ବ୍ୟାଙ୍କକୁ ନ ଆସିଲେ, ଜମା ଟଙ୍କା ଦେଇହେବନି କହିଲା ବ୍ୟାଙ୍କ; ମଶାଣିରୁ ଭଉଣୀର ଶବ ଖୋଳି ବ୍ୟାଙ୍କକୁ କାନ୍ଧେଇ ନେଲା ଭାଇ

ତୁରୁମୁଙ୍ଗା: କେତେ କାକୁତିମିନତି ହେଲେ, ପାରୁପର୍ଯ୍ୟନ୍ତ ବୁଝାଇଲେ। କିନ୍ତୁ, ବ୍ୟାଙ୍କ କର୍ତ୍ତୃପକ୍ଷ କିଛି ଶୁଣିଲେନି; ବ୍ୟାଙ୍କ ନିୟମ ଓ ଗାଇଡ୍‌ଲାଇନର ପାଠ ପଢ଼ାଇଲେ। ଭଉଣୀ ବ୍ୟାଙ୍କକୁ ନ ଆସିଲେ, ତାଙ୍କ ଖାତା‌ରେ ଜମା ଥିବା ଟଙ୍କା ଦେଇହେବନି ବୋଲି ରୋକଠୋକ୍‌ ଶୁଣାଇଦେଲେ। ତେଣୁ, ଅନ୍ୟ ଉପାୟ ନ ପାଇ ମାଟି ଖୋଳି ଭଉଣୀର ଗଳିତ ଶବକୁ ବାହାର କରି ସିଧାସିଧା ବ୍ୟାଙ୍କକୁ ଧାଇଁଲେ। ବ୍ୟାଙ୍କ ବାରଣ୍ଡା‌ରେ ଗଳିତ ଶବକୁ ରଖି ମୋ ଭଉଣୀ ଖାତାର ଟଙ୍କା ଦିଅ ବୋଲି କର୍ତ୍ତୃପକ୍ଷଙ୍କୁ ଗୁହାରି କଲେ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ମଲ୍ଲୀପଶି ଅଞ୍ଚଳରେ ଆଜି ଏପରି ଏକ ଘଟଣା ରାଜ୍ୟବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। 

ସୂଚନାନୁଯାୟୀ, ଡିଆନାଳି ଗ୍ରାମର ବୃଦ୍ଧ ଜିତୁ ମୁଣ୍ଡା ନିଜର ମୃତ ଭଉଣୀ କାଲାରା ମୁଣ୍ଡାଙ୍କ ଆକାଉଣ୍ଟରେ ଥିବା ୧୯ହଜାର ୩୦୦ଟଙ୍କା ଉଠାଇବାକୁ ମଲ୍ଲୀପଶିସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଯାଇଥିଲେ। କିନ୍ତୁ, ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଟଙ୍କା ଦେବାକୁ ମନା କରିଦେଇଥିଲେ। ଯାହା ନାମରେ ଟଙ୍କା ଅଛି, ସେ ନିଜେ ଉପସ୍ଥିତ ହେବା ଆବଶ୍ୟକ ବୋଲି କହି ଟଙ୍କା ଦେବାକୁ ମନା କରିଦେଇଥିଲେ। କିଛି ଦିନ ତଳୁ ଭଉଣୀ କାଲାରର ମୃତ୍ୟୁ ଘଟିସାରିଛି ବୋଲି ଜିତୁ କହିଥିଲେ ହେଁ ବ୍ୟାଙ୍କ କର୍ତ୍ତୃପକ୍ଷ କିଛି ଶୁଣିନଥିଲେ। ତାଙ୍କୁ ବିଭିନ୍ନ କାଗଜପତ୍ର ମାଗିଥିଲେ। ତାଙ୍କ ଭଉଣୀ ଜୀବିତ ନାହାନ୍ତି ବୋଲି ପ୍ରମାଣ ଦେଖାଇବାକୁ କହିଥିଲେ। ତେଣୁ, ସବୁଆଡ଼ୁ ନିରାଶ ହେବା ପରେ ଜିତୁ ଆଜି ଦିନ ପ୍ରାୟ ୧ଟାରେ ମଶାଣିକୁ ଯାଇଥିଲେ। ସେଠାରେ ମାଟି ଖୋଳି ଭଉଣୀ କାଲାରାଙ୍କ ଗଳିତ ଶବକୁ ଏକ ବସ୍ତା‌ରେ ପୂରାଇ ପ୍ରାୟ ୪କି.ମି ଖରାରେ ଚାଲିଚାଲି ବ୍ୟାଙ୍କ ସମ୍ମୁଖରେ ପହଞ୍ଚିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଲୋକଙ୍କ ପ୍ରବଳ ଭିଡ଼ ଜମିବା ସହ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ପରେ ବୁଝାସୁଝା ପରେ ମୃତଦେହକୁ ପୁନର୍ବାର ମଶାଣିରେ ପୋତି ଦିଆଯାଇଥିଲା।

ଏ ସଂପର୍କରେ ବ୍ୟାଙ୍କ ମ୍ୟାନେଜର୍‌ ସୁଶାନ୍ତ ସେଠୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲା ବେଳେ ସେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ଜିତୁ ମୁଣ୍ଡାଙ୍କ ଭାଉଜ ଗୁରୁବାରୀ ମୁଣ୍ଡା କହିଛନ୍ତି ଯେ ବଳଦ ବିକ୍ରି ବାବଦ ଟଙ୍କା କାଲାରାଙ୍କ ନାଁରେ ବ୍ୟାଙ୍କରେ ରଖାଯାଇଥିଲା। ସେହି ଟଙ୍କା ଉଠାଇବା ପାଇଁ ଚେଷ୍ଟା କରୁଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ସହଯୋଗ କରିନଥିଲେ। ତେଣୁ, ଜିତୁ ଏଭଳି ଚରମ ପଦକ୍ଷେପ ନେଇଥିଲେ ବୋଲି ସେ କହିଛନ୍ତି।

About The Author: Madhusudan Das