ଭୁବନେଶ୍ୱର: ଭୟଙ୍କର ସାମୁଦ୍ରିକ ଝଡ଼ ‘ଅକୱାନ’ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେଉଥିବା ବେଳେ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିଛି ବିଜୁ ଜନତା ଦଳ । ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ଦଳର ୭ ଜଣ ବରିଷ୍ଠ ନେତାଙ୍କୁ ପ୍ରଭାବିତ ହେବାକୁ ଥିବା ୭ଟି ପ୍ରମୁଖ ଜିଲ୍ଲାରେ ବାତ୍ୟା ପ୍ରସ୍ତୁତି, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ ପାଇଁ ନିୟୋଜିତ କରିଛନ୍ତି।
ଦଳୀୟ ନିର୍ଦ୍ଦେଶନାମା ଅନୁଯାୟୀ, ବାତ୍ୟା ସମୟରେ ଜନସାଧାରଣଙ୍କୁ ସହାୟତା ଯୋଗାଇବା ଓ ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବା ପାଇଁ ନିମ୍ନଲିଖିତ ନେତାମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି:
ପ୍ରତାପ ଜେନା — ଗଞ୍ଜାମ
ନିରଞ୍ଜନ ପୂଜାରୀ — ଗଜପତି
ଦେବୀ ପ୍ରସାଦ ମିଶ୍ର — ପୁରୀ
ପଦ୍ମନାଭ ବେହେରା — କନ୍ଧମାଳ
ପ୍ରଦୀପ ଅମାତ — କେନ୍ଦ୍ରାପଡ଼ା
ଅରୁଣ କୁମାର ସାହୁ — ଜଗତସିଂହପୁର
ସୁଦାମ ମାର୍ଣ୍ଡି — ବାଲେଶ୍ୱର
ଏହି ନେତାମାନେ ତୁରନ୍ତ ସଂପୃକ୍ତ ଜିଲ୍ଲା ଗସ୍ତ କରି ସ୍ଥାନୀୟ ବିଜେଡି କର୍ମକର୍ତ୍ତାଙ୍କ ସହ ମିଶି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପୂର୍ବରୁ ସଭାପତି ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସଜାଗ ରହିବାକୁ ଏବଂ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ନିବେଦନ କରିଥିଲେ। ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ସମ୍ଭାବ୍ୟ କ୍ଷୟକ୍ଷତିକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ପୂର୍ବରୁ ବାତ୍ୟା 'ଅର୍ଣ୍ଣବ' ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଓ ଗଜପତି ପରି ଜିଲ୍ଲା ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବାରୁ ଏଥର ଅଧିକ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି।
ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ‘ଅକୱାନ’ ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର ନରସାପୁର ଓ ଓଡ଼ିଶାର ପୁରୀ ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦-୧୦୦ କିଲୋମିଟର ଏବଂ ସର୍ବାଧିକ ୧୧୦ କିଲୋମିଟର ରହିପାରେ। ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ସରକାର ସ୍ଥାନାନ୍ତର ପ୍ରକ୍ରିୟା ଓ ସ୍କୁଲ ଛୁଟି ଘୋଷଣା କରିସାରିଛନ୍ତି।