ଭୁବନେଶ୍ୱର: ଜୁଲାଇ ମାସର ଦ୍ୱିତୀୟାର୍ଦ୍ଧରେ ରାଜ୍ୟରେ ବର୍ଷାର ପରିମାଣ ଭଲ ରହିବ। ସମ୍ଭବତଃ ଏହି ସମୟ ମଧ୍ୟରେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହୋଇପାରେ। ଏମିତି କି ପାଣିପାଗ ସ୍ଥିତି ସୁହାଇଲେ ଗୋଟିଏ ଲଘୁଚାପ ଅବପାତରେ ମଧ୍ୟ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ନିଅଣ୍ଟିଆ ରହିବ। ଏହି ସମୟ ମଧ୍ୟରେ କଳାହାଣ୍ଡି, ବଲାଙ୍ଗିର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ସମ୍ବଲପୁରରେ ସମୁଦାୟ ୬୦-୮୦ ମିମି ବର୍ଷା ହେବାକୁ ଥିବା ବେଳେ ଗଞ୍ଜାମ, ଗଜପତି ଓ ସୋନପୁରରେ ୪୦-୫୦ ମିମି ବର୍ଷା ହୋଇପାରେ। ଉପକୂଳ ଜିଲ୍ଲାରେ ୫୦ ମିମି ପର୍ଯ୍ୟନ୍ତ ବର୍ଷା ହେବା ବେଳେ ଯାଜପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ୩୦ ମିମିରୁ ଅଧିକ ବର୍ଷା ହେବା ସମ୍ଭାବନା କମ୍ ରହିଛି। ୧୧ରେ ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ (୧୫ରୁ ୩୦ ପର୍ଯ୍ୟନ୍ତ) ବର୍ଷା ହେବା ବେଳେ ଅନ୍ୟ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ତେବେ ଅଳ୍ପ କେତେକ ସ୍ଥାନରେ ମଧ୍ୟମ ଓ ଗୋଟିଏ ଦୁଇଟିରେ ଭାରି ବର୍ଷା ସମ୍ଭାବନା ରହିଛି।
ପ୍ରଫେସର ପଶୁପାଳକ ଆହୁରି କହିଛନ୍ତି ଯେ ୧୫ ଓ ୧୬ରେ ପୂର୍ବ ପଶ୍ଚିମ ଟ୍ରଫ୍ ସୃଷ୍ଟି ହୋଇ ତା’ର ପୂର୍ବଭାଗ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିବା ଓ ବଙ୍ଗୋପସାଗରରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ୧୭ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବା କାରଣରୁ ସେହି ଦିନଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ଏହି ଲଘୁଚାପ ଯୋଗୁଁ ସାରା ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି।
ଅନ୍ୟପକ୍ଷରେ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନରେ ଦର୍ଶାଯାଇଛି ଯେ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହୋଇପାରେ। ତେବେ ପ୍ରଥମ ଲଘୁଚାପଟି ଅବପାତରେ ପରିଣତ ହେବା ନେଇ ମଧ୍ୟ କିଛି ମଡେଲ୍ ଆକଳନ କରୁଥିବା ବିଭାଗ ପକ୍ଷରୁ କୁହାଯାଇଛି।