ଭୁବନେଶ୍ୱର: ନୂଆପଲ୍ଲୀ ଥାନା ଅଞ୍ଚଳରୁ ଏକ ଗଣମାଧ୍ୟମ ସଂସ୍ଥାର ଭିଜୁଆଲ ଏଡିଟରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ କରିଛନ୍ତି ରାଜେନ୍ଦ୍ର ସାହୁ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଜଣେ କିନ୍ନରଙ୍କ ସହ ୨ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁସାରେ, ରାଜେନ୍ଦ୍ରଙ୍କୁ କିଛି ଯୁବକ ଜଣେ ଯୁବତୀଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ। ରାଜେନ୍ଦ୍ର ତାଙ୍କୁ ବିବାହ କରିବାକୁ ମନା କରିବାରୁ ତାଙ୍କୁ ନୂଆପଲ୍ଲୀ ସ୍ଥିତ ଘରୁ ଉଠାଇ ନେଇଯାଇଥିଲେ। ଜଣେ କିନ୍ନର ଏବଂ ଦୁଇ ଜଣ ଯୁବକ ତାଙ୍କୁ ଉଠାଇ ନେଇ ଭରତପୁରର ଏକ ବସ୍ତିକୁ ନେଇଥିଲେ। ସେଠାରେ ଥିବା ଏକ ଘରେ ତାଙ୍କୁ ରଖି ମାଡ଼ ମାରିବା ସହ ଯୁବତୀଙ୍କୁ ବିବାହ କରିବା ପାଇଁ କହିଥିଲେ। ଶେଷରେ ସେ ରାଜି ହେବା ପରେ ତାଙ୍କୁ ଛାଡ଼ି ଦେଇଥିଲେ। ଏନେଇ ରାଜେନ୍ଦ୍ର ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଜଣେ କିନ୍ନରଙ୍କ ସହ ୨ ଯୁବକଙ୍କୁ କାବୁ କରିଛି।