ଭୁବନେଶ୍ବର : ପୂରଣ ହେବ ରାଜ୍ୟବାସୀଙ୍କର ଆଉ ଏକ ସ୍ବପ୍ନ। ରାଜ୍ୟରେ ଗଡିବ ମେଟ୍ରୋ ରେଳ। ଉତ୍କଳ ଦିବସରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ବଡ଼ ଉପହାର। ମେଟ୍ରୋ ଟ୍ରେନ୍ ଚଳାଚଳ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ କାମକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର-କଟକ-ପୁରୀକୁ ସଂଯୋଗ କରିବ ମେଟ୍ରୋ ଟ୍ରେନ୍, ଭିଡ଼ କମାଇବା ପାଇଁ ମେଟ୍ରୋ ଚଳାଇବାକୁ ରାଜ୍ୟ ସରକାର ଏହି ବଡ ପଦକ୍ଷେପ ନେଇଛନ୍ତି।
ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ମେଟ୍ରୋ ରେଳ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରିବା ଓଡ଼ିଶା ଦିବସ ଅବସରରେ ନିଜ ଅଭିଭାଷଣରେ କହିଛନ୍ତି ମହାନ ଜନନାୟକ ବିଜୁବାବୁ ଚାହୁଁଥିଲେ ଏକ ସଶକ୍ତ ଓଡ଼ିଶା। ସେହି ଦିଗରେ ମେଟ୍ରୋ ରେଳ ପ୍ରକଳ୍ପ ଏକ ବହୁତ ବଡ଼ ପଦକ୍ଷେପ ହୋଇପାରିଛି। ଏହା ଏକ ସଶକ୍ତ ଓ ନୂଆ ଓଡ଼ିଶା ପାଇଁ ଭିତ୍ତି ପକାଇଲା। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଆଜି ରୋଲ ମଡେଲ ସାଜିଛି। ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତୀକରଣ, କ୍ରୀଡ଼ା, ବିଶ୍ବସ୍ତରୀୟ ଦକ୍ଷତା କାର୍ଯ୍ୟକ୍ରମ, ଭିତ୍ତିଭୂମି ପାଇଁ ସୁନାମ ଆଣିଛି। ରାଜ୍ୟ ସରକାର ଏବେ ଭୁବନେଶ୍ବରରୁ, କଟକ, ପୁରୀ ଓ ଖୋର୍ଦ୍ଧାକୁ ମେଟ୍ରୋ ରେଳ ପ୍ରକଳ୍ପ ସଂଯୋଗୀକରଣ ପାଇଁ ଆଗେଇଛନ୍ତି। ଏହି ପ୍ରକଳ୍ପର ଡିପିଆର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ହେବ। ଏଥି ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏଲିଭେଟେଡ ପ୍ରସ୍ତାବ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମେଟ୍ରୋ ରେଳ ପ୍ରକଳ୍ପ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ସମ୍ବଳରେ ନିର୍ମାଣ ହେବ। ଏହି ମେଟ୍ରୋ ରେଳ ପ୍ରକଳ୍ପ ବିଶ୍ବସ୍ତରୀୟ ହେବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ମେଟ୍ରୋ ଟ୍ରେନ୍ ପ୍ରକଳ୍ପ କଟକରୁ ଭୁବନେଶ୍ବରକୁ ସଂଯୋଗ କରିବ। ପରେ ଏହା ପୁରୀ ଓ ଖୋର୍ଦ୍ଧାକୁ ସଂପ୍ରସାରିତ ହେବ। ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ରେଳ ପ୍ରକଳ୍ପର କାର୍ଯ୍ୟ ତ୍ରିଶୁଳିଆ ଠାରୁ ବିଜୁପଟ୍ଟନାୟକ ବିମାନବନ୍ଦର ପର୍ଯ୍ୟନ୍ତ ସଂପ୍ରସାରିତ ହେବ। ମେଟ୍ରୋ ରେଳ ପ୍ରକଳ୍ପ ତ୍ରିଶୁଳିଆଠାରୁ ବିମାନବନ୍ଦର ମଧ୍ୟରେ ନନ୍ଦନକାନନ, ପଟିଆ, ବାଣୀବିହାର, ମୁଖ୍ୟ ରେଳଷ୍ଟେସନକୁ ସଂଯୋଗ କରିବ। ସେହିଭଳି ଏହି ପ୍ରକଳ୍ପ କଟକର ମୁଖ୍ୟ ସ୍ଥାନଗୁଡ଼ିକୁ ସଂଯୋଗ କରିବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସ୍ବତନ୍ତ୍ର ଓଡ଼ିଶା ପାଇଁ ଆମର ବହୁଦିନର ସ୍ବପ୍ନ ଆଜିର ଦିନରେ ସାକାର ହୋଇଥିଲା ବୋଲି କହିଛନ୍ତି। ଏହି ଦିବସ ସବୁ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ପବିତ୍ର ଦିନ ଅବସରରେ ଆମର ବରପୁତ୍ରମାନଙ୍କୁ ମୋର ଶ୍ରଦ୍ଧାଜ୍ଞଳି ଅର୍ପଣ କରୁଛି। ସ୍ବତନ୍ତ୍ର ଓ ସମୃଦ୍ଧ ଓଡ଼ିଶା ପାଇଁ କାମ କରିଯାଇଥିବା ବରପୁତ୍ରମାନଙ୍କର ମାର୍ଗ ଦର୍ଶନରେ ଓଡ଼ିଶା ଆଜି ଆଗକୁ ବଢ଼ିଛି ବୋଲି କହିଛନ୍ତି।
ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସହିତ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍, ଉନ୍ନୟନ କମିଶନର ଅନୁ ଗର୍ଗ, ପରିବହନ ସଚିବ ଉଷା ପାଢ଼ୀ, ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥନ, ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଏହି ପ୍ରସ୍ତାବିତ କାର୍ଯ୍ୟର ସମୀକ୍ଷା କରିଥିଲେ। ବରିଷ୍ଠ ଅଧିକାରୀଙ୍କ ଏହି ଟିମ୍ ବିମାନ ବନ୍ଦରରୁ ରେଲୱେ ଷ୍ଟେସନ, ବାଣୀବିହାର, ଜୟଦେବ ବିହାର, ପଟିଆ ଓ ନନ୍ଦନକାନନ ଦେଇ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇଥିଲେ। ଏହି ସବୁ ସ୍ଥାନ ସହିତ ଅନ୍ୟାନ୍ୟ ବିଭିନ୍ନ ସ୍ଥାନରେ ଗ୍ରାଉଣ୍ଡ ଜିରୋରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟିମ୍ ରିଭ୍ୟୁ କରିଥିଲା। ସର୍ଭେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଅନୁମତି ଦେଇଛନ୍ତି । ମେଟ୍ରୋ ରେଳ ପ୍ରକଳ୍ପର ନିର୍ମାଣ କାମ ଆସନ୍ତା ଅଗଷ୍ଟ ୧୫ ତାରିଖ ଠାରୁ ଆରମ୍ଭ ହୋଇପାରେ।