କଟକ ବାଲିଯାତ୍ରାରେ ଫୁଡ୍ ସେଫ୍ଟି ଟିମ୍‌ର ଚଢାଉ; ୫ କ୍ୱିଣ୍ଟାଲରୁ ଅଧିକ ବାସି ଓ ରଙ୍ଗ ମିଶା ଖାଦ୍ୟ ନଷ୍ଟ

କଟକ: କଟକ ଐତିହାସିକ ବାଲିଯାତ୍ରାରେ ଜନସ୍ୱାସ୍ଥ୍ୟ ଏବଂ ଖାଦ୍ୟ ନିରାପତ୍ତାକୁ ଗୁରୁତ୍ୱ ଦେଇ କଟକ ମହାନଗର ନିଗମ (KMC) ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ବାଲିଯାତ୍ରା ପଡ଼ିଆରେ ଫୁଡ୍ ସେଫ୍ଟି ଟିମ୍‌ ପକ୍ଷରୁ ଯାଞ୍ଚ ସମୟରେ ପ୍ରାୟ ୫ କ୍ୱିଣ୍ଟାଲରୁ ଅଧିକ ବାସି ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ନଷ୍ଟ କରାଯାଇଛି। ବାଲିଯାତ୍ରାକୁ ଆସୁଥିବା ଲକ୍ଷାଧିକ ଦର୍ଶକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ କେଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। 

ସିଟି ହେଲଥ ଅଫିସର ଡାକ୍ତର ନୃପେନ୍ଦ୍ର ଶତପଥୀଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଟିମ୍ ବାଲିଯାତ୍ରା ପଡିଆରେ ଥିବା ପ୍ରାୟ ୨୫ରୁ ଅଧିକ ଖାଦ୍ୟ ଷ୍ଟଲରେ ଚଢ଼ାଉ କରିଥିଲେ। ଏହି ଯାଞ୍ଚ ସମୟରେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଉପସ୍ଥିତ ରହି ଖାଦ୍ୟର ମାନ ଓ ସଫାସୁତୁରା ପରଖିଥିଲେ। ଯେଉଁ ସ୍ଥାନରେ ବାସି କିମ୍ବା ଅସ୍ୱାସ୍ଥ୍ୟକର ଖାଦ୍ୟ ମିଳିଥିଲା, ସେଗୁଡ଼ିକୁ ତୁରନ୍ତ ନଷ୍ଟ କରାଯାଇଥିଲା। 

ଗତ ତିନି ଦିନ ମଧ୍ୟରେ ହୋଇଥିବା ଯାଞ୍ଚ ଅନୁସାରେ, ପ୍ରାୟ ୨୫ କିଲୋଗ୍ରାମ ମଟନ କରି, ଚାଉମିନ ଏବଂ ମୋମୋ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ଅବସ୍ଥାରେ ମିଳିଥିଲା, ଯାହାକୁ ଫିଙ୍ଗି ଦିଆଯାଇଛି। ଏହା ସହିତ ପ୍ରାୟ ୩୦ ଲିଟର ବ୍ୟବହାର ଅନୁପଯୁକ୍ତ ରନ୍ଧନ ତେଲକୁ ମଧ୍ୟ ଜବତ କରାଯାଇଛି। ଖାଦ୍ୟ ସୁରକ୍ଷା ଅଧିକାରୀ ରଶ୍ମିତା ବେହେରା ମଧ୍ୟ ଏହି ଚଢ଼ାଉରେ ସାମିଲ ଥିଲେ। ବାଲିଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏହିପରି ଯାଞ୍ଚ ପ୍ରକ୍ରିୟା ଜାରି ରହିବ ବୋଲି କେଏମସି ସୂଚନା ଦେଇଛି।

About The Author: Madhusudan Das