ମାଲକାନଗିରି: ମାଲକାନଗିରି ସହର ଉପକଣ୍ଠରେ ଭାଲୁ ପଲ୍ଲ ବୁଲୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।
ସୂଚନା ଅନୁଯାୟୀ, ମାଲକାନଗିରି ସଦର ମହକୁମାରୁ ଛତିଶଗଡକୁ ସଂଯୋଗ ପାଇଁ ଥିବା ମୁଖ୍ୟ ରାସ୍ତାରେ ଗୋଟିଏ ମାଆ ଭାଲୁ ସହ ଦୁଇ ଶାବକ ସହ ବୁଲୁଥିବା ବେଳେ କିଛି ଲୋକେ ଏହାକୁ ଦେଖି ଭୟବିତ ହୋଇ ବନବିଭାଗକୁ ଖବର ଦେଇଥିଲେ। ତେବେ ଲୋକଙ୍କ ଗହଳି ଯୋଗୁଁ ଭାଲୁ ଗୁଡିକ ନିକଟସ୍ଥ ପଲିଟେକ୍ନିକ କଲେଜ ପାର୍ଶ୍ଵରେ ଏକ ବୁଦା ମଧ୍ୟରେ ପଶି ଅଟକି ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର ପାଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ପୂର୍ବରୁ ବନ ବିଭାଗର ଏକ ଟିମ ସେଠାରେ ପହଞ୍ଚି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ମାଲକାନଗିରି ଏସିଏଫ ମନସୁନ ଖେମୁଣ୍ଡୁଙ୍କ ନେତୃତ୍ୱରେ ପ୍ରାୟ ୪୦ ଜଣ ବନ କର୍ମଚାରୀ ଭାଲୁକୁ ଜଗିବସିଥିବା ବେଳେ ପୁଲିସର ମଧ୍ୟ ସାହାଯ୍ୟ ଲୋଡ଼ାଯାଇଛି। ଏହାସହ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ଭାଲୁ ଥିବା ସ୍ଥାନରୁ ହଟାଇବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ଭାଲୁ ଗୁଡିକୁ କାବୁ କରିବା ପାଇଁ ବନ ବିଭାଗ ପକ୍ଷରୁ ଯନ୍ତା ମଧ୍ୟ ଲଗାଯାଇଥିବା ବେଳେ ବର୍ତ୍ତମାନସୁଧା ଭାଲୁଗୁଡିକ ସେଠାରେ ରହିଥିବା ଦେଖିବାକୁ ମିଳିଛି ।