରିଥିଲି। ଏଠାରେ ଡାକ୍ତରୀ ପଢ଼଼ା ଶେଷ କରି ଡାକ୍ତର ହେବା ପରେ ଏହିଠାରେ ହିଁ ଅଧୀକ୍ଷକ ଭାବେ ଦାୟିତ୍ୱ ତୁଲାଉଛି। ଏଭଳି ସୌଭାଗ୍ୟଟିଏ ମିଳିଛି। ରୋଗୀଙ୍କ ପାଇଁ ଉତ୍ସର୍ଗୀକୃତ ଜୀବନ ବଞ୍ଚିବାରେ ପ୍ରତ୍ୟେକ ଡାକ୍ତର ଆନନ୍ଦ ପାଆନ୍ତି। ଏସ୍‌‌ସିବିରେ ଏଭଳି ଅନେକ ଡାକ୍ତର ରହିଛନ୍ତି। ରାଜ୍ୟ ସରକାର ଭିତ୍ତିଭୂମିର ଯେଉଁଭଳି ଭାବେ ବିକାଶ କରୁଛନ୍ତି ତାହା ପ୍ରଶଂସନୀୟ। ସୁଦୃଢ଼ ଭିତ୍ତିଭୂମି ଆଗାମୀ ଦିନରେ ସ୍ୱାସ୍ଥ୍ୟସେବାକୁ ବି ଆହୁରି ସୁଦୃଢ଼ କରିବ। ଏକ ଉଜ୍ଜଳମୟ ଭବିଷ୍ୟତର ଏହା ଅୟମାରମ୍ଭ। (ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ଅଧୀକ୍ଷକ)

About The Author: The Sakala