ରାଜଧାନୀରେ ଲୁଟେରାଙ୍କ ଟାର୍ଗେଟ୍‌ରେ ‘ଜୋନ୍‍ ୩’; ଚାରି ଥାନା ଅଞ୍ଚଳରେ ମାସକରେ ୨୪ ଲୁଟ୍‍

ଖଣ୍ଡଗିରି: ଗତ କିଛିଦିନ ହେବ ଦୁର୍ଦ୍ଦାନ୍ତ ଅପରାଧୀ ଚକରାର ଗ୍ୟାଙ୍ଗ ରାଜଧାନୀରେ ଆତଙ୍କ ଖେଳାଉଥିଲା। ସଞ୍ଜ ହେଉ କି ସକାଳ ସବୁବେଳେ ଲୋକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟ୍‍ପାଟ କରୁଥିଲା। ତେବେ ଖଣ୍ଡଗିରି ପୁଲିସ ଚକରାକୁ ଏନ୍‍କାଉଣ୍ଟର କରିଥିଲା। ଚକରା ପରେ ତା’ର ଅନ୍ୟ ସହଯୋଗୀମାନଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା। ତେବେ ଚକରା ଗ୍ୟାଙ୍ଗର ପତ୍ତନ ଘଟିଥିଲେ ମଧ୍ୟ ରାଜଧାନୀ ଉପକଣ୍ଠରେ ଲୁଟ୍‍ପାଟ କମିବାର ନାଁ ଧରୁନି। କିଛି ଦିନ ହେବ ରାଜଧାନୀ ଉପକଣ୍ଠରେ ଆଉ […]

ଖଣ୍ଡଗିରି: ଗତ କିଛିଦିନ ହେବ ଦୁର୍ଦ୍ଦାନ୍ତ ଅପରାଧୀ ଚକରାର ଗ୍ୟାଙ୍ଗ ରାଜଧାନୀରେ ଆତଙ୍କ ଖେଳାଉଥିଲା। ସଞ୍ଜ ହେଉ କି ସକାଳ ସବୁବେଳେ ଲୋକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟ୍‍ପାଟ କରୁଥିଲା। ତେବେ ଖଣ୍ଡଗିରି ପୁଲିସ ଚକରାକୁ ଏନ୍‍କାଉଣ୍ଟର କରିଥିଲା। ଚକରା ପରେ ତା’ର ଅନ୍ୟ ସହଯୋଗୀମାନଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା। ତେବେ ଚକରା ଗ୍ୟାଙ୍ଗର ପତ୍ତନ ଘଟିଥିଲେ ମଧ୍ୟ ରାଜଧାନୀ ଉପକଣ୍ଠରେ ଲୁଟ୍‍ପାଟ କମିବାର ନାଁ ଧରୁନି। କିଛି ଦିନ ହେବ ରାଜଧାନୀ ଉପକଣ୍ଠରେ ଆଉ ଏକ ନୂଆ ଗ୍ୟାଙ୍ଗ ମୁଣ୍ଡ ଟେକିଛି। ଏହି ଗ୍ୟାଙ୍ଗ କେତେବେଳେ ସୁନାଚେନ୍‍ ଝାମ୍ପି ନେଉଛନ୍ତି ତ କେତେବେଳେ ମୋବାଇଲ୍‍ ଛଡ଼ାଇ ନେଉଛନ୍ତି। ଏମିତିକି ମଟର ସାଇକଲ ଛଡ଼ାଇବାକୁ ମଧ୍ୟ ପଛାଉ ନାହାନ୍ତି। ବିଶେଷକରି କମିସନରେଟ ପୁଲିସର ଜୋନ୍‍ ୩ ଅଞ୍ଚଳରେ ଏବେ ଲୁଟେରାଙ୍କ ଉତ୍ପାତ ଦିନକୁ ଦିନ ବଢ଼଼ିବାରେ ଲାଗିଛି।
ମିଳିଥିବା ସୂଚନା ଅନୁସାରେ, ଖଣ୍ଡଗିରି, ତମାଣ୍ଡୋ ଭରତପୁର ଓ ଇନ୍‍ଫୋଭ୍ୟାଲି ଥାନା ଅଞ୍ଚଳରେ ଗତ ମାସକ ମଧ୍ୟରେ ମୋଟ ୨୪ଟି ଲୁଟ୍‍ ହୋଇଛି। ଖଣ୍ଡଗିରି ଥାନା ଅଞ୍ଚଳରେ ସର୍ବାଧିକ ୯ଟି ଲୁଟ୍‍ ହୋଇଥିବା ବେଳେ ତମାଣ୍ଡୋ ଥାନା ଅଞ୍ଚଳରେ ସର୍ବନିମ୍ନ ୩ଟି ମାମଲା ରୁଜୁ ହୋଇଛି। ସେହିପରି ଭରତପୁର ଥାନାରେ ୭ଟି ଓ ଇନ୍‍ଫୋଭ୍ୟାଲି ଥାନାରେ ୫ଟି ଛିନତାଇ ମାମଲା ରୁଜୁ କରାଯାଇଛି। କମିସନରେଟ୍‍ ପୁଲିସର ଜୋନ୍‍ ୩ର ଭିନ୍ନ ଭିନ୍ନ ଥାନା ଅଞ୍ଚଳରେ କିଛିଦିନ ହେବ ଦୁଇ ଜଣ ଦୁର୍ବୃତ୍ତ ଏକ ନାଳିକଳା ପଲସର୍‍ରେ ଆସି ଲୁଟ୍‍ପାଟ କରି ପୁଲିସର୍‍ ନିଦ ହଜାଇ ଦେଇଛନ୍ତି।

ଖବର ନେବାରୁ ଜଣାପଡ଼ିଛି, ଖଣ୍ଡଗିରିର ସମରେନ୍ଦ୍ର ରାୟଙ୍କ ପତ୍ନୀ ନୀଳିମା ରାୟ ଗତ ୨ ତାରିଖ ଦିନ ଜାଗମରା ଷ୍ଟେଟ୍‍ ବ୍ୟାଙ୍କ ନିକଟରେ ସ୍କୁଟି ରଖି ଗାଡ଼ି ଲକ୍‍ କରୁଥିବା ବେଳେ ଦୁଇ ଜଣ ଲୁଟେରା ତାଙ୍କ ବେକରୁ ସୁନାଚେନ୍‍ ଛଡ଼ାଇ ନେଇ ଦ୍ରୁତ ଗତିରେ ପଳାଇଥିଲେ। ଏନେଇ ସମରେନ୍ଦ୍ର ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ଗତମାସ ୨୫ ତାରିଖ ଦିନ ମଳିପଡ଼ା ଅଞ୍ଚଳରେ ରହୁଥିବା ଢେଙ୍କାନାଳ ପରଜଙ୍ଗ ଥାନା ନାଉପାଳ ଗ୍ରାମର ଯୋଗେନ୍ଦ୍ର ନାୟକ ପଲସର୍‍ ଯୋଗେ କଳିଙ୍ଗନଗରରୁ ମଳିପଡ଼ା ଫେରୁଥିଲେ। ସେହି ସମୟରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ କଳିଙ୍ଗନଗର-ଘାଟିକିଆ ରାସ୍ତାରେ ଅଟକାଇ ଗାଳିଗୁଲଜ କରିବା ସହ ମୋବାଇଲ ଫୋନ୍‍ ଓ ମନିପର୍ସ ଛଡ଼ାଇ ନେଇଥିଲେ। ଏଥିସହିତ ମାରଣାସ୍ତ୍ର ଦେଖାଇ ତାଙ୍କ ପଲସର ଗାଡ଼ିକୁ ମଧ୍ୟ ଛଡ଼ାଇ ନେଇ ନାକାଗେଟ ଆଡ଼କୁ ପଳାଇଥିଲେ। ଏନେଇ ସେ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି। ସେହିଭଳି ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ନାରାୟଣପୁରର ଫାରୁକ ମଣ୍ଡଳ ଗତ ବୁଧବାର ବିଳମ୍ୱିତ  ରାତିରେ ପନିପରିବା ବୋଝେଇ ଟ୍ରକ୍‍ ଧରି କୋଲକାତାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ। ରାତି ପ୍ରାୟ ଗୋଟାଏରେ ଦୁଇଟି ବାଇକ୍‍ରେ ୪ ଜଣ ଦୁର୍ବୃତ୍ତ ତମାଣ୍ଡୋ ପେଟ୍ରୋଲ ପମ୍ପ ନିକଟରୁ ତାଙ୍କୁ ପିଛା କରି ଯାଁଳା ପେଟ୍ରୋଲ ପମ୍ପ ନିକଟରେ ତାଙ୍କ ଟ୍ରକ୍‍କୁ ଅଟକାଇଥିଲେ। ଦୁର୍ବୃତ୍ତମାନେ ଲୁହା ପାଇପ୍‍ ଦ୍ୱାରା ତାଙ୍କ ଟ୍ରକର ଆଗ ଗ୍ଲାସକୁ ବାଡ଼େଇ ଭାଙ୍ଗିବା ସହିତ ଫାରୁକ ଓ ତାଙ୍କ ହେଲପରଙ୍କୁ ଆକ୍ରମଣ କରି ତାଙ୍କ ଠାରୁ ୪ ହଜାର ୫ ଶହ ଟଙ୍କା ଛଡ଼ାଇ ନେଇଥିଲେ। ଏନେଇ ଫାରୁକ ଇନ୍‍ଫୋଭ୍ୟାଲି ଥାନାରେ ଏତଲା ଦେଇଛନ୍ତି। ସେହିପରି ଗତ ଗୁରୁବାର ବନ୍ଧନ ବ୍ୟାଙ୍କ ଜଟଣୀ ଶାଖାରେ କାମ କରୁଥିବା ସୌମ୍ୟରଞ୍ଜନ ବଳ ଗ୍ରୁପ୍‍ ଟଙ୍କା ଆଦାୟ କରି ଫେରୁଥିବା ବେଳେ କୁମାର ଖାତିଆ-ଆଇଆଇଟି ରାସ୍ତାରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ଛୁରି ଦେଖାଇ ଭୟଭୀତ କରିବା ସହିତ ତାଙ୍କ ଠାରୁ ୩୭ ହଜାର ୩୯୫ ଟଙ୍କା ଛଡ଼ାଇ ନେଇ ଖୋର୍ଦ୍ଧା ଦିଗରେ ପଳାଇଥିଲେ। ଏନେଇ ଶ୍ରୀ ବଳ ଜଟଣୀ ଥାନାରେ ଅଭିଯୋଗ କରିଛନ୍ତି।

ଅଧିକ ଲୁଟ୍‍ପାଟ ହେଉଥିବା ଥାନା ଅଞ୍ଚଳରେ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି ହେଉ ନ ଥିବାରୁ ଲୁଟେରାମାନେ ଅନାୟାସରେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଥିବା କୁହାଯାଉଛି। ଏଥିସହିତ ଅପରାଧ ଘଟାଇବା ପରେ ଫେରାର ହେବାପାଇଁ ରାଜଧାନୀ ଉପକଣ୍ଠ ବେଶ୍‍ ସୁହାଉଛି। ଗୋଟିଏ ପରେ ଗୋଟିଏ ଅପରାଧୀଙ୍କୁ ପୁଲିସ ସାବାଡ଼ କରୁଥିବା ବେଳେ ଅନ୍ୟପଟେ ନୂଆ ନୂଆ ଗ୍ୟାଙ୍ଗ ସୃଷ୍ଟି ହେବା ଏବେ ପୁଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେବେ ବାରମ୍ୱାର ଲୁଟ୍‍ ହେବାରୁ ଜୋନ୍‍ ୩ ଅଞ୍ଚଳରେ ଥିବା ସମସ୍ତ ଥାନାର ପିଓପିଡି ଅଧିକାରୀଙ୍କୁ ଡକାଇ ତାଗିଦ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ଏଥିସହିତ ରାତିରେ ସାଧା ପୋଷାକରେ ପାଟ୍ରୋଲିଂ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

About The Author: The Sakala