ମୟୂରଭଞ୍ଜରେ ବିଜେଡିର ୨ଟି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌: ମାଆ-ଝିଅଙ୍କୁ ହତ୍ୟା ଓ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ତୀବ୍ର ଉଦ୍‌ବେଗ

ବାରିପଦା/ବେତନଟୀ/ଠାକୁରମୁଣ୍ଡା/ମହୁଲଡିହା: ମୟୂରଭଞ୍ଜ ଜିଲ୍ଲାରେ ପୃଥକ ଦୁଇଟି ଅତ୍ୟନ୍ତ ସମ୍ୱେଦନଶୀଳ ଓ ନିର୍ମମ ହତ୍ୟାକାଣ୍ଡକୁ ନେଇ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଜିଲ୍ଲାର ସୁରକ୍ଷା ଓ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଏହି ଦୁଇଟି ଘଟଣାକୁ ନେଇ ବିରୋଧୀ ବିଜୁ ଜନତା ଦଳ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ କରାଯାଇଛି। ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗଠିତ ଦୁଇଟି ପୃଥକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ (ତଥ୍ୟ ଅନୁସନ୍ଧାନକାରୀ ଦଳ) ସୋମବାର ପୃଥକ ଭାବେ ମୟୂରଭଞ୍ଜ ଗସ୍ତ କରି ପୀଡ଼ିତାଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିଛନ୍ତି। ଏଥିସହ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି। ତତ୍‌ସହିତ ଗସ୍ତର ରିପୋର୍ଟ ଦଳର ସଭାପତିଙ୍କ ପାଖକୁ ପଠାଇଛନ୍ତି।

ଜିଲ୍ଲାର ମହୁଲଡିହା ଥାନା ଅନ୍ତର୍ଗତ ଡୋକେଇପାଳ ଗ୍ରାମର ମୁକ୍ତାଝରି ସାହିରେ ଘଟିଥିବା ମାଆ ଓ ନାବାଳିକା ଝିଅଙ୍କ ନିର୍ମମ ହତ୍ୟାକାଣ୍ଡ (ଡବଲ ମର୍ଡର) ସ୍ଥଳ ଗସ୍ତ କରିଛି ପ୍ରଥମ ଟିମ୍‌। ବିଜେଡି ମୟୂରଭଞ୍ଜ ଜିଲ୍ଲା-୨ ସଭାପତି ଡା. ଦେବାଶିଷ ମାରାଣ୍ଡିଙ୍କ ସଂଯୋଜନାରେ ଗଠିତ ଟିମରେ ପୂର୍ବତନ ମନ୍ତ୍ରୀ ବସନ୍ତୀ ହେମ୍ବ୍ରମ, ରାଇସେନ ମୁର୍ମୁ, ଚକ୍ରଧର ହେମ୍ବ୍ରମ ଓ କାଶୀନାଥ ହେମ୍ବ୍ରମଙ୍କ ସହିତ ଅନ୍ୟମାନେ ସାମିଲ ହୋଇ ପ୍ରଭାବିତ ପରିବାରକୁ ସମବେଦନା ଜଣାଇବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି। ସେମାନେ ମହୁଲଡିହା ଥାନା ଅଧିକାରୀ ଓ ରାଇରଙ୍ଗପୁର ଏସ୍‌ପିଙ୍କୁ ଭେଟି ତ୍ୱରିତ ପଦକ୍ଷେପ ସାଙ୍ଗକୁ ହତ୍ୟାକାରୀକୁ ଗିରଫ ଦାବି କରିଛନ୍ତି।

ସେହିପରି ବେତନଟୀ ଅଞ୍ଚଳର ୩୯ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ଅନୁସନ୍ଧାନ ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଙ୍କ ସଂଯୋଜନାରେ ଦ୍ୱିତୀୟ ଟିମରେ ପ୍ରୀତିନନ୍ଦା କାନୁନଗୋ, ଦୀପ୍ତିଲତା ମିଶ୍ର, ସୁବାସିନୀ ନାଏକ, ସବିତା ଦାସ, ସବିତା ବେହେରା, ବୀଣାପାଣି ସାହୁ, ଶ୍ରାବଣୀ ଦାସ, ବିଶ୍ୱନାଥ ହେମ୍ବ୍ରମ, ରାଜୀବ ରଞ୍ଜନ ସେନାପତି, ଦୁବାୟ ବେହେରା, ଚୈତନ୍ୟ ଟୁଡୁ, କିଶୋର ନାୟକ, ରାଜେନ ଦାସ, ଦୀପକ ସାହୁ ଓ ଚିତେଶ୍ୱର ବେହେରାଙ୍କ ସମେତ ବହୁ ନେତୃବୃନ୍ଦ ପରିବାରକୁ ଭେଟିଛନ୍ତି। ଉଭୟ ଟିମ୍‌ ଘଟଣାର ସରଜମିନ ତଦନ୍ତ କରିଥିଲେ। ମୃତା ମହିଳାଙ୍କ ସ୍ୱାମୀ ପରିବାର ପ୍ରତି ବିପଦ ଆଶଙ୍କା କରି ସୁରକ୍ଷା ଲୋଡିଛନ୍ତି। ଏ ନେଇ ଟିମ ବେତନଟୀ ଆଇଆଇସି ଓ ବାରିପଦାରେ ଏସ୍‌ପିଙ୍କୁ ଭେଟି ଦାବି ରଖିଛନ୍ତି। ତତସହିତ ଉଭୟ ଟିମ୍‌ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ। ଦଳର ଗଣମାଧ୍ୟମ ସଂଯୋଜକ ପ୍ରିୟବ୍ରତ ମାଝୀ ଏକ ପ୍ରେସ ବିବୃତିରେ ରାଜ୍ୟରେ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବା ସହ ଦୃତ ତଦନ୍ତ ଓ ବିଚାର ପ୍ରକ୍ରିୟା ପାଇଁ ଦାବି କରିଛନ୍ତି।

About The Author: Madhusudan Das