ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଆସିଛି ଖୁସି ଖବର । ପ୍ରଥମ ଥର ପାଇଁ ମା ହେଲା ସିଂହୀ ଶ୍ରେୟା । ଏଠାରେ ଥିବା ଏସୀୟ ସିଂହୀ ଶ୍ରେୟା ମଙ୍ଗଳବାର ସନ୍ଧ୍ୟାରେ ଏକ ଶାବକକୁ ଜନ୍ମ ଦେଇଛି। ତେବେ ମା' ସିଂହୀ ନବଜାତକୁ ଗ୍ରହଣ ନକରିବାରୁ ଏହାକୁ ବର୍ତ୍ତମାନ ସ୍ୱତନ୍ତ୍ର ଯତ୍ନରେ ରଖାଯାଇଛି। ପ୍ରଥମ ଥର ପାଇଁ ମାଆ ହୋଇଥିବାରୁ ତା ନିକଟରେ ମାତୃ ସୁଲଭ ଆଚରଣ ଦେଖିବାକୁ ମିଳିନି । ବର୍ତ୍ତମାନ ନନ୍ଦନକାନରରେ ସିଂହ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ଶାବକର ଖାଦ୍ୟ ଓ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ୧୮ ନମ୍ବର ଖୁଆଡ଼ରେ ରହୁଥିବା ସିଂହୀ ଶ୍ରେୟାର ଏହା ଥିଲା ପ୍ରଥମ ଗର୍ଭଧାରଣ ଏବଂ ସେ କେବଳ ଗୋଟିଏ ଶାବକକୁ ଜନ୍ମ ଦେଇଥିଲା। ପ୍ରଥମ ଥର ମା’ ହୋଇଥିବାରୁ ଶ୍ରେୟା ନବଜାତ ଶାବକର ଯତ୍ନ ନେଇନଥିଲା କିମ୍ବା ତାକୁ ଆଦରି ନଥିଲା। ଫଳରେ ନନ୍ଦନକାନନ କର୍ତ୍ତୃପକ୍ଷ ଶାବକକୁ ତୁରନ୍ତ ତା’ ମା’ଠାରୁ ଅଲଗା କରି ପଶୁ ଚିକିତ୍ସାଳୟ ପରିସରରେ ଥିବା ଶିଶୁ ପ୍ରାଣୀ ଯତ୍ନ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ। ବର୍ତ୍ତମାନ ଏହି ଶାବକଟିକୁ ନିୟନ୍ତ୍ରିତ ଆଲୋକରେ ରଖାଯାଇଥିବା ବେଳେ ଅଭିଜ୍ଞ କର୍ମଚାରୀଙ୍କ ଦ୍ୱାରା ତରଳ କ୍ଷୀର ଫର୍ମୁଲା ବୋତଲ ମାଧ୍ୟମରେ ଖୁଆଇ ଦିଆଯାଉଛି।
ସିଂହ ହର୍ଷ ସହିତ ମିଳନ ପରେ ଶ୍ରେୟା ଗର୍ଭବତୀ ହୋଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହର୍ଷ ଏବଂ ଶ୍ରେୟା ହେଉଛନ୍ତି ସମ୍ପର୍କରେ ଭାଇ-ଭଉଣୀ। ସିଂହ ସମ୍ରାଟ ଏବଂ ସିଂହୀ ବିଜୁଳିଙ୍କ ମିଳନରୁ ଅଗଷ୍ଟ ୨୯, ୨୦୨୪ରେ ଏମାନେ ଧ୍ରୁବ ନାମକ ଅନ୍ୟ ଏକ ଶାବକ ସହିତ ଜନ୍ମଗ୍ରହଣ କରିଥିଲେ। ତେଣୁ ଏହି ନୂଆ ଶାବକଟି ଇନ୍ବ୍ରିଡିଂ (ଏକା ପରିବାର ମଧ୍ୟରେ ପ୍ରଜନନ) ର ଫଳ। ନନ୍ଦନକାନନ ଅଧିକାରୀଙ୍କ ମତରେ ଇନ୍ବ୍ରିଡିଂ ଯୋଗୁଁ ଜନ୍ମିତ ଶାବକମାନଙ୍କ ବଞ୍ଚିବା ହାର ସାଧାରଣତଃ ବହୁତ କମ୍ ରହିଥାଏ।