ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବେଆଇନ ଖଣି କାରବାର ଓ ବକେୟା ରାଜସ୍ୱ ଆଦାୟ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦୀର୍ଘ ଦିନ ଧରି ବକେୟା ଥିବା ପ୍ରାୟ ୭୦ କୋଟି ୫୯ ଲକ୍ଷ ୧୫ ହଜାର ୭୧୦ ଟଙ୍କାର ବିପୁଳ ମାଇନିଂ ରାଜସ୍ୱ ଆଦାୟ କରିବା ପାଇଁ ଜିଲ୍ଲା ସାର୍ଟିଫିକେଟ୍ ଅଫିସର ତଥା ଜିଲ୍ଲାପାଳ ହେମକାନ୍ତ ସଏ ଏକ ନିର୍ଦ୍ଦେଶ ଜାରି କରିଛନ୍ତି।
ସୂଚନା ଅନୁଯାୟୀ, ସାର୍ଟିଫିକେଟ୍ ଋଣଗ୍ରହିତା ବସନ୍ତ କୁମାର ଦାସ (ଦାସ ଭାଇ ମିନେରାଲ୍ସ)ଙ୍କ ବାରିପଦା, କୁଳିଅଣା ଏବଂ ବାଙ୍ଗିରିପୋଷି ତହସିଲ ଅନ୍ତର୍ଗତ ବିଭିନ୍ନ ମୌଜାରେ ଥିବା ସମସ୍ତ ସ୍ଥାବର ସମ୍ପତ୍ତିକୁ ଜିଲ୍ଲା ପ୍ରଶାସନ ନିଜ ହେପାଜତକୁ ନେବ। ଜାରି ହୋଇଥିବା ଅର୍ଡର ଅନୁଯାୟୀ, ମାଇନିଂ ବକେୟା ସାର୍ଟିଫିକେଟ୍ ମାମଲା ନମ୍ବର ୭/୨୦୧୮ (୦୫/୨୦୧୮) ଆଧାରରେ ଋଣଗ୍ରହିତାଙ୍କ ଉପରେ ମୂଳ ସାର୍ଟିଫିକେଟ୍ ଅର୍ଥ ୩୬,୬୩,୧୩,୦୦୨ ଟଙ୍କା ଥିବାବେଳେ ୧୨.୫୦% ହାରରେ ସୁଧ ସହ ଏହା ବର୍ତ୍ତମାନ ୭୦.୫୯ କୋଟି ଟଙ୍କାରେ ପହଞ୍ଚିଛି। ଏହି ମାମଲାରେ ସମ୍ପୃକ୍ତ ପକ୍ଷ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏବଂ ରାଜସ୍ୱ କମିଶନର (ଆରଡିସି), କଟକଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଗତ ମେ' ୧୯ ତାରିଖରେ ଆରଡିସିଙ୍କ କୋର୍ଟ ଋଣଗ୍ରହିତାଙ୍କ ଅପିଲକୁ ଖାରଜ କରିଦେଇଥିଲେ।
ଏହାକୁ ଭିତ୍ତି କରି ଜିଲ୍ଲାପାଳ ଶ୍ରୀ ସାଏ ସମ୍ପୃକ୍ତ ତହସିଲଦାରମାନଙ୍କୁ ଆସନ୍ତା ୭ ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ସମସ୍ତ ସମ୍ପତ୍ତିକୁ ସରକାରୀ ଅକ୍ତିଆରକୁ ନେବା ସହ ଏହାର ନିଲାମ ମୂଲ୍ୟ ନିର୍ଦ୍ଧାରଣ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପତ୍ତି ବ୍ୟାଜ୍ୟାପ୍ତି ସମୟରେ ଯଦି କୌଣସି ପ୍ରତିରୋଧ ହୁଏ, ତେବେ ଆଇନଶୃଙ୍ଖଳା ରକ୍ଷା ପାଇଁ ବାରିପଦା ଉପଖଣ୍ଡ ମାଜିଷ୍ଟ୍ରେଟ୍ ଏବଂ ମୟୂରଭଞ୍ଜ ଆରକ୍ଷୀ ଅଧୀକ୍ଷକ (ଏସପି)ଙ୍କୁ ଆବଶ୍ୟକୀୟ ପୁଲିସ ବଳ ମୁତୟନ କରିବାକୁ ଆଦେଶପତ୍ରରେ କୁହାଯାଇଛି। ଏହି ଘଟଣାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁନ୍ ୧୧ ତାରିଖରେ ଧାର୍ଯ୍ୟ କରାଯାଇଛି।
ପରିବେଶ ମଞ୍ଜୁରୀ ନଥାଇ ଖଣି ଚଳାଇବା ଅଭିଯୋଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ବିଭିନ୍ନ ଖଣି ମାଲିକଙ୍କୁ ନୋଟିସ ଜାରି କରାଯାଇଛି । ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଅଞ୍ଚଳର କାଶିଆ ବେଡ଼ା ଗ୍ରାମରେ ଥିବା ଏକ ୨୦ ଏକର ବିଶିଷ୍ଟ ଛୋଟ ଖଣି ଉପରେ ପ୍ରାୟ ୩୬ କୋଟି ୬୦ ଲକ୍ଷ ଟଙ୍କାର ବେଆଇନ ଜରିମାନା ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଇଛି । ଏହି ଜରିମାନା ଆଦାୟ ପାଇଁ ଗୁରୁବାର ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଖଣି ମାଲିକ ବସନ୍ତ କୁମାର ଦାସଙ୍କ ବାସଭବନରେ ଚଢ଼ାଉ କରି ଘରର ମାପଚୁପ କରିବା ସହ ନୋଟିସ ଲଗାଇଛନ୍ତି ।
ତେବେ ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଖଣି ମାଲିକ ଶ୍ରୀ ଦାସ ଗଣମାଧ୍ୟମ ସମ୍ମୁଖରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏହି ଖଣିଟି ୨୦୧୦ ମସିହାରୁ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏହି ଜରିମାନା ବିରୋଧରେ ସେ ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ମାମଲାର ବିଚାର ଚାଲିଥିବା ବେଳେ ଅଦାଲତ ପ୍ରଶାସନକୁ କୌଣସି ପ୍ରକାର ବଳପୂର୍ବକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥଗିତାଦେଶ ଦେଇଛନ୍ତି ।
'ହାଇକୋର୍ଟଙ୍କ ସ୍ଥଗିତାଦେଶ ବଳବତ୍ତର ଥିବା ସତ୍ତ୍ୱେ ଏବଂ ଆମକୁ କୌଣସି ପୂର୍ବ ସୂଚନା ନଦେଇ ହଠାତ ବିପୁଳ ପୁଲିସ ବଳ ସହ ଘର ଉପରେ ଚଢ଼ାଉ କରିବା ସମ୍ପୂର୍ଣ୍ଣ ଅଯଥା ଓ ବେଆଇନ । ଆମେ କୋର୍ଟଙ୍କ କୌଣସି ନିର୍ଦ୍ଦେଶକୁ ଅମାନ୍ୟ କରୁନାହୁଁ, କିନ୍ତୁ ପ୍ରଶାସନର ଏଭଳି ଏକତରଫା କାର୍ଯ୍ୟାନୁଷ୍ଠାନ ବିରୋଧରେ ଆମେ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ । ତେବେ ଏନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।