ବାତ୍ୟା ‘ଅକୱାନ’ ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୩୭୯ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ, ୫୩୭୬ ଜଣଙ୍କୁ ସ୍ଥାନାନ୍ତର

ଖୋର୍ଦ୍ଧା: ସମ୍ଭାବ୍ୟ ବାତ୍ୟା ‘ଅକୱାନ’କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ପ୍ରଶାସନିକ ପ୍ରସ୍ତୁତି ଜୋରଦାର କରାଯାଇଛି। ଜିଲ୍ଲା ଜରୁରୀକାଳୀନ ଅପରେସନ୍ କେନ୍ଦ୍ର (DEOC) ପକ୍ଷରୁ ନଭେମ୍ବର ୧୯ ତାରିଖ ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା ଜାରି ରିପୋର୍ଟ ଅନୁଯାୟୀ, ଜିଲ୍ଲାରେ ମୋଟ ୫୩୭୬ ଜଣଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।

ବାତ୍ୟା ମୁକାବିଲା ପାଇଁ ଜିଲ୍ଲାରେ ମୋଟ ୩୭୯ଟି ସୁରକ୍ଷିତ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଥିବା ବେଳେ ସେଥିମଧ୍ୟରୁ ୨୬୮ଟି ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ରହିଛି। ଖୋର୍ଦ୍ଧା ଉପଖଣ୍ଡ ପାଇଁ ୩ଟି ଏବଂ ଭୁବନେଶ୍ୱର ଉପଖଣ୍ଡ ପାଇଁ ୭ଟି ଓଏଫଡିସି ଟିମ୍ ମୁତୟନ କରାଯାଇଛି। ସେହିପରି ଖୋର୍ଦ୍ଧା ଉପଖଣ୍ଡରେ ୮ଟି ଏବଂ ଭୁବନେଶ୍ୱର ଉପଖଣ୍ଡରେ ୧୦ଟି ଅଗ୍ନିଶମ ଦଳକୁ ପ୍ରସ୍ତୁତ ରଖାଯାଇଛି। ଆବଶ୍ୟକ ପଡ଼ିଲେ ମୁକାବିଲା ପାଇଁ ୨ଟି ଓଡ୍ରାଫ୍ ଟିମ୍ ନିୟୋଜନ ନିମନ୍ତେ ଅନୁରୋଧ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏନଡିଆରଏଫ୍ ଟିମ୍ ମୁତୟନ ହୋଇନାହାନ୍ତି।

ଅନ୍ୟପକ୍ଷରେ, ଜରୁରୀକାଳୀନ ପରିସ୍ଥିତିରେ ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ପ୍ରସବର ସମ୍ଭାବ୍ୟ ତାରିଖ ୧୫ ଦିନ ମଧ୍ୟରେ ଥିବା ୫୬ ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ପରବର୍ତ୍ତୀ ଜରୁରୀକାଳୀନ ସହାୟତା ପାଇଁ ଜିଲ୍ଲାରେ ୧୯୨.୫୧ କ୍ୱିଣ୍ଟାଲ ଚୁଡ଼ା, ୭୭.୩୭ କ୍ୱିଣ୍ଟାଲ ଗୁଡ଼ ଓ ୪୬,୯୧୩.୨୧ କ୍ୱିଣ୍ଟାଲ ଚାଉଳ ମହଜୁଦ ରଖାଯାଇଛି। ଏଥିସହ ୨୩୮୩ ରୋଲ୍ ପଲିଥିନ୍ ମଧ୍ୟ ଗଚ୍ଛିତ ରହିଛି।

ଜିଲ୍ଲାର ସମସ୍ତ ବ୍ଲକ୍‌ରେ ବରିଷ୍ଠ ଅଧିକାରୀଙ୍କ ସହ ଉପଜିଲ୍ଲାପାଳ ଓ ସହକାରୀ ଜିଲ୍ଲାପାଳମାନଙ୍କୁ ନିୟୋଜିତ କରାଯାଇଛି। ଜିଲ୍ଲାରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିଥିବା ବେଳେ ମତ୍ସ୍ୟଜୀବୀଙ୍କ ସୁରକ୍ଷା ଦୃଷ୍ଟିରୁ ୨୧ ତାରିଖ ପର୍ଯ୍ୟନ୍ତ ମାଛଧରା ଡଙ୍ଗା, ପର୍ଯ୍ୟଟକ ଡଙ୍ଗା ଓ ବାଣିଜ୍ୟିକ ଡଙ୍ଗା ଚଳାଚଳ ଉପରେ କଟକଣା ଜାରି ହୋଇଛି।

ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ୨୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖାଯାଇଛି। ରିପୋର୍ଟ ଅନୁଯାୟୀ, ଜିଲ୍ଲାରେ ହାରାହାରି ୪.୭୩ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ପବନର ବେଗ ସ୍ୱାଭାବିକ ରହିଛି।

ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଜନସାଧାରଣଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବାକୁ ଗୁରୁତ୍ୱ ଦିଆଯାଇଛି ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

About The Author: Madhusudan Das