ଭୁବନେଶ୍ୱର: ଆସନ୍ତା ମାସ ୧୬ ତାରିଖରୁ ଖଣ୍ଡଗିରି କୁମ୍ଭ ମେଳା ଆରମ୍ଭ ହେଉଥିବା ବେଳେ ୧୮ ତାରିଖରୁ ଆରମ୍ଭ ହେବ ଯାତ୍ରା ମହାସମର। ଖଣ୍ଡଗିରି ଯାତ୍ରା ମହାସମରରେ ଓଡ଼ିଶାର ୭ଟି ଯାତ୍ରା କମିଟି ମାଧ୍ୟମରେ ଓଡ଼ିଶାର ୧୩ଟି ବଛା ବଛା ଅପେରା ପାର୍ଟି ଅଂଶଗ୍ରହଣ କରିବେ। ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ (ଆଇଗିଣିଆ-ଡୁମୁଡୁମା) ମଞ୍ଚରେ ୩ଟି ଯାତ୍ରା ପାର୍ଟି ନାଟକ ପରିବେଷଣ କରିବେ । ୧୮ ରୁ ୨୦ ତାରିଖ ଯାଏଁ ସାଇ ସମ୍ରାଟ, ୨୧ ରୁ ୨୪ ତାରିଖ ଯାଏଁ ଅଶୋକ ସମ୍ରାଟ ଓ ୨୪ ରୁ ୨୯ ତାରିଖ ପର୍ଯ୍ୟନ୍ତ ତୁଳସୀ ଗଣନାଟ୍ୟ ନାଟକ ପରିବେଷଣ କରିବେ । ସାଇ ସମ୍ରାଟ ‘ଦେବଦାସୀ’, ଅଶୋକ ସମ୍ରାଟ ‘ରକ୍ତ ସମ୍ପର୍କ’, ତୁଳସୀ ଗଣନାଟ୍ୟ ‘ଅଧ ରାତିର ସାଥୀ’ ଓ ‘ସିନ୍ଦୁର ହଜିଗଲା ଶୁଭ ରାତିରେ’ ନାଟକକୁ ନେଇ ମଇଦାନକୁ ଓହ୍ଲାଇବ। ସନାତନ ସେବା ସମିତି (ଖଣ୍ଡଗିରି-ଘାଟିକିଆ) ମଞ୍ଚରେ ୧୮ ରୁ ୨୩ ତାରିଖ ପର୍ଯ୍ୟନ୍ତ କୋଣାର୍କ ଗଣନାଟ୍ୟ ‘ସେଇ ଗୋଟିଏ ଭୁଲ୍ ପାଇଁ’ ଓ ୨୪ ରୁ ୨୯ ତାରିଖ ସୂର୍ଯ୍ୟ ମନ୍ଦିର ‘ତୁ ରାଜା ଝିଅ ମୁଁ ରିକ୍ସା ବାଲା’ ନାଟକ ପରିବେଷଣ କରିବେ । ସେହିପରି ଇନ୍ଦିରା ସାଂସ୍କୃତିକ ଯୁବ ପରିଷଦ (ଖଣ୍ଡଗିରି-ଜାଗମରା) ମଞ୍ଚରେ ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟ ୧୮ ରୁ ୨୨ ତାରିଖ ଯାଏଁ ଓ ଶିବାନୀ ଗଣନାଟ୍ୟ ୨୩ ରୁ ୨୯ ତାରିଖ ଯାଏଁ ଯାତ୍ରା ପରିବେଷଣ କରିବେ। କଳିଙ୍ଗ ‘କାନ୍ଦେନାରେ ବାଇଆ ମନ’ ଓ ଶିବାନୀ ‘ଗାନ୍ଧୀ ଭୂମିକାରେ କହ୍ନେଇ ଦାସ’ ନାଟକକୁ ନେଇ ମଇଦାନକୁ ଓହ୍ଲାଇବେ। ମା ମଙ୍ଗଳା ଯୁବ ପରିଷଦ ମଞ୍ଚରେ ୧୮ ରୁ ୨୩ ତାରିଖ ପର୍ଯ୍ୟନ୍ତ ଦୁର୍ଗା ମନ୍ଦିର ‘କାନ୍ଦେନାରେ ଲୁହ ସରିଯିବ’ ଓ ୨୪ ରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ୱର୍ଣ୍ଣ ମହଲ ‘କେତେ ଦୁଃଖ ଦବୁ ଦେ…ରେ କାଳିଆ’ ନାଟକ ଦର୍ଶକଙ୍କୁ ଭେଟିଦେବେ। ଜୟଦୁର୍ଗା ସାଂସ୍କୃତିକ ପରିଷଦ ମଞ୍ଚରେ ୧୮ ରୁ ୨୩ ତାରିଖ ଗୌରୀ ଗଣନାଟ୍ୟ ଓ ୨୪ ରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ୱପ୍ନ ମହଲ ଯାତ୍ରା ପରିବେଷଣ କରିବେ। ସେହିପରି ସାଇ ନୀଳାଦ୍ରି ଯାତ୍ରା କମିଟି ମାଧ୍ୟମରେ ‘ରଙ୍ଗ ମହଲ’ ଖଣ୍ଡଗିରି ଯାତ୍ରା ମହାସମରରେ ପାଦ ଦେବ। ‘ଜହ୍ନରେ ତୋଳୁଛି ଘର’ ଓ ମୁଁ ‘ଗୋଟିଏ ଝିଅର ବାପା’ ନାଟକକୁ ନେଇ ବିଶ୍ୱ ରଙ୍ଗ ମହଲ ମଇଦାନକୁ ଓହ୍ଲାଇବ । ସେହିଭଳି ନୀଳକଣ୍ଠେଶ୍ବର ଯାତ୍ରା କମିଟି (ବରମୁଣ୍ଡା) ମଞ୍ଚରେ ମଧ୍ୟ ଚଳିତ ବର୍ଷ ନାଟକ ପରିବେଷଣ ହେବ।
୩ ଦିନ ଦୁଲୁକିବ ଖଣ୍ଡଗିରି ପାଦଦେଶ
ସବୁଥର ଭଳି ଏବର୍ଷ ମଧ୍ୟ କୁମ୍ଭ ମେଳା ଓ ଯାତ୍ରା ସାଙ୍ଗକୁ ମହୋତ୍ସବର ମଜା ନେବେ ଦର୍ଶକ । ଖଣ୍ଡଗିରି ପାହାଡ଼ ପାଦଦେଶରେ ଅନୁଷ୍ଠିତ ହେବ ଖଣ୍ଡଗିରି-ଉଦୟଗିରି ମହୋତ୍ସବ। ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ‘କଲ୍ୟାଣ’ର ମିଳିତ ଆନୁକୂଲ୍ୟରେ ମହୋତ୍ସବ ଅନୁଷ୍ଠିତ ହେବ। ଖଣ୍ଡଗିରି-ଉଦୟଗିରି ମହୋତ୍ସବ ୩ ଦିନ ଧରି ଚାଲିବ । ମହୋତ୍ସବ ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
୨୦ରୁ ସମ୍ପୂର୍ଣ୍ଣ ଖୋଲିବ କସ୍ମୋପଲିସ୍ ଫ୍ଲାଏଓଭର
ଖଣ୍ଡଗିରି କୁମ୍ଭମେଳାକୁ ଦୃଷ୍ଟିରେ ରଖି କସମୋପଲିସ ଫ୍ଲାଏଓଭରର ଗୋଟିଏ ପାର୍ଶ୍ବ ରାସ୍ତା ଖୋଲିଥିବା ବେଳେ ଆଉ ଗୋଟିଏ ପଟ ନିର୍ମାଣ କାମ ଚାଲିଛି। ତେବେ ଆସନ୍ତା ମାସ ୧୫ ତାରିଖ ସୁଦ୍ଧା କସମୋପଲିସ ଫ୍ଲାଏଓଭରର ଦୁଇ ପାର୍ଶ୍ବ ରାସ୍ତା ଖୋଲାଯିବ ବୋଲି ବିଏମସିର ପ୍ରସ୍ତୁତି ବୈଠକରେ କହିଛନ୍ତି ଟ୍ରାଫିକ ଏସିପି ଜୟନ୍ତ କୁମାର ଦୋରା। ଖଣ୍ଡଗିରି ଫ୍ଲାଏଓଭର କାର୍ଯ୍ୟକ୍ଷମ ହେବାପରେ କସ୍ମୋପଲିସ ଛକ ନିକଟରେ ଥିବା କଟ୍କୁ ବନ୍ଦ କରାଯିବାରୁ ଡୁମୁଡୁମା, ସରକନ୍ତରା, ରଘୁନାଥ ନଗର ଆଦି ଆଖପାଖ ଅଞ୍ଚଳର ଲୋକେ ଭୁବନେଶ୍ୱର ଯିବାକୁ ହେଲେ ଶନି ମନ୍ଦିର ଫ୍ଲାଏଓଭର ଠାରୁ ବୁଲିକି ଆସିବାକୁ ପଡୁଥିଲା। ଏନେଇ ଭୁବନେଶ୍ୱର ଟ୍ରାଫିକ ପୁଲିସ ପକ୍ଷରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଫ୍ଲାଏଓଭର ନିର୍ମାଣ କରୁଥିବା ଠିକା ସଂସ୍ଥା ସହିତ ଆଲୋଚନା କରାଯାଇଥିଲା। ଆସନ୍ତା ମାସ ୧୫ ତାରିଖ ଦିନ କସମୋପଲିସ ଫ୍ଲାଏଓଭର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି।
ତୁଳସୀର ପୁଣି ‘ଅଧ ରାତିର ସାଥୀ’
ଗତବର୍ଷ ଖଣ୍ଡଗିରି ଯାତ୍ରା ମହାସମରରେ ଚହଳ ପକାଇଥିବା ତୁଳସୀ ଗଣନାଟ୍ୟ ଚଳିତ ଥର ପୁଣି ମଇଦାନକୁ ଓହ୍ଲାଇବ । ଗତ ଥରର ବହୁଚର୍ଚ୍ଚିତ ନାଟକ ‘ଅଧ ରାତିର ସାଥୀ’ ପୁଣି ଦର୍ଶକଙ୍କୁ ଭେଟିଦେବ। ଗତବର୍ଷ ୪ ଦିନ ପାଇଁ ତୁଳସୀ ଗଣନାଟ୍ୟ ଯାତ୍ରା ପରିବେଷଣ କରିଥିଲା। ପ୍ରଥମ ଦୁଇ ଦିନ ଗୋଟିଏ ଲେଖାଟି ସୋ କରିଥିଲା। ଏହି କାହାଣୀରେ ପୀୟୂଷଙ୍କ ଅଭିନୟ ଦର୍ଶକଙ୍କୁ ଅତି ମାତ୍ରାରେ ପ୍ରଭାବିତ କରିଥିଲା । ଫଳରେ ବାକି ଦୁଇ ଦିନ ଦୁଇଟି ଲେଖାଏଁ ସୋ କରିଥିଲା। ୪ ଦିନରେ ୬ ଥର ସେହି ନାଟକ ପରିବେଷଣ କରିଥିଲା। ଚଳିତ ଥର ମଧ୍ୟ ସେହି ନାଟକ ପରିବେଷଣ କରି ଦର୍ଶକୀୟ ଆଦୃତି ଲାଭ କରିବ ବୋଲି ଅନୁଷ୍ଠାନ ଆଶା ରଖିଛି ।
ସିସିଟିଭି ଜଗିବ ଖଣ୍ଡଗିରି
ଖଣ୍ଡଗିରି କୁମ୍ଭ ମେଳା ଓ ଯାତ୍ରା ଅବସରରେ ଜନ ସମାଗମକୁ ଆଖି ଆଗରେ ରଖି କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ। ୭ ପ୍ଲାଟୁନ ପୁଲିସ ଫୋର୍ସ ସାଙ୍ଗକୁ ୨୦ରୁ ଅଧିକ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯିବ। ଏଥିସହିତ ସାଦା ପୋଷାକଧାରୀ ପୁଲିସ ଓ ମହିଳା ପୁଲିସ ମଧ୍ୟ ମୁତୟନ କରାଯିବ। ସେମାନେ ଖଣ୍ଡଗିରି ଓ ଉଦୟଗିରି ପାହାଡ଼ରେ ପଇଁତରା ମାରିବେ। ମେଳା ସହିତ ଯାତ୍ରା ଉପରେ ନଜର ରଖିବାକୁ ପ୍ରବେଶ ପ୍ରସ୍ଥାନ ଦ୍ୱାର ସମେତ ଗୁରୁତ୍ୱପୂର୍ଣ୍ଣ ଯାଗାରେ ୪୦ଟି ସିସିଟିଭି କ୍ୟାମେରା ଖଞ୍ଜା ଯିବ। କଣ୍ଟ୍ରୋଲ ରୁମରୁ ହିଁ ସବୁ ସିସିଟିଭି କ୍ୟାମେରା ଉପରେ ନଜର ରଖାଯିବ। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ସାଙ୍ଗେ ସାଙ୍ଗେ ପୁଲିସ ନଜରକୁ ଆସିବ ଓ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇପାରିବ । ଯାତ୍ରା ମହାକୁମ୍ଭକୁ ଦୃଷ୍ଟିରେ ରଖି ଫେବୃଆରୀ ୧୬ ତାରିଖରୁ ୨୯ ତାରିଖ ଯାଏଁ ଖଣ୍ଡଗିରିରେ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି । କେବଳ ମେଳା ଭିତରେ ନୁହଁ ଖଣ୍ଡଗିରି ଛକ, ଦୁଇ ପଟର ସର୍ଭିସ ରାସ୍ତା ଓ ଜାତୀୟ ରାଜପଥରେ ମଧ୍ୟ ଭିଡ଼ ପରିଲକ୍ଷିତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ୨୦ଜଣ ଟ୍ରାଫିକ କନେଷ୍ଟବଳଙ୍କଙ୍କ ସମେତ ୨ ଅଧିକାରୀଙ୍କୁ ଦାୟିତ୍ବ ଦିଆଯିବ। ଏହିସବୁ କାମକୁ ଟ୍ରାଫିକ୍ ଏସିପି ତଦାରଖ କରିବେ ବୋଲି ଟ୍ରାଫିକ୍ ଡିସିପି ପ୍ରାଣକୃଷ୍ଣ ରାଉତ ଏନେଇ ସୂଚନା ଦେଇଛନ୍ତି।
ମେଳା ପରିସର ହେବ ନୋ ପ୍ଲାଷ୍ଟିକ୍ ଜୋନ୍
କୁମ୍ଭମେଳା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ପକ୍ଷରୁ ସୋମବାର ବିଏମ୍ସି ମୁଖ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର ମଞ୍ଜୁୁଲତା କହଁର, କମିସନର୍ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିସନର ପ୍ରୀୟବ୍ରତ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଷ୍ଟାଣ୍ଡିଂ କମିଟିର ସମସ୍ତ ଅଧ୍ୟକ୍ଷ, ଲାଇନ ଡିପାର୍ଟମେଣ୍ଟର ପ୍ରତିନିଧି, ଟିମ୍ ବିଏମ୍ସି ଉପସ୍ଥିତ ଥିଲେ।ଚଳିତ ବର୍ଷ ଖଣ୍ଡଗିରି ମାଘମେଳାରେ ଜନସାଧାରଣଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା, ଅସ୍ଥାୟୀ ବିଦ୍ୟୁତ୍ ଯୋଗାଣ ଓ ଆଲୋକୀକରଣ, ପରିମଳ ବ୍ୟବସ୍ଥା, ପୁରାତନ ପାଇଖନାଗୁଡ଼ିକୁ ସଫା କରିବା ସହ ନୂତନ ଅସ୍ଥାୟୀ ପାଇଖାନା ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଚଳ ନଳକୂପଗୁଡ଼ିକୁ ମରାମତି ପାଇଁ କୁହାଯାଇଛି। ଏକ ଅନ୍ତଃବିଭାଗୀୟ କମିଟି ଗଠନ କରାଯାଇ ମେଳା ପାଇଁ ସ୍କେଚ୍ ମ୍ୟାପ୍ ପ୍ରସ୍ତୁତ କରିବା ସହ ବ୍ୟବସାୟୀମାନଙ୍କୁ ଅସ୍ଥାୟୀ ଦୋକାନ ପାଇଁ ସ୍ୱତନ୍ତ୍ର ଷ୍ଟଲ ସାଇଜ୍ ନିର୍ଦ୍ଧାରଣ କରାଯିବ ବୋଲି କହିଛନ୍ତି କମିସନର ଶ୍ରୀ କୁଲାଙ୍ଗେ। ମେଳାରେ ଅଗ୍ନି ନିର୍ବାପକ ପାଇଁ ଦମକଳ ମହଜୁଦ୍ ରଖିବାକୁ କୁହାଯାଇଛି। ଅନୁରୋଧକ୍ରମେ ପ୍ରଭୁ ଅନନ୍ତ କିଶୋରଙ୍କ ଯାତ୍ରା ପାଇଁ ଅଧିକ ଆର୍ଥିକ ଅନୁଦାନ, ରାଣୀ ହଂସପୁର, ଗୁପ୍ତ ଗଙ୍ଗା, ଆକାଶ ଗଙ୍ଗା ଇତ୍ୟାଦି ସ୍ଥାନକୁ ସଫେଇ କରିବା ସହ ଆଲୋକୀକରଣ କରିବା, ଜାଗମରାରୁ ଘାଟିକିଆ ରାସ୍ତା ଯାଏଁ ସ୍ୱତନ୍ତ୍ର ଆଲୋକ ସଜ୍ଜାକୁ ଗୁରୁତ୍ୱ ଦିଆଯିବ। ଖଣ୍ଡଗିରି-ଉଦୟଗିରି ମଧ୍ୟରେଥିବା ରାସ୍ତାକୁ ଖୋଲିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି। ମେଳାରେ ‘ନୋ ପ୍ଲାଷ୍ଟିକ୍ ଜୋନ୍’ ହେବ ଓ ପ୍ରତ୍ୟେକ ଦୋକାନୀ ଓଦା ଶୁଖିଲା ବର୍ଜ୍ୟ ପାଇଁ ଦୁଇଟି ଲେଖାଏଁ ଡଷ୍ଟବିନ ରଖିବେ। ଦୈନିକ ସକାଳୁ ଏବଂ ସନ୍ଧ୍ୟାରେ ମେଳାସ୍ଥଳରୁ ବର୍ଜ୍ୟ ଉଠାଇବା ପାଇଁ କୁହାଯାଇଛି। ଖଣ୍ଡଗିରି ଛକରୁ ଜୟଦେବ ବାଟିକା ଛକ ପର୍ଯ୍ୟନ୍ତ ଯଦି କିଛି ଜବରଦଖଲ ରହିଛି, ତାହାକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ରାସ୍ତାଗୁଡ଼ିକର ମରାମତି କରିବା ସହ ମେଳା ପଡ଼ିଆକୁ ସମାନ କରାଯିବ। ରାସ୍ତାରେ ଥିବା ପଟ୍ହୋଲ୍କୁ ତୁରନ୍ତ ଠିକ୍ କରିବାକୁ ନେଇ ଆଲୋଚନା ହୋଇଥିଲା। ସେହିଭଳି ରାସ୍ତାକଡ଼ରେ ବିକ୍ରି କରୁଥିବା ଖାଦ୍ୟ ଦୋକାନରୁ ଖାଦ୍ୟର ମାନ ପରୀକ୍ଷା କରିବା ସହ ନିୟମିତ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।