ପୌର ଫଳାଫଳକୁ ପ୍ରଭାବିତ କରିବ ପଞ୍ଚାୟତ ମତ : ସବୁ ପୌରପାଳିକାରେ ବିଜୟ ଲାଗି ବିଜେଡିର ପ୍ରସ୍ତୁତି

ଭୁବନେଶ୍ୱର : ବୁଧବାରଠାରୁ ରାଜ୍ୟର ୧୦୬ ପୌରପାଳିକା ଏବଂ ୩ ମହାନଗର ନିଗମ ପାଇଁ ନାମାଙ୍କନ ପ୍ରକ୍ରିୟା ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ତେବେ ରାଜ୍ୟର ୩ ପ୍ରମୁଖ ଦଳ ନିଜ ନିଜର ଦ୍ରଲ ପ୍ରାର୍ଥୀ ତାଲିକାକୁ ନେଇ ଅଙ୍କ କଷିବାରେ ବ୍ୟସ୍ତ ଥିବାବେଳେ ଆଉ ଦିନେ ଦୁଇଦିନ ମଧ୍ୟରେ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ ପାଇବ। ତେବେ ପଞ୍ଚାୟତ ଲଢ଼େଇରେ ଐତିହାସିକ ବିଜୟ ପାଇବା ପରେ ବିଜେଡି ଶିବିରରେ ପୌର ଲଢ଼େଇକୁ ନେଇ ପ୍ରବଳ ଉତ୍ସାହ ଦେଖାଦେଇଥିବା […]

ଭୁବନେଶ୍ୱର : ବୁଧବାରଠାରୁ ରାଜ୍ୟର ୧୦୬ ପୌରପାଳିକା ଏବଂ ୩ ମହାନଗର ନିଗମ ପାଇଁ ନାମାଙ୍କନ ପ୍ରକ୍ରିୟା ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ତେବେ ରାଜ୍ୟର ୩ ପ୍ରମୁଖ ଦଳ ନିଜ ନିଜର ଦ୍ରଲ ପ୍ରାର୍ଥୀ ତାଲିକାକୁ ନେଇ ଅଙ୍କ କଷିବାରେ ବ୍ୟସ୍ତ ଥିବାବେଳେ ଆଉ ଦିନେ ଦୁଇଦିନ ମଧ୍ୟରେ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ ପାଇବ। ତେବେ ପଞ୍ଚାୟତ ଲଢ଼େଇରେ ଐତିହାସିକ ବିଜୟ ପାଇବା ପରେ ବିଜେଡି ଶିବିରରେ ପୌର ଲଢ଼େଇକୁ ନେଇ ପ୍ରବଳ ଉତ୍ସାହ ଦେଖାଦେଇଥିବା ବେଳେ ବିରୋଧୀ ଶିବିର ଚିନ୍ତାରେ ପଡ଼ିଛନ୍ତି। ପଞ୍ଚାୟତରେ ଦଳର ବିପର୍ଯ୍ୟୟ ପରେ ପୌର ଲଢ଼େଇରେ ଭୋଟର ସେମାନଙ୍କ ଉପରେ ଭରଷିବେ କି ନାହିଁ ତାହାକୁ ନେଇ ଚିନ୍ତା ଘାରିଲାଣି। କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ଦଳର ଅବସ୍ଥା ସମାନ ରହିବ ବୋଲି ଅନୁମାନ କରିଥିବା ବେଳେ ସଂଗଠିତ ଭାବେ ପୂରା ଜୋର୍‍ରେ ଦଳ ନ ଲଢ଼ିଲେ ବିଜେଡିର ଜିତାପଟ୍‍ ହେବ ବୋଲି କହିଛନ୍ତି।

ସେହିପରି ବିଜେପି ପୌର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ନେଇ କହୁଥିଲେ ହେଁ ଦଳ ମଧ୍ୟରେ ସେପରି ଆତ୍ମବିଶ୍ୱାସ କିନ୍ତୁ ପରିଲିକ୍ଷିତ ହେଉନାହିଁ। ଦୁଇ ବିରୋଧୀଙ୍କ ମଧ୍ୟରେ ନିର୍ବାଚନକୁ ନେଇ ଆତ୍ମବିଶ୍ୱାସର ଅଭାବ ବିଜେଡିକୁ ପରୋକ୍ଷରେ ସାହାଯ୍ୟ କରିବ।ପଞ୍ଚାୟତ ପରି ପୌରରେ ମଧ୍ୟ ବିଜେଡି ବିପୁଳ ବିଜୟ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

୨୦୧୩-୧୪ରେ ଶେଷଥର ପାଇଁ ପୌର ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ସେତେବେଳେ ବିଜେଡି ସମସ୍ତ ୩ ମହାନଗର ନିଗମ ସହ ୮୦ ପୌରପାଳିକା ଦଖଲ କରିଥିଲା। ତେବେ ଚଳିତ ପୌର ନିର୍ବାଚନରେ ଦଳ ପକ୍ଷରୁ ରାଜ୍ୟର ସମସ୍ତ ୧୦୬ ପୌର ପାଳିକାକୁ ହାତେଇବା ପାଇଁ ଯୋର୍‍ଦାର ଉଦ୍ୟମ ଚାଲିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି, ରାଜ୍ୟ ସରକାରଙ୍କ ଜନମଙ୍ଗଳକାରୀ ଯୋଜନା, ଦୁର୍ନୀତି ବିରୋଧୀ ଅଭିଯାନ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଆଖିଦୃଶିଆ ରୂପାନ୍ତରଣ ତଥା ରାଜ୍ୟର ସାମଗ୍ରିକ ଉନ୍ନତି ବିଜେଡିକୁ ବିପୁଳ ବିଜୟ ଦେବ ବୋଲି ଦଳୀୟ ନେତାଏ ଯୁକ୍ତି ବାଢ଼ୁଛନ୍ତି। ବିଶେଷକରି ପଞ୍ଚାୟତ ନିର୍ବାଚନରେ ୭୬୬ ଜିଲ୍ଲା ପରିଷଦ ଆସନ, ସମସ୍ତ ୩୦ ଜିଲ୍ଲା ପରିଷଦକୁ ଦଖଲ କରିବା ପରେ ବିଜେଡିର ଆତ୍ମବିଶ୍ୱାସ ଦ୍ୱିଗୁଣିତ ହୋଇଯାଇଛି। ନବୀନଙ୍କ ବିକାଶ ଉପରେ ଯେପରି ଗ୍ରାମାଞ୍ଚଳର ଭୋଟର ବିଶ୍ୱାସ ରଖି ଆଶୀର୍ବାଦ ଅଜାଡ଼ି ଦେଇଛନ୍ତି ସେପରି ଭାବେ ପୌର ନିର୍ବାଚନରେ ଦଳକୁ ଐତିହାସିକ ସଫଳତା ମିଳିବ ବୋଲି ବିଜେଡିର ନେତାମାନେ ପ୍ରକାଶ କରିଛନ୍ତି। ଶାସକ ଦଳର ନେତା, କର୍ମୀଙ୍କ ଏପରି ଯୁକ୍ତି ପଛରେ ଦମ୍‍ ରହିଥିବା ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ପଞ୍ଚାୟତ ନିର୍ବାଚନରେ ବିପୁଳ ବିଜୟ ପରେ ଅନୁଗୁଳ, ଢେଙ୍କାନାଳଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଅଞ୍ଚଳର ବିରୋଧୀ ନେତା ସେମାନଙ୍କ ଦଳ ଛାଡ଼ି ବିଜେଡିରେ ମିଶୁଛନ୍ତି। ଯାହା ବିପରୀତ ପରିସ୍ଥିତି ଦେଇ ଗତି କରୁଥିବା ବିରୋଧୀ ଦଳଙ୍କ ପାଇଁ ଆହୁରି ନିରାଶା ଆଣିଦେଉଛି।

ଅନ୍ୟପଟରେ ଶାସକ ବିଜେଡି ପଞ୍ଚାୟତ ପରି ପୌରରେ ମଧ୍ୟ ମାଇକ୍ରୋ ମ୍ୟାନେଜମେଣ୍ଟ ଉପରେ ଗୁରୁତ୍ୱ ଦେଉଛି। ପୌର ପାଇଁ ଶାସକ ଦଳ ବହୁ ଆଗରୁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ବିରୋଧୀ ଶିବିରରେ ସେମିତି କିଛି ରଣନୀତି ବର୍ତ୍ତମାନ ପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ। ପୁନଶ୍ଚ ପଞ୍ଚାୟତରେ ବିଜେଡିର ରେକର୍ଡ ସଂଖ୍ୟାରେ ବିଜୟ ପୌରାଞ୍ଚଳରେ ରହୁଥିବା ଭୋଟରଙ୍କ ମନୋଭାବ ଉପରେ ଅନୁକୂଳ ପ୍ରଭାବ ପକାଇବା ନିଶ୍ଚିତ। ଏହାବ୍ୟତୀତ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳ ଯୋଜନା ଏବଂ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ମଧ୍ୟ ବିଜେଡି ପାଇଁ ବିଜୟ ପଥକୁ ଅତ୍ୟନ୍ତ ସୁଗମ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏପରିସ୍ଥଳେ ଯଦି ବିଜେଡି ୯୦ରୁ ଅଧିକ ପୌରପାଳିକା ଦଖଲ କରେ ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

About The Author: The Sakala