ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ପୌର ନିର୍ବାଚନର ମତ ଗଣନା। ଏହାର ପ୍ରାରମ୍ଭିକ ଟ୍ରେଣ୍ଡରୁ ଜଣାପଡ଼ୁଛି ଯେ ଗତ ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ବି ବିଜେଡି ଆଗରେ ରହିଛି। ସକାଳ ୧୧ଟା ସୁଦ୍ଧା ମିଳିଥିବା ଟ୍ରେଣ୍ଡ ମୁତାବକ କାଉନସିଲର ଓ କର୍ପୋରେଟର ଆସନରେ ମଧ୍ୟ ବିଜେଡି ଯଥେଷ୍ଟ ଆଗରେ ରହିଥିବାବେଳେ ବିରୋଧୀ ପଛରେ ପଡ଼ିଛନ୍ତି । ବର୍ତ୍ତମାନ ସୂଚନା ଅନୁଯାୟୀ, କର୍ପୋରେଟରରେ ବିଜେଡି ୧୦୦୯, ବିଜେପି ୨୩୯, କଂଗ୍ରେସ ୧୦୭, ସ୍ୱାଧୀନ ୮୩ଏବଂ ଅନ୍ୟାନ୍ୟ ଗୋଟିଏ ପଦରେ ଆଗୁଆ । ମେୟରରେ ବିଜେଡି ୭୩, ବିଜେପି ୧୭, କଂଗ୍ରେସ ୮, ସ୍ୱାଧୀନ ୮ ରେ ଆଗୁଆ ।
ସକାଳ ୮ଟାରୁ ପୌର ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି। ପୌର ନିର୍ବାଚନରେ କାଉନସିଲର/କର୍ପୋରେଟର, ପୌରାଧ୍ୟକ୍ଷ/ମେୟର ପଦବି ପାଇଁ ୨୪ ତାରିଖରେ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ସକାଳ୮ଟାରୁ ଭୋଟ୍ ଗଣତି ଜାରି ରହିଥିବା ଜଣାଯାଇଛି। ଇଭିଏମରେ ମତଦାନ ହୋଇଥିବାରୁ ଅପରାହ୍ନ ସୁଦ୍ଧା କେଉଁ ପ୍ରାର୍ଥୀ ବିଜୟ ମୁକୁଟ ପିନ୍ଧିବେ ତାହା ଜଣାପଡ଼ିଯିବ।
ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗଣତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ପ୍ରତି ଏନଏସିରେ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ୨ଟି ଲେଖାଏଁ ଟେବୁଲ ରହିଛି । ମ୍ୟୁନିସିପାଲିଟିରେ କର୍ପୋରେଟର ଓ ଅଧ୍ୟକ୍ଷ ପଦ ପାଇଁ ୫ଟି ଲେଖାଏଁ ଟେବୁଲରେ ଗଣତି ହେଉଛି । ମହାନଗର ନିଗମରେ କର୍ପୋରେଟର ଓ ମେୟର ପ୍ରାର୍ଥୀଙ୍କ ଭୋଟ ଗଣତି ପାଇଁ ୧୨ଟି ଲେଖାଏଁ ଟେବୁଲରେ ଭୋଟ୍ ଗଣତି ଚାଲିଛି ।
ପ୍ରତି ଟେବୁଲରେ ଜଣେ କାଉଁଟିଂ ଅଫିସର, ଜଣେ କାଉଁଟିଂ ଆସିଷ୍ଟାଂଟ ଓ ସହାୟତା କରିବାକୁ ଜଣେ ଗ୍ରୁପ-ଡି କର୍ମଚାରୀ ନିୟୋଜିତ ଅଛନ୍ତି । କାଉନସିଲର ଓ କର୍ପୋରେଟର ଭୋଟ ଗଣତି ପାଇଁ ପ୍ରତି ୱାର୍ଡରେ ଜଣେ ଲେଖାଏଁ ଏଜେଂଟ ମଧ୍ୟ ରହିଛନ୍ତି । ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ କାହାକୁ ଭୋଟ ଦେଇଛନ୍ତି ସହରୀ ଭୋଟର । ଫଳାଫଳ ଆସିବା ପୂର୍ବରୁ ହାତ ଟେକି ଦେଇଛନ୍ତି ବିରୋଧୀ ।