ପୁରୀ: ବଡ଼ଦାଣ୍ଡକୁ ଝୁଲି ଝୁଲି ଆସୁଛନ୍ତି କାଳିଆ ସାଆନ୍ତ । ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କୁ ଟିକେ ଦେଖିବାକୁ ଚାତକ ପରି ଅନେଇ ବସିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଛି ଗଗନପବନ । ହରିବୋଲ, ହୁଳହୁଳିରେ ଫାଟି ପଡୁଛି ବଡ଼ଦାଣ୍ଡ । ନନ୍ଦିଘୋଷ ରଥରେ ବସି ମାଉସୀ ମା' ଘରକୁ ଯିବେ ଚତୁର୍ଦ୍ଧାମୂରତି ।
ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଶ୍ରୀମନ୍ଦିରରୁ ରଥାରୁଢ଼ ପାଇଁ ଅଣାଯିବା ପରେ ଭଉଣୀ ସୁଭଦ୍ରାଙ୍କୁ ପହଣ୍ଡିରେ ରୁଢାରୁଣ କରାଯାଇଛି । ଭାଇ ଭଉଣୀଙ୍କ ପହଣ୍ଡି ବିଜେ ପରେ ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି । କଳା ଶ୍ରୀମୁଖକୁ ଚାହିଁ ଭାବ ବିହ୍ବଳ ହେଉଛନ୍ତି ଭକ୍ତ । ବଡ଼ଦାଣ୍ଡରେ ଆଜି ଏକାକାର ଭକ୍ତ ଭଗବାନ । ବିଶ୍ବନିୟନ୍ତାଙ୍କୁ ଦର୍ଶନ କରି ପବିତ୍ର ହେଉଛି ଚର୍ମଚକ୍ଷୁ । କାଳିଆ ସାଆନ୍ତେ ମୁଣ୍ଡରେ ଟାହିଆ ଲଗାଇ ଝୁଲି ଝୁଲି ନନ୍ଦିଘୋଷ ରଥକୁ ଆସୁଛନ୍ତି ।