କେନ୍ଦୁଝର: କରେଣ୍ଟ ଲାଗି ଅଗ୍ନୀଶମ ବାହିନୀର ଯବାନ ମୃତ । ବନ୍ୟା ଜଳ ନିଷ୍କାସନ ବେଳେ ବିଜୁଳି କରେଣ୍ଟ ଲାଗି ଚାଲିଗଲା ଅଗ୍ନୀଶମ ବାହିନୀର ଯବାନଙ୍କ ଜୀବନ । କେନ୍ଦୁଝରରେ ଦୁଇ ଦିନ ଧରି ଲଗାଣ ବର୍ଷାରେ ଜନ ଜିବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା। ରାସ୍ତା ଘାଟ ଘର ଦ୍ୱାର ସବୁ ଆଡେ ପାଣି ଭରି ଯାଇଥିଲା। କାଲି ଠାରୁ ବିଭିନ୍ନ ସ୍ଥାନରେ ଜଳ ନିସ୍କାସନ କରିବା ପାଇଁ କେନ୍ଦୁଝରଗଡ ପୌରପାଳିକା ଓ ଅଗ୍ନିଶମ ବାହିନୀର ଦଶଟି ଟିମ୍ ଜଳ ନିସ୍କାସନ କରିବାର ଲାଗି ଥିଲେ। ଆଜି ସକାଳେ ଟାଉନ ଥାନା ସରକାରି ବାଳିକା ବିଦ୍ୟାଳୟ ସମ୍ମୁଖ ପୋଲିସ କ୍ଲବ୍ ଏଵଂ ପାଖରେ ଥିବା ବିଭିନ୍ନ ଘର ଭିତରୁ ଥିବା ଜଳ ନିଷ୍କାସନ କରୁଥିଲେ ଅଗ୍ନୀଶମ ବାହିନୀର ଦୁଇଟି ଟିମ୍।
ଗୋଟିଏ ଟିମ୍ ପୋଲିସ କ୍ଲବ୍ ରେ ଜଳ ନିସ୍କାସନ କରୁଥିବା ବେଳେ ଅନ୍ୟ ଟିମ୍ ଟି ନିକଟରେ ଥିବା ଘରୁ ପାଣି ନିଷ୍କାସନ କରୁଥିଲେ। ସେହି ଟିମ୍ ରେ ସାମିଲ୍ ଥିଲେ ଚନ୍ଦନ ପଟ୍ଟନାୟକ। ଆଣ୍ଠୁଏ ପାଣିରେ ପଶି ଘର ଭିତରେ ପାଇପ୍ ପକାଇବା ସହ ଜଳ ନିସ୍କାସନ କାର୍ଯ୍ୟ ଆରମ୍ଭ କରିଥଲେ। ଘର ମାଲିକର ଲୁଗା ଶୁଖାଇବା ପାଇଁ ଏକ ଜିଆଇ ତାର ଘର ଅଗଣାରୁ ଅନ୍ୟ ଅଗଣାକୁ ବନ୍ଧା ହୋଇଥଲା। ଦୁର୍ଭାଗ୍ୟ ବଶତଃ କୌଣସି କାରଣରୁ ସେହି ତାରଟିରେ ବିଜୁଳି କରେଣ୍ଟ ସଂଯୋଗ ହୋଇଯାଇଥିଲା। ସେହି ସମୟରେ ଚନ୍ଦନ ପଟ୍ଟନାୟକଙ୍କ ହାତ ପାଣି ଭିତରେ ଥିବା ସମୟରେ ଭୁଲ୍ ବଶତଃ ପଡ଼ି ଯାଇଥିଲା। କେହି କିଛି ବୁଝିବା ପୂର୍ବରୁ କରେଣ୍ଟ ଖାଇ ସେ ତଳେ ପଡ଼ି ଯାଇଥିଲେ। ଅନ୍ୟ ସହକର୍ମୀ ମାନେ କରେଣ୍ଟ ଲାଗି ଥିବା ଜାଣି ପାରି ସଙ୍ଗେ ସଙ୍ଗେ ଅନ୍ୟ ଏକ ପ୍ଲାଷ୍ଟିକ ପାଇପ୍ ଯୋଗେ ତାରଟିକୁ ଟାଣି ଛିଣ୍ଡାଇ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ମେଡିକାଲ ପହଞ୍ଚିଲା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ପରେ ସାରା କେନ୍ଦୁଝରରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।