ନନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକସଦର ମେଣ୍ଟ୍ରି ପଞ୍ଚାୟତରେ ଆଧାର କାର୍ଡ ନଥିବାରୁ ତିନି ଜଣଙ୍କ ପେନସନ ବନ୍ଦ ହୋଇଯାଇଥିବା ନେଇ ଖବର ‘ସକାଳ’ ଖବରକାଗଜରେ ପ୍ରକାଶ ପରେ ହିତାଧିକାରୀଙ୍କ ନିକଟରେ ରବିବାର ପହଞ୍ଚିଛନ୍ତି ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) କ୍ଷୀରୋଦ ଚନ୍ଦ୍ର ସାହୁ । ସେ ଘଟଣାର ଅନୁଧ୍ୟାନ କରିବା ସହ ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବା ସହ ପୁନଃ ପେନ୍ସନ୍ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ବିଡିଓ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସଦର ମେଣ୍ଟ୍ରି ପଞ୍ଚାୟତସଦର ଗ୍ରାମରେ ଥିବା କମଳା ବିଷୋୟୀ(୭୦)ଙ୍କ ଆଖିକୁ ଦେଖାଯାଉ ନଥିବା ବେଳେ ସେ ଚାଲି ମଧ୍ୟ ପାରୁ ନାହାଁନ୍ତି ।
ସେହିପରି ଯମୁନା ସାହୁ (୧୮) ଏବଂ କୁନ୍ତୀ ସାହୁ (୧୬) ଜନ୍ମରୁ ବିକଳାଙ୍ଗ ହୋଇ ରହିଛନ୍ତି । ସେମାନଙ୍କୁ ଆଗରୁ ପେନ୍ସନ୍ ମିଳୁଥିଲା । କିନ୍ତୁ ଆଧାର କାର୍ଡ ନଥିବାରୁ ସ୍ଥାନୀୟ ପିଇଓ ପେନ୍ସନ ଦେବାପାଇଁ ମନା କରିଥିଲେ । ଆଧାର କାର୍ଡ କରିବା ପାଇଁ ବିଭିନ୍ନ ସ୍ଥାନକୁ ଯାଇଥିଲେ ମଧ୍ୟ ହାତ ଓ ଆଖି ଆସୁ ନଥିବାରୁ ସେମାନଙ୍କର ଆଧାର କାର୍ଡ ହୋଇପାରୁ ନଥିଲା । ସେମାନଙ୍କର ଅନ୍ନପୂର୍ଣ୍ଣା ଯୋଜନା ମଧ୍ୟ କଟି ଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । ପରିବାର ଲୋକେ ଏହାର ସମାଧାନ କରି ପେନସନ ଦେବାର ବ୍ୟବସ୍ଥା କରିବା ପାଇଁ ପ୍ରଶାସନ ପାଖରେ ଅନୁରୋଧ କରିଥିଲେ । ଏନେଇ ଖବର ‘ସକାଳ’ ଖବର କାଗଜରେ ପ୍ରସାରିତ ହେବା ପରେ ରବିବାର ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ ମେଣ୍ଟ୍ରି ପଞ୍ଚାୟତ ସଦରଗ୍ରାମର କମଳା ବିଷୋୟୀ, ଯମୁନା ସାହୁ ଓ କୁନ୍ତୀ ସାହୁଙ୍କ ଘରେ ପହଞ୍ଚି ସମସ୍ତ ବିଷୟବସ୍ତୁ ଆଲୋଚନା କରିଥିଲେ । ଆସନ୍ତା ୩୦ ତାରିଖ ସୁଦ୍ଧା ସେମାନଙ୍କ ଆଧାର କାର୍ଡ ଓ ଭତ୍ତା କରାଇ ଦେବା ପାଇଁ ବ୍ଲକ କର୍ମଚାରୀଙ୍କୁ ବିଡିଓ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।