ଭୁବନେଶ୍ୱର: ଦ୍ୱୈତନଗରୀ ମେଟ୍ରୋ ପ୍ରକଳ୍ପ ପାଇଁ ଡିପିଆର୍କୁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ଏହି ଡିପିଆର୍କୁ ଅନୁମତି ଦେଇଥିବା ବେଳେ ଆଗାମୀ ପ୍ରକ୍ରିୟା ସ୍ୱରୂପ ଖୁବ୍ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି । ପ୍ରାଥମିକ ସୂଚନା ଅନୁଯାୟୀ ‘ଟର୍ଣ୍ଣ କି’ ଆଧାରରେ ଏହି କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଯୋଗ୍ୟ ସଂସ୍ଥା ଟେଣ୍ଡର ପ୍ରକ୍ରିୟାରେ ଚୟନ କରିବା ଉପରେ ଗୁରୁତ୍ୱ ଦେବା ପାଇଁ ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ୍ (ବିଏମ୍ଆର୍ସି) ଯୋଜନା କରିଛି । ଅନ୍ୟପଟେ ଆସନ୍ତା ୧୮ ତାରିଖରେ ବିଏମ୍ଆର୍ସିର ପ୍ରଥମ ବୋର୍ଡ ମିିଟିଂ ବସିବ । ଏହି ବୋର୍ଡରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ରହିଛନ୍ତି ଓ ନଗର ଉନ୍ନୟନ ବିଭାଗ ସଚିବ, ପୂର୍ତ୍ତ ସଚିବ, ପରିବହନ ସଚିବ, ଅର୍ଥ ସଚିବଙ୍କ ସହିତ ବିଏମଆର୍ସିର ଅଧ୍ୟକ୍ଷ ସଦସ୍ୟ ରହିଛନ୍ତି । ପ୍ରଥମ ବୋର୍ଡ ମିଟିଂରେ ଡିପିଆର୍ ଅନୁମୋଦନ ସହିତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ।
ମେଟ୍ରୋ ପ୍ରକଳ୍ପ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଅତିରିକ୍ତ ବଜେଟ୍ରେ ୨୧୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । କିପରି ପ୍ରକଳ୍ପ କାମ ଆଗେଇବ ଓ ୨୦୨୪ ବଜେଟ୍ ପର୍ଯ୍ୟନ୍ତ ଆର୍ଥିକସ୍ତରରେ କୌଣସି ପ୍ରଭାବ ନ ପଡ଼ିବ ତାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଟେଣ୍ଡର ପ୍ରକ୍ରିୟା ଓ ସଂସ୍ଥା ଚୟନ ପରେ ସର୍ତ୍ତ ମୁତାବକ ଚୟନ ହୋଇଥିବା ସଂସ୍ଥାକୁ କିଛି ଅର୍ଥ ଦେବାକୁ ପଡ଼ିବ । ଏଥିପାଇଁ ଆର୍ଥିଥକସ୍ତରରେ ବିଏମଆର୍ସିକୁ ମଜଭୁତ କରାଯାଇଛି । ଅନ୍ୟପଟେ ରାଜ୍ୟ ସରକାର ଆସନ୍ତା ୪ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଶେଷ କରିବାକୁ ଯୋଜନା ରଖିଛନ୍ତି । ଏଥିପାଇଁ ବିଏମଆର୍ସିକୁ ପ୍ରତି ବର୍ଷ ୧୫୦୦ କୋଟି ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ । ଏହି ପ୍ରକଳ୍ପ ପାଇଁ ପାଖାପାଖି ୬ ହଜାର କୋଟି ଟଙ୍କା ଆବଶକ ପଡ଼ିବ ବୋଲି ଡିପିଆର୍ ପ୍ରସ୍ତୁତକାରୀ ଦିଲ୍ଲୀ ମେଟ୍ରୋ ରାଜ୍ୟ ସରକାରଙ୍କୁ ସୂଚନା ଦେଇଛି । ଏହାକୁ ଆଧାର କରି ପ୍ରତି ବର୍ଷ ୧୫୦୦ କୋଟି ଟଙ୍କା ବ୍ୟୟ ବରାଦ କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି ।
ଅନ୍ୟପଟେ ବର୍ତ୍ତମାନ ସହିଦ ନଗର ସ୍ଥିତ ଭବାନୀ ମଲ୍ରେ ବିଏମ୍ଆର୍ସିର ନୂତନ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ଜାରି ରହିଛି । ମଲ୍ରେ ସ୍ମାର୍ଟସିଟି କାର୍ଯ୍ୟାଳୟ ଚାଲୁଥିବା ଫ୍ଲୋରକୁ ବିଏମ୍ଆର୍ସି କାର୍ଯ୍ୟାଳୟ ଭାବେ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ହୋଇଛି । ଏହି ଫ୍ଲୋର୍ରେ ବିଏମ୍ଆର୍ସି କାର୍ଯ୍ୟାଳୟ ସହିତ ଯେଉଁ ସଂସ୍ଥା ମେଟ୍ରୋ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ପାଇବ ତାହାର କାର୍ଯ୍ୟାଳୟ ଖୋଲିବାକୁ ମଧ୍ୟ ଆବଶ୍ୟକୀୟ ଘର ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।
ଦେଶରେ ବର୍ତ୍ତମାନ ଦିଲ୍ଲୀ ମେଟ୍ରୋ ବିଭିନ୍ନ ରାଜ୍ୟରେ ମେଟ୍ରୋ ପ୍ରକଳ୍ପ ନିର୍ମାଣ କରୁଛି । ପୂର୍ବରୁ ଏହି କାର୍ଯ୍ୟ କରିବାରେ ଅନେକ ଅଭିଜ୍ଞତା ରଖିଥିବା ବେଳେ ଦେଶ ବାହାରେ ମଧ୍ୟ ମେଟ୍ରୋ ପ୍ରକଳ୍ପ ନିର୍ମାଣ କରିବାର ସଫଳତା ପାଇଛି । ଅନ୍ୟପଟେ ‘ଏଲ୍ ଆଣ୍ଡ ଟି’ ମଧ୍ୟ ମେଟ୍ରୋ ପ୍ରକଳ୍ପ ପାଇଁ ନିର୍ମାଣ କାର୍ଯ୍ୟ କରୁଛି । ତେଣୁ ଏହି ଦୁଇ ସଂସ୍ଥା ମଧ୍ୟରୁ ଯେ କୌଣସି ଗୋଟିଏ ସଂସ୍ଥା ଓଡ଼ିଶାରେ କାର୍ଯ୍ୟ କରିପାରେ ବୋଲି ଜଣାପଡ଼ିଛି । ଗତ ଅଗଷ୍ଟ ମାସରେ ଡିଏମ୍ଆରସି ପକ୍ଷରୁ ରାଜ୍ୟ ସରକାରଙ୍କୁ ମେଟ୍ରୋ ପ୍ରକଳ୍ପ ପାଇଁ ଡିପିଆର୍ ପ୍ରଦାନ କରାଯାଇଥିଲା । ୨୬ କିମି ଦୂରତା ମଧ୍ୟରେ ୨୦ ଟି ଷ୍ଟେସନ୍ ବ୍ୟବସ୍ଥା କରାଯାଇ ଏହି ଡିପିଆର୍ ପ୍ରସ୍ତୁତ ହୋଇଥିଲା । ନିକଟରେ ଏହି ଡିପିଆର୍କୁ ଅନୁମୋଦନ ମିଳିଛି ଓ ଏନେଇ ଖୁବ୍ଶୀଘ୍ର ବିଦ୍ଧିବଦ୍ଧ ଭାବେ ଘୋଷଣା ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।