ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ କମ୍ବିଂ ଅପରେସନ ବେଳେ ମୟୂରଭଞ୍ଜ ପୁଲିସକୁ ପୁଣି ସଫଳତା ମିଳିଛି। ଦୁଇଟି ପୃଥକ ଘଟଣାରେ ତିନି ଗୋଟି ବନ୍ଧୁକ ସମେତ ୩ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏନେଇ ବାରିପଦା ଠାରେ ଏସପି ବି ଗଙ୍ଗାଧର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଶିମିଳିପାଳର ପାଦଦେଶ ଅଞ୍ଚଳର ବଡ଼ସାହି ଥାନା ଅନ୍ତର୍ଗତ ଯଦୁନାଥପୁର ପଞ୍ଚାୟତର ଚନ୍ଦନଚତୁରୀ ଗ୍ରାମ ନିକଟ ରେଣ୍ଟସାହିରୁ ଦୁଇଟି ବନ୍ଧୁକ ସମେତ ୩ ଜଣକୁ ଗିରଫ କରାଯାଇଛି। ସେମାନେ ହେଲେ ରେଣ୍ଟାସାହିର ଯଦୁନାଥ ହାଁସଦା(୫୨), ଚନ୍ଦନଚତୁରୀ ଗ୍ରାମର ଠାକୁର ସିଂ(୨୬) ଓ ମଧୁ ସିଂ(୩୦)।
ସେହିପରି ଉଦଳା ଥାନା ଅନ୍ତର୍ଗତ କାଶିକୁନ୍ଦଳ ଗ୍ରାମ ନିକଟ ଜଙ୍ଗଲରୁ ଲୁଚାଯାଇଥିବା ଅନ୍ୟ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି। ଏନେଇ ଦୁଇ ଗୋଟି ଥାନାରେ ପୃଥକ ମାମଲା ରୁଜୁ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ବଡ଼ସାହି ଓ ଉଦଳା ଥାନା ଅଧିକାରୀ ଉପସ୍ଥିତ ଥିଲେ। ଏବେ ନିୟମିତ ଭାବେ ବନବିଭାଗର କର୍ମଚାରୀ ଏବଂ ପୁଲିସର ମିଳିତ ସହଯୋଗରେ ଶିମିଳିପାଳ ଅଭୟାରଣ୍ୟ ଏବଂ ତା’ର ପାଦଦେଶରେ ଥିବା ଅଞ୍ଚଳରେ ବ୍ୟାପକ ଭାବେ ଖାନତଲାସ ଏବଂ କୋମ୍ବିଂ ଅପରେସନ ଜୋରଦାର କରାଯାଇଛି। ଏହି ଅବସରରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିଥିବା ବ୍ୟକ୍ତିମାନଙ୍କୁ ଏବଂ ଦେଶୀ ବନ୍ଧୁକ ତିଆରି କରୁଥିବା ବ୍ୟକ୍ତିମାନଙ୍କୁ ପୁଲିସ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ସେମାନେ ସ୍ୱଇଛାରେ ଚଳିତ ମାସ ୩୧ ତାରିଖ ମଧ୍ୟରେ ପୁଲିସ ନିକଟରେ ଜମା କରି ପୁରସ୍କୃତ ହୁଅନ୍ତୁ ଅନ୍ୟଥା ଗିରଫ ହେବା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି ଗଙ୍ଗାଧର ଚେତାବନୀ ଦେଇଛନ୍ତି।