ବାଙ୍କୀ: ଏକତରଫା ପ୍ରେମ ନିବେଦନ କରିବା ବିବାହିତ ଯୁବକଙ୍କୁ ପଡିଲା ମହଙ୍ଗା । ଅଙ୍ଗନୱାଡି କର୍ମୀଙ୍କୁ ପ୍ରେମ ନିବେଦନ କରି କାନ ଧରି ଉଠ୍ ବସ୍ ହେବା ସହ ଗ୍ରାମବାସୀଙ୍କଠାରୁ ନିର୍ଧୁମ ଛେଚା ଖାଇଲେ ଜଣେ ବିବାହିତ ଯୁବକ । ଘଟଣାଟି ଘଟିଛି ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ଗାଁରେ ।
ସୂଚନା ଅନୁସାରେ, ଘୋଳପୁର ଗାଁର ଅଙ୍ଗନବାଡି କର୍ମୀଙ୍କୁ ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳର ଜଗନ୍ନାଥ ସ୍ୱାଇଁ ନାମକ ଜଣେ ଯୁବକ ପ୍ରଥମେ ରଙ୍ଗ ନମ୍ବର କଲରୁ ଦୀର୍ଘଦିନ ଧରି ପ୍ରେମ ନିବେଦନ କରି ଆସୁଥିଲେ । କିନ୍ତୁ ଅଙ୍ଗନବାଡି ଦିଦି ବାରମ୍ବାର ତାଗିଦ କରିବା ସତ୍ୱେ ମଧ୍ୟ ଯୁବକ ଜଣକ ତାଙ୍କ ପାଖକୁ ଅଶ୍ଳିଳ ମେସେଜ ପଠାଇବା ସହ ତାଙ୍କୁ ବିବାହ କରିବା ପାଇଁ ଧମକ ଦେଇଆସୁଥିଲେ। ମାତ୍ର ଶିକ୍ଷୟତ୍ରୀ ଜଣକ ତାଙ୍କ କଥା ନଶୁଣିବାରୁ ଗତ ୧୩ ତାରିଖ ଦିନ ହଠାତ ଏହି ଯୁବକ ଘୋଳପୁର ଅଙ୍ଗନୱାଡି କେନ୍ଦ୍ରରେ ପଂହଁଚି ଯାଇଥିଲେ ।
ଶିକ୍ଷୟତ୍ରୀଙ୍କୁ ଟଣା ଓଟରା କରିବା ସହିତ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ । ଏହି ଘଟଣା ସମ୍ପର୍କରେ ଗ୍ରାମବାସୀ ମାନେ ଜାଣିବା ପରେ ସମ୍ପୃକ୍ତ ଯୁବକକୁ ଅଟକ ରଖିବା ସହିତ ନିର୍ଦ୍ଧୁମ ଛେଚିଥିଲେ । ଆଉ ଏଭଳି ଭୁଲ କେବେ ନ କରିବା ପାଇଁ ଯୁବକ ଜଣଙ୍କୁ ଆଣ୍ଠୁଆ ମାଡି ବସାଇବା ସହ କାନ ଧରି ଭୁଲ ମଗାଇଥିଲେ । ଏହାପରେ ଗ୍ରାମବାସୀ ମାନେ ଉକ୍ତ ଯୁବକ ଜଣଙ୍କୁ ଶେଷରେ ପୋଲିସର ଜିମା ଦେଇଥିଲେ । ସେପଟେ ଶିକ୍ଷୟତ୍ରୀଙ୍କ ଏତଲା ଆଧାରରେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଙ୍କୀ ପୋଲିସ।