ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଉତ୍କର୍ଷ ହାସଲ ସହ ଜାତୀୟ ଓ ଅର୍ନ୍ତଜାତୀୟ କ୍ଷେତ୍ରରେ ପ୍ରଶଂସିତ ହେଉଛି। ମାତ୍ର ରାଜ୍ୟ ପାଇଁ ଘର ଭିତରେ ବିରୋଧୀ ବଇରୀ ସାଜିଥିବାବେଳେ ପଡ଼ୋଶୀ ଶିରପୀଡ଼ାର କାରଣ ହୋଇଛନ୍ତି। ଓଡ଼ିଶାର ୧୪ ଜିଲ୍ଲାର ୯୬ ରାଜସ୍ୱ ଗ୍ରାମ, ୧୪ଟି ପଡ଼ା ଉପରେ ପଡ଼ୋଶୀ ଆଖି ପକାଇଛନ୍ତି। ଆନ୍ଧ୍ର ପ୍ରଦେଶ, ଛତିଶଗଡ଼଼, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ବିଭିନ୍ନ ସମୟରେ ଏବଂ ବିଭିନ୍ନ କୌଶଳରେ ଓଡ଼ିଶାକୁ ସୀମା ବିବାଦ ଭିତରକୁ ଟାଣୁଛନ୍ତି। ସଂଘୀୟ ବ୍ୟବସ୍ଥା ଓ ଡବଲ୍ ଇଞ୍ଜିନ୍ ଦ୍ୱାହି ଦେଉଥିବା କେନ୍ଦ୍ର ସରକାର କିନ୍ତୁ ସମ୍ପୂର୍ଣ୍ଣ ବେଫିକର। ଅନ୍ୟପକ୍ଷରେ ନିଜସ୍ତରରେ ସୀମା ବିବାଦ ସମାଧାନ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇ ଚୁପ୍ ବସିଛି କେନ୍ଦ୍ର।
ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦ କିଛି ନୂଆ ନୁହେଁ। ୧୯୩୬ ମସିହାରୁ ଓଡ଼ିଶା ସହିତ ପଡ଼ୋଶୀ ରାଜ୍ୟ ସୀମା ବିବାଦ ସୃଷ୍ଟି କରୁଛନ୍ତି। ଉପରୋକ୍ତ ରାଜ୍ୟ ବ୍ୟତୀତ ବିହାର ସହିତ ମଧ୍ୟ ସୀମା ବିବାଦ ରହିଥିଲା। ସମ୍ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସବୁ ମୁଖ୍ୟମନ୍ତ୍ରୀଙ୍କ ଅତି ଉତ୍ତମ ସମ୍ପର୍କ ରହିଛି। ପଡ଼ୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନବୀନଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇବା ଠାରୁ ଆରମ୍ଭ କରି ଜାତୀୟ ସ୍ତରରେ ବିଭିନ୍ନ ପ୍ରସଙ୍ଗରେ ଶ୍ରୀ ପଟ୍ଟନାୟକଙ୍କୁ ସମର୍ଥନ କରୁଛନ୍ତି। ମାତ୍ର ସୀମା ବିବାଦ ପ୍ରସଙ୍ଗରେ ଏହି ରାଜ୍ୟଗୁଡ଼ିକ ଭିନ୍ନ ନୀତି ଆପଣେଉଛନ୍ତି। କିଏ ପାଚେରୀ ନିର୍ମାଣ କଲାଣି ତ ଆଉ କିଏ ଓଡ଼ିଶା ମଧ୍ୟରେ ପଞ୍ଚାୟତ ନିର୍ବାଚନ କଲାଣି। ଏପଟେ ରାଜ୍ୟରେ ଅନେକ ପ୍ରସଙ୍ଗକୁ ନେଇ ସରକାର କାମ କରୁଥିବା ବେଳେ ଅଯଥାରେ ସୃଷ୍ଟି ହେଉଥିବା ସୀମା ବିବାଦ ପାଇଁ ବିକାଶଧାରା ପ୍ରଭାବିତ ହେଉଛି। ଆନ୍ଧ୍ର ପ୍ରଦେଶ ସହ ଓଡ଼ିଶାର କୋରାପୁଟ ଜିଲ୍ଲା ଅନ୍ତର୍ଗତ ୩୦ ଗ୍ରାମ, ଗଞ୍ଜାମରେ ୨୦ ଗ୍ରାମ, ଗଜପତିରେ ୧୫ ଗ୍ରାମ, ରାୟଗଡ଼଼ାରେ ୫ ଗ୍ରାମକୁ ନେଇ ସୀମା ବିବାଦ ଲାଗି ରହିଛି। ଗଜପତି ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା। ଏପରିକି ଆନ୍ଧ୍ର ମନ୍ତ୍ରୀ ଗଜପତିରେ ପ୍ରବେଶ କରି ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ଧମକାଇବାକୁ ପଛାଉ ନାହାନ୍ତି। ସେହିପରି ବାଲେଶ୍ୱର ଜିଲ୍ଲା ଉଦୟପୁରରେ ଓଡ଼ିଶା ବେଳାଭୂମିରେ ପଶ୍ଚିମବଙ୍ଗ ସରକାର ଯୋର ଜବରଦସ୍ତ ପାଚେରୀ ନିର୍ମାଣ କରିବା ନୂଆ ଆଲୋଡ଼ନ ସୃଷ୍ଟି କରିଥିଲା। ଅବଶ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ବାଲେଶ୍ୱର ଓ ମୟୂରଭଞ୍ଜର ୧୫ ଗ୍ରାମକୁ ନେଇ ବିବାଦ ରହିଛି। ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼଼ ଜିଲ୍ଲା ଉପରେ ଝାରଖଣ୍ଡ ସରକାରଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ନବରଙ୍ଗପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଛତିଶଗଡ଼଼ ଅବାଧ ପ୍ରବେଶ କରୁଥିବା ଅଭିଯୋଗ ହେଉଛି। କିଛି ରାଜ୍ୟରେ ଓଡ଼ିଶା ଭାଷା ବିରୋଧୀ କାର୍ଯ୍ୟ ହେଉଥିବା ଅଭିଯୋଗ ଆସୁଛି।
ସୀମାନ୍ତ ଅଞ୍ଚଳରେ ଯଦି ଓଡ଼ିଶାବାସୀ ପଡ଼ୋଶୀ ରାଜ୍ୟର ବେଆଇନ୍ କାର୍ଯ୍ୟକୁ ବିରୋଧ କରୁଛନ୍ତି ତେବେ ତାଙ୍କ ନାମରେ ସେଠାକାର ସରକାର ଥାନାରେ ମାମଲା ରୁଜୁ କରୁଥିବା ଦେଖାଯାଇଛି। ଏସବୁ ରାଜ୍ୟରେ ଆଞ୍ଚଳିକ ଦଳ ଥିବା ବେଳେ ଓଡ଼ିଶାରେ ମଧ୍ୟ ଏକ ଆଞ୍ଚଳିକ ଦଳ ଶାସନ କରୁଛି। କିନ୍ତୁ ଓଡ଼ିଶାରେ ସ୍ଥାୟୀ ସରକାର ଥିବା ବେଳେ ପଡ଼ୋଶୀ ରାଜ୍ୟରେ ଅସ୍ଥିରତା ଲାଗି ରହୁଛି। ଓଡ଼ିଶା ସହ ବିବାଦ ସୃଷ୍ଟି କରି ନିଜ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଉଦ୍ୟମରେ ଅଛନ୍ତି ବୋଲି ତଥ୍ୟାଭିଜ୍ଞ ମହଲରେ ମତପ୍ରକାଶ ପାଇଛି। ଏପରିସ୍ଥଳେ ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ତୁରନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ପରିସ୍ଥିତିର ଅନୁଧ୍ୟାନ ପରେ ଏକ ରିପୋର୍ଟ ପ୍ରକାଶ କରିବା ଆବଶ୍ୟକ। ଏହା ଆଧାରରେ ଆଇନଗତ ପଦକ୍ଷେପ ନିଆଯାଇ ପାରିବ ବୋଲି କୁହାଯାଇଛି।
ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଛନ୍ତି, ସୀମା ବିବାଦକୁ ନେଇ ଓଡ଼ିଶା ଦୀର୍ଘ ଦିନ ହେଲା ସମସ୍ୟା ଭୋଗୁଛି। ଏପରିସ୍ଥଳେ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ପ୍ରତିପକ୍ଷ ସରକାରଙ୍କ ସହ ଆଲୋଚନା କରିବା ଆବଶ୍ୟକ। ସେହିପରି ଏକ ବିଶେଷଜ୍ଞ କମିଟି ଗଠନ କରାଯାଇ ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ନେବା ଆବଶ୍ୟକ। କେନ୍ଦ୍ର କିମ୍ବା ଅନ୍ୟ ରାଜ୍ୟ ସରକାର ସହଯୋଗ କରନ୍ତୁ ଅବା ନ କରନ୍ତୁ ଓଡ଼ିଶା ସରକାର ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା କହିଛନ୍ତି, ନିଜ ଫାଇଦା ପାଇଁ ପଡ଼ୋଶୀ ରାଜ୍ୟ ସରକାର ଓଡ଼ିଶା ସହ ବିବାଦ ସୃଷ୍ଟି କରୁଛନ୍ତି। ଏଥିରେ ସେମାନଙ୍କର କିଛି ବଡ଼ ଉପଲବ୍ଧି ହେବ ନାହିଁ, କିନ୍ତୁ ହଟଚମଟ ସୃଷ୍ଟି ପାଇଁ ସେମାନେ ନିଜ ଅଧିକାରୀଙ୍କ ଜରିଆରେ ଏପରି କରୁଛନ୍ତି। ଏହି ମାମଲାରେ ସବୁବେଳେ ସଂଘୀୟ ବ୍ୟବସ୍ଥାର ଦ୍ୱାହି ଦେଉଥିବା କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରିବା ଆବଶ୍ୟକ। ସୁପ୍ରିମ୍ କୋର୍ଟ ମଧ୍ୟ ଆପୋଷ ଆଲୋଚନା ଜରିଆରେ ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି ବୋଲି ଶ୍ରୀ ବେହେରା କହିଛନ୍ତି। ଭୁବନେଶ୍ୱର ଆଇଆଇଟି ପ୍ରଫେସର ୟୁସି ମହାନ୍ତି କହିଛନ୍ତି ଯେ ତାମିଲନାଡ଼ୁ ଓ କର୍ଣ୍ଣାଟକ ମଧ୍ୟରେ ଜଳ ବିବାଦ ଦୀର୍ଘ ଦିନ ହେଲା ଲାଗି ରହିଥିବାରୁ ଏବେ ତାହା ଉଗ୍ରରୂପ ଧାରଣ କଲାଣି। ତେଣୁ ସୀମା ବିବାଦକୁ ନେଇ ଓଡ଼ିଶା ସରକାର ତୁରନ୍ତ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ। କେନ୍ଦ୍ର ସରକାର ଅବହେଳା କରୁଛନ୍ତି, ତେଣୁ ରାଜ୍ୟ ସରକାର ନିଜ ସ୍ତରରେ ଏଥିପାଇଁ ଉଦ୍ୟମ କରି ସ୍ଥାୟୀ ସମାଧାନ ପନ୍ଥା ନିର୍ଦ୍ଧାରଣ କରିବା ଜରୁରୀ।