ବାରିପଦା: ଭଦ୍ରକୁର ଡ୍ୟୁଟି ସାରି ବାରିପଦା ଫେରୁଥିବା ବେଳେ ପୁଲିସ ଗାଡ଼ି ଦୁର୍ଘଟଣା ଘଟି ୨ଜଣ ଡିଏସପିଙ୍କ ସହିତ ଗାଡି ଚାଳକ ଗୁରୁତର ଆହତ ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥର ବାଲେଶ୍ଵର ନୂଆଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗୁରୁତର ଆହତମାନେ ହେଲେ ମୟୂରଭଞ୍ଜ ଏଚଆରପିଏସ ଡ଼ିଏସପି ପାସ୍କେଲ ଏକ୍କା, କ୍ରାଇମ ଡ଼ିଏସପି ନିରୁପମା ମଲ୍ଲିକ ଓ ଚାଳକ ବାଦଲ ପ୍ରଧାନ।
ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ପୁଲିସ ମୁଖ୍ୟାଳୟ ବାରିପଦାରେ କାର୍ଯ୍ୟରତ ୨ଡିଏସପି ଭଦ୍ରକକୁ ମହରମ ଡ୍ୟୁଟିରେ ଯାଇଥିବାବେଳେ ଶନିବାର ବାରିପଦା ଫେରୁଥିଲେ। ଅପରାହ୍ନରେ ପୋଲିସ ଗାଡି ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ନୂଆଗାଁ ଛକ ନିକଟରେ ଏକ କଣ୍ଟେନର ପଛରେ ଶକ୍ତ ଧକ୍କା ଦେଇଥିଲା l ଦୁର୍ଘଟଣାରେ ପୋଲିସ ଭ୍ୟାନଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବାବେଳେ ସ୍ଥାନୀୟ ଲୋକ ୨ଡ଼ିଏସପିଙ୍କ ସମେତ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରେମୁଣା ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି। ବାଲେଶ୍ୱର ଶିଳ୍ପାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛିl ତେବେ ଚାଳକ ବାଦଲଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି l ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲ୍ଲୀ ଖବର ପାଇ ସଙ୍ଗେ ସଙ୍ଗେ ବାରିପଦାରୁ ଅତିରିକ୍ତ ଏସପିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ ରେମୁଣା ଫକୀର ମୋହନ ମେଡିକାଲ କଲେଜ ଓ ହସପିଟାଲକୁ ପଠାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ପୂର୍ବାଞ୍ଚଳ ଡିଆଜି ପିନାକ ମିଶ୍ର ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଆହତଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ।