ମୁମ୍ବାଇ ଓ ଦିଲ୍ଲୀ ସବୁଠୁ ମହଙ୍ଗା ସହର, ମଧ୍ୟବିତ୍ତଙ୍କୁ ସୁହାଉଛି ଭୁବନେଶ୍ବର

ନୂଆଦିଲ୍ଲୀ: ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ ଅପହଞ୍ଚ ହେଲାଣି ଦିଲ୍ଲୀ ଓ ମୁମ୍ବାଇ ଭଳି ମେଟ୍ରୋ ସହର । ଏହିସବୁ ସହରରେ ଜୀବନଧାରଣ ଖର୍ଚ୍ଚ (କଷ୍ଟ ଅଫ୍ ଲିଭିଂ) ବଢ଼ି ବଢ଼ି ଚାଲିଛି । ଦେଶର ବିଭିନ୍ନ ସହରରେ ‘ନୁମ୍ବେଓ’ ନାମକ ଏକ ସଂସ୍ଥା ସର୍ଭେ କରି ଯେଉଁ ତଥ୍ୟ ଦେଇଛି, ସେଥିରୁ ଜଣାପଡ଼ୁଛି ଯେ ବିଭିନ୍ନ ସହରରେ ଜୀବନଧାରଣ ଖର୍ଚ୍ଚ ଅଲଗା ଅଲଗା ରହିଛି ।  ତେବେ ବଡ଼ ବଡ଼ ମେଟ୍ରୋ ସହର ମହଙ୍ଗା ହେବାକୁ ଲାଗିଛି । ଅନ୍ୟପକ୍ଷରେ ଜୀବନଧାରଣ ଖର୍ଚ୍ଚ ଦୃଷ୍ଟିରୁ କୋଲକତା, ଚେନ୍ନାଇ ଏବଂ ଭୁବନେଶ୍ବର ମଧ୍ୟବିତ୍ତ ଓ ଗରିବଙ୍କ ପାଇଁ ବାସୋପଯୋଗୀ ବୋଲି କୁହାଯାଇଛି । ଦେଶରେ ହାରାହାରି ଜଣେ ବ୍ୟକ୍ତିର ମାସିକ ଖର୍ଚ୍ଚ ୨୭ ହଜାର ୩୦୦ ଟଙ୍କା ରହିଥିବା ବେଳେ ୪ ଜଣିଆ ପରିବାରର ମାସିକ ଖର୍ଚ୍ଚ ୯୮ ହଜାର ଟଙ୍କା ରହିଛି । ଏଥିରେ ଘରଭଡ଼ା ସାମିଲ କରାଯାଇ ନାହିଁ । ଏଥିରେ କେବଳ ଖାଇବା, ଯିବାଆସିବା, ମଉଜମସ୍ତି ଏବଂ ଆଉ କିଛି ଅତ୍ୟାବଶ୍ୟକ ଖର୍ଚ୍ଚ ରହିଛି । ଏଥିରେ ଘରଭଡ଼ା ଯୋଡ଼ିଲେ ଏହି ଖର୍ଚ୍ଚ ଯଥେଷ୍ଟ ଅଧିକ ରହିବ୤ କାରଣ ମେଟ୍ରୋ ସହରରେ ଘରଭଡ଼ା ଅପେକ୍ଷାକୃତ ଅଧିକ ରହିଛି । 

‘ନୁମ୍ବେଓ’ ରିପୋର୍ଟ ଅନୁଯାୟୀ ରହିବା ପାଇଁ ମୁମ୍ବାଇ ହେଉଛି ସବୁଠାରୁ ମହଙ୍ଗା ସହର । ଏଠାରେ ମାସିକ ଜୀବନଧାରଣ ଖର୍ଚ୍ଚ  ୩୦ ହଜାରରୁ ୬୦ ହଜାର ଟଙ୍କା ମଧ୍ୟରେ ରହିଛି । ସେହିଭଳି ଦିଲ୍ଲୀରେ ଏହି ଖର୍ଚ୍ଚ ୨୨ ହଜାରରୁ ୫୦ ହଜାର ଟଙ୍କା ଥିବା ବେଳେ ପୁନେରେ ୨୫ ହଜାରରୁ ୪୫ ହଜାର ଟଙ୍କା, ବେଙ୍ଗାଲୁରୁରେ ୨୦ ହଜାରରୁ ୫୦ ହଜାର ଟଙ୍କା, ହାଇଦ୍ରାବାଦରେ ୧୨ ହଜାରରୁ ୫୦ ହଜାର ଟଙ୍କା,ଚନ୍ନାଇରେ ୧୫ ହଜାରରୁ ୫୦ ହଜାର ଟଙ୍କା ଏବଂ କୋଲକାତାେର ୨୦ ହଜାରରୁ ୪୦ ହଜାର ଟଙ୍କା ରହିଛି । 

ସେହିଭଳି ଭୁବନେଶ୍ବର ସହରରେ ଜଣେ ବ୍ୟକ୍ତିର ଜୀବନଧାରଣ  ଖର୍ଚ୍ଚ ୧୬ ହଜାରରୁ ୩୦ ହଜାର ଟଙ୍କା ରହିଛି୤ ଏଥିରେ ଘରଭଡ଼ା ସାମିଲ କରାଯାଇ ନାହିଁ ।ତେବେ ୪ ଜଣିଆ ପରିବାରର ମାସିକ ଖର୍ଚ୍ଚ ୬୦ ହଜାରରୁ ଏକ ଲକ୍ଷ ୫ ହଜାର ଟଙ୍କା ରହିଛି୤ ଏଥିରେ ଘରଭଡ଼ା ସାମିଲ କରାଯାଇଛି । ଏତିକି ଖର୍ଚ୍ଚରେ ଗୋଟିଏ ମଧବିତ୍ତ ପରିବାର ଆରାମରେ ଚଳିପାରିବ ବୋଲି କୁହାଯାଉଛି । ତେବେ  ଲାଇଫଷ୍ଟାଇଲକୁ ନେଇ ଖର୍ଚ୍ଚ ଅଲଗା ହୋଇପାରେ। ଏହି ସଂସ୍ଥାର ରିପୋର୍ଟ ଅନୁଯାୟୀ ଦ୍ରୁତ ଗତିରେ ଭୁବନେଶ୍ବର ମହାନଗରର ସଂପ୍ରସାରଣ ହେଉଥିଲେ ମଧ୍ୟ ଦେଶର ଟାୟର-୨ ସହର ତୁଳନାରେ ଭୁବନେଶ୍ବର ବିିଭିନ୍ନ ଦୃଷ୍ଟିରୁ ଆରାମଦାୟକ୤ ଭୁବନେଶ୍ବରରେ ଘରଭଡ଼ା ଠାରୁ ଆରମ୍ଭ କରି ରେସ୍ତୁରାଁରେ ଖାଇବା ଖର୍ଚ୍ଚ, ମାର୍କେଟିଂ, ପରିବହନ, ସ୍କୁଲ ଫି ମେଟ୍ରା ସହର ତୁଳନାରେ ଖୁବ କମ୍ ରହିଛି ।  ଏପରିକି ମୋବାଇଲ ଏବଂ ଇଣ୍ଟରନେଟ୍ ଖର୍ଚ୍ଚ ମଧ୍ୟ କମ୍ ।  ସହରରେ ଜଣେ ବ୍ୟକ୍ତିର ହାରାହାରି ମାସିକ ଦରମା ୩୪ ହଜାରରୁ ଅଧିକ ଟଙ୍କା ବୋଲି ରିପୋର୍ଟରେ କୁହାଯାଇଛି ।

About The Author: Madhusudan Das