ବୋଲେରୋର ସିକ୍ରେଟ୍ ଚାମ୍ବରରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡିବସିଲା ପୋଲିସ; ୨୧୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ବୋଲେରୋ ପିକ୍‌ଅପ୍ ଭ୍ୟାନର ସ୍ୱତନ୍ତ୍ର ଭାବେ ନିର୍ମିତ ସିକ୍ରେଟ୍ ଚାମ୍ବରରେ ଚାଲାଣ ହେଉଥିବା ୨୧୪ କିଲୋଗ୍ରାମ ଗଞ୍ଜେଇକୁ ପୋଲିସ ଜବତ କରିଛି। ଏହି ଘଟଣାରେ ପୋଲିସ ଗାଡ଼ିର ଡ୍ରାଇଭରକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନା ଅନ୍ତର୍ଗତ ବଡ଼ଦୁରାଲ ଗ୍ରାମର ରିଙ୍କୁ ପାଙ୍ଗି ବୋଲି ଜଣାପଡ଼ିଛି। ଅପରାଧରେ ବ୍ୟବହୃତ ହୋଇଥିବା ବୋଲେରୋ ପିକ୍‌ଅପ୍‌କୁ ମଧ୍ୟ ଘଟଣାସ୍ଥଳରୁ ଜବତ କରାଯାଇଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ମାଲକାନଗିରିରୁ ମାଛକୁଣ୍ଡ ଦେଇ ବାହାର ରାଜ୍ୟକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହି ସୂଚନା ଆଧାରରେ ପୋଲିସ ଟିମ୍ ହନୁମାଲ ଗ୍ରାମ ନିକଟରେ ନାକାବନ୍ଦୀ କରି ଗାଡ଼ି ମୋଟର ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଏକ ସନ୍ଦିଗ୍ଧ ବୋଲେରୋ ପିକ୍‌ଅପ୍ ଟ୍ରକ୍‌କୁ ଅଟକାଇ ତଲାସୀ ନିଆଯାଇଥିଲା। ଗାଡ଼ିର ଏକ ଗୁପ୍ତ ଖୋପରୁ ପ୍ୟାକେଟ୍ ଆକାରରେ ଥିବା ୨୧୪ କିଲୋଗ୍ରାମ ଗଞ୍ଜେଇ ଉଦ୍ଧାର କରାଯାଇଥିଲା। ଆଇନଗତ ପ୍ରକ୍ରିୟା ବଜାୟ ରଖିବା ପାଇଁ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଜବତ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା।

ଏହି ବିପୁଳ ପରିମାଣର ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ ରାଜ୍ୟ ବାହାରେ କେଉଁ ସ୍ଥାନକୁ ଚାଲାଣ ହେଉଥିଲା, ସେ ନେଇ ପୋଲିସ ପକ୍ଷରୁ ବ୍ୟାପକ ତଦନ୍ତ ଜାରି ରହିଛି। ଏହି ବେଆଇନ କାରବାର ପଛରେ ସମ୍ପୃକ୍ତ ଥିବା ଅନ୍ୟ ମୁଖ୍ୟ ଅପରାଧୀମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ଛାନ୍‌ଭିନ୍ ଚଳାଇଛି।

About The Author: Madhusudan Das