ଭଉଣୀ ଭିଣୋଇଙ୍କ ମଧ୍ୟରେ ଝଗଡାର ସମାଧାନ କରିବାକୁ ଆସି ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ

କେନ୍ଦୁଝର: ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ । ଭଉଣୀ ଭିଣୋଇଙ୍କ ମଧ୍ୟରେ ଲାଗିଥିବା ପାରିବାରିକ ଝଗଡାର ସମାଧାନ କରିବାକୁ ଆସି ଭିଣୋଇକୁ ହତ୍ୟା କଲା ଶାଳକ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଉଲିବୁରୁ ବୁରୁ ସାହିରେ ଘଟିଛି ଏହି ଅଘଟଣ । ମୃତକ ହେଲେ ୩୦ ବର୍ଷିୟ ବନମାଳୀ ମୁଣ୍ଡା । ଅଭିଯୁକ୍ତ ଶାଳକ ହେଲେ ଯୋଡ଼ା ଥାନା ଦଣ୍ଡାଗୁଟୁ ଅଞ୍ଚଳର ଅଜୟ ତିରିଆ । ହତ୍ୟା ପରେ ଅଜୟ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଚଳାଇଛି ।

ମିଳିଥିବା ସୂଚନା ଅନୁସାରେ, ବନମାଳୀ ତାଙ୍କ ପତ୍ନୀ ଶୁକମତିଙ୍କୁ ମାରଧର କରୁଥିବା ଅଭିଯୋଗ ରହିଥିଲା। ଏନେଇ ନିଜ ବାପଘର ଲୋକଙ୍କୁ ଜଣାଇଥିଲେ ପତ୍ନୀ ଶୁକମତି । ଏହାପରେ ଶୁକମତିଙ୍କ ଭାଇ ଅଜୟ ଭିଣୋଇ ବନମାଳୀଙ୍କୁ ବୁଝାଇବାକୁ ଆସିଥିଲେ। ତେବେ ରାତିରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହେବା ପରେ ଅଜୟ ବନମାଳୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ବନମାଳୀଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା ଏବଂ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା । ଘଟଣା ପରେ ଅଭିଯୁକ୍ତ ଅଜୟ ଫେରାର ହୋଇଯାଇଥିବା ଜଣାପଡ଼ିଛି।  ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିବା ସହ  ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ୍ କରୁଛି ।

About The Author: Madhusudan Das