ନୟାଗଡ଼/ରଣପୁର : ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୁଲିସ ଏକ ହତ୍ୟାକାଣ୍ଡ ଘଟଣାର ରହସ୍ୟ ଉନ୍ମୋଚନ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଚାନ୍ଦପୁର ପୁଲିସ ମାମୁଁ ହତ୍ୟା ଅଭିଯୋଗରେ ଭଣଜା ଓ ତାର ସହଯୋଗୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଭଣଜା ହେଲେ ଚାନ୍ଦପୁର ନବ ପ୍ରଧାନ ଓ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନାର ନବର ଶାଳକ ଶିବ ସାହୁ । ଗତ ୮ ତାରିଖରେ ଚାନ୍ଦପୁର ଥାନା ପଟିଆ ଗ୍ରାମ ପଞ୍ଚାୟତ ଗୋଦାସାହି ଜଙ୍ଗଲରୁ ଏକ ଅଜଣା ଶବ ମିଳିଥିଲା । ଚାନ୍ଦପୁର ପୁଲିସ ଶବ ଜବତ କରିବା ସହ ପଞ୍ଚନାମା ପରେ ଶବକୁ ଚିହ୍ନଟ ପାଇଁ ସଂରକ୍ଷିତ ରଖିଥିଲେ । ଚାନ୍ଦପୁର ଥାନା ଅଧିକାରୀ ରଶ୍ମୀ ରଞ୍ଜନ ଦାସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିଲେ ।
ଏକ ସିସିଟିଭି ଫୁଟେଜ୍କୁ ଆଧାର କରି ଏକ ମୋଟର ସାଇକେଲରେ ଅଜଣା ଶବ ଫିଙ୍ଗିଥିବା ଘଟଣା ଜାଣିପାରିଥିଲେ । ଏହି ସୁତ୍ରକୁ ଆଧାର କରି ଜାଣିବାକୁ ପାଇଲେ ଯେ ମୃତକ ହେଉଛନ୍ତି ବ୍ରଜ ବିଶ୍ୱାଳ। ତାଙ୍କ ଘର ବାଲୁଗାଁ ଥାନା ହରିକୁଣ୍ଡବରଡ଼ି ଗ୍ରାମରେ । ସେ ଚାନ୍ଦପୁର ନିଜ ଭଣଜା ନବ ପ୍ରଧାନଙ୍କ ନାମରେ ନିଜର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତି ଲେଖି ଦେଇ ଭଣଜା ପାଖରେ ରହୁଥିଲେ । ମାମୁଁଙ୍କ ଦେହ ଖରାପ ଦେବାରୁ ତାଙ୍କ ପାଇଁ ଭଣଜା ନବ ୬୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ମାମୁଁଙ୍କ ଦେହ ବାରମ୍ବାର ଖରାପ ହେବାରୁ ଅଧିକ ଅର୍ଥ ଖର୍ଚ୍ଚ ଆବଶ୍ୟକ ପଡ଼ିବାରୁ ଖର୍ଚ୍ଚ କରିନପାରି ମାମୁଁଙ୍କୁ ହତ୍ୟା କରିବା ପାଇଁ ନିଷ୍ପତି ନେଇଥିଲା । ନିଜ ଶାଳକ ଶିବ ସାହୁ ସହ ଷଡ଼ଯନ୍ତ୍ର କରି ଏକ ମଟର ସାଇକେଲରେ ବସାଇ ଶଳା ସହଯୋଗରେ ପଟିଆ ଅଞ୍ଚଳକୁ ନେଇଥିଲା । ସେଠାରେ ମଦରେ ବିଶାକ୍ତ କିଟନାଶକ ଔଷଧ ମିଶାଇ ମାମୁଁକୁ ପିଆଇ ଦେଇଥିଲା ।
ମାମୁଁଙ୍କ ମୁତ୍ୟୁ ପରେ ହତ୍ୟାକାଣ୍ଡକୁ ଛପେଇ ଦବା ଉଦ୍ୟେଶରେ ଶବକୁ ଜଙ୍ଗଲରେ ଫିଙ୍ଗି ଦେଇ ଚାଲି ଆସିଥିଲା । ପୁଲିସ ବିଶ ଶିଶିକୁ ଜବତ କରିବା ସହ ବ୍ୟବହାର କରିଥିବା ମଟର ସାଇକେଲକୁ ଜବତ କରିଥିବା ଜଣାପଡିଛି । ବ୍ରଜ ବିଶ୍ୱାଳର ଶବକୁ ତା ଭାଇମାନେ ଗ୍ରହଣ କରିବାକୁ ମନା କରିବାରୁ ପୁଲିସ ଶବ ସଂସ୍କାର କରିଛି । ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ପରେ ଜାମିନ୍ ନା ମଞ୍ଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଶ୍ରୀଯୁକ୍ତ ଦାଶ ସୂଚନା ଦେଇଛନ୍ତି ।