କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସ୍ଥିତ ଶାଳପଡ଼ା ଅଗ୍ନିଶମ ସେବା କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ମାନସିକ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ କରି ହେମାନନ୍ଦ ଦେହୁରୀ ନାମକ ଜଣେ କର୍ମଚାରୀ କାର୍ଯ୍ୟାଳୟର ଛାତ ଉପରକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ସୂଚନା ଅନୁଯାୟୀ, ହେମାନନ୍ଦ ଦେହୁରୀ ତିନି ମହଲା ବିଶିଷ୍ଟ ଅଗ୍ନିଶମ କାର୍ଯ୍ୟାଳୟର ଛାତ ଉପରକୁ ଚଢ଼ିଯାଇ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ତେବେ ତାଙ୍କର ସହକର୍ମୀମାନେ ତୁରନ୍ତ ହସ୍ତକ୍ଷେପ କରି ତାଙ୍କୁ ବୁଝାସୁଝା କରିବା ସହ ସୁରକ୍ଷିତ ଭାବେ ତଳକୁ ଆଣିବାରେ ସକ୍ଷମ ହୋଇଥିଲେ। ପରେ ଦେହୁରୀ ଅଭିଯୋଗ କରିଥିଲେ ଯେ, ଅଧିକାରୀ ସୂର୍ଯ୍ୟ ହେମ୍ବ୍ରମ୍ ତାଙ୍କୁ ବାରମ୍ବାର ମାନସିକ ନିର୍ଯାତନା ଦେଉଛନ୍ତି। ଯଦି ତାଙ୍କ ସମସ୍ୟାର ସମାଧାନ ନହୁଏ, ତେବେ ସେ ଆଗାମୀ ଦିନରେ କୌଣସି ଚରମ ପଦକ୍ଷେପ ନେଇପାରନ୍ତି ବୋଲି ଚେତାବନୀ ଦେଇଛନ୍ତି। ତେବେ ଜଣେ ଜରୁରୀକାଳୀନ ସେବା ପ୍ରଦାନକାରୀ ନିଜେ ମାନସିକ ଚାପରେ ରହିବା ଘଟଣା ସାଧାରଣରେ ଉଦ୍ବେଗର କାରଣ ପାଲଟିଛି।