କେନ୍ଦ୍ରାପଡ଼ା(ଦେବଦତ୍ତ ଦାଶ): କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବନ୍ୟମଣ୍ଡଳୀ ମଧ୍ୟରେ ରହିଛି ଜାତୀୟ ଉଦ୍ୟାନ ଭିତରକନିକା ଓ ଗହୀରମଥା। ହେନ୍ତାଳ ବଣ, ଯାହା ବ୍ରାହ୍ମଣୀ, ବୈତରଣୀ ଓ ଧାମରା ନଦୀର ତ୍ରିକୋଣ ଭୂମିରେ ରହିଛି ୬୭୨ ବର୍ଗ କିଲୋମିଟରର ଏହି ଜାତୀୟ ଉଦ୍ୟାନ। ଜୈବ ବିବିଧତାର ହଟ୍ସ୍ପଟ ଭାବେ ପରିଚିତ ଭିତରକନିକା ଉଦ୍ୟାନରେ ଦେଶର ୭୦ ପ୍ରତିଶତ ଲୁଣିପାଣି କୁମ୍ଭୀର ରହୁଥିବା ବେଳେ ମାଛରଙ୍କା, କାଠହଣା, ବଗ ଭଳି ୧୭୦ରୁ ଅଧିକ ପ୍ରକାରର ପକ୍ଷୀ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଯାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ପ୍ରାକୃତିକ ଭାରସାମ୍ୟ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି।
ପ୍ରକୃତିର ଭୂସ୍ବର୍ଗ
ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ଜୈବ ବିବିଧତା ମଧ୍ୟରେ ୬୩ ପ୍ରକାର ଲୁଣି ହେନ୍ତାଳ ଗଛ, ୩୨୨ ପ୍ରକାର ପକ୍ଷୀ (ମାଛରଙ୍କା, ଗେନ୍ଦାଖିଆ, ବଣି, ବଗ, କାଠହଣା) ସରୀସୃପ ଅହିରାଜ, ଅଜଗର, ଗୋଖର, ତମ୍ପ ସାପ, ଘଡ଼ିଆଳ କୁମ୍ଭୀର(୧୮୪୦ଟି), ସାମୁଦ୍ରିକ ଗୋଧି ଓ ସାପ, ଭେକଟି, ବାଳିଆ, ଚିତଳ, ଖଙ୍ଗା, ଈଲିଶି ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ପ୍ରଚୁର ମିଳେ । ଏହା ବ୍ୟତୀତ ହରିଣ, ସମ୍ବର, ବାରହା, ହେଟା, ବିଲୁଆ, ବଣମଇଁଷି, ଗାଈ, କୁକୁଡ଼ା ଦେଖିବାକୁ ମିଳେ। ଏହି ଉଦ୍ୟାନ ଲୁଣିପାଣିରେ ବଞ୍ଚୁଥିବା କୁମ୍ବୀର, ଭାରତୀୟ ଅଜଗର, କଳା ଆଇବିସ ଓ ଡାର୍ଟରମାନଙ୍କ ବାସସ୍ଥଳୀ । ଲକ୍ଷ ଲକ୍ଷ ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଛ ଗହୀର ମଥା ମୁହାଣରେ ଅଣ୍ଡା ଦେଇଥାନ୍ତି । ଏଠାରେ ଇରୱାଡି ଡଲ୍ଫିନ ମଧ୍ୟ ଦେଖିବାକୁ ମିଳନ୍ତି ।
ମହାନଦୀ, ବ୍ରାହ୍ମଣୀ ଏବଂ ବୈତରଣୀ ନଦୀର ତ୍ରିକୋଣଭୂମିରେ ଗଢ଼ି ଉଠିଥିବା ନୈସର୍ଗିକ ଶୋଭା ସମ୍ପଦରେ ପରିପୂର୍ଣ୍ଣ ଭିତରକନିକାର ବଉଳାକୁମ୍ଭୀର, ଓଡ଼ିଶାର ସର୍ବାଧିକ ଦେଖାଯାଉଥିବା ଇରାୱାଡି, ବଟଲ୍ନୋଜ୍, ହକ୍ବ୍ୟାକ୍, ପାନ୍ଟ୍ରୋପିସିଆଲ୍, ପିନ୍ଲେସ୍, ପରିପଏସ୍, ପ୍ରଭୃତି ୫ ପ୍ରଜାତିର ଡଲ୍ଫିନ୍, ଅଲିଭ୍ରିଡ୍ଲେ କଇଁଛ, ସଂଖ୍ୟାଧିକ ହରିଣ, ବାର୍ହା, ସମ୍ବର, ଫିସିଙ୍ଗ୍ କ୍ୟାଟ୍, ଗଧିଆ, ଝିଙ୍କଙ୍କ ସମେତ ପାଣିଗୋଧି, ଅଜଗର, ଅହିରାଜ ଆଦି ସରୀସୃପ ପ୍ରାଣୀ ରହିଛନ୍ତି। ହେନ୍ତାଳ, ସୁନ୍ଦରୀ, ଶିଶୁମାର, କେରୁଆଁ, ରାଇ, ବଣି, ଗରଣୀ, ଖରସୀ, ବନ୍ଦରୀ, ପାଣିଆମ୍ବ, ସିଙ୍ଗଡ଼ା, ପିତାମ୍ବରୀ, ପିତକୋରୁଆଁ ଆଦି ବିରଳ ଉଦ୍ଭିଦ ଭିତରକନିକାକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇଛି। ପପୁଆ ନିଉଗିନିଆ ପରେ ଭିତରକନିକା ହେଉଛି ପୃଥିବୀର ଦ୍ୱିତୀୟ ବିସ୍ତାରିତ ବୃହତମ ଲୁଣାଜଙ୍ଗଲ। ପ୍ରତିବର୍ଷ ଶୀତଋତୁରେ ଲକ୍ଷାଧିକ ସଂଖ୍ୟାରେ ବିଦେଶାଗତ ପକ୍ଷୀଙ୍କ ଭିଡ଼ ଭିତରକନିକାରେ ଦେଖିବାକୁ ମିଳିଥାଏ।
ଉଦ୍ୟାନର ନବକଳେବର
ଭାରତର ଦ୍ୱିତୀୟ ବୃହତମ ଲୁଣା ଜଙ୍ଗଲ ଭିତରକନିକା। ୧୯୭୫ରେ ୬୭୨ ବର୍ଗ କିଲୋମିଟର ଅଞ୍ଚଳକୁ ଭିତରକନିକା ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଥିବା ବେଳେ ୧୯୯୮ରେ ୧୪୫ ବର୍ଗ କିଲୋମିଟର ଅଞ୍ଚଳ ଭିତରକନିକା ଜାତୀୟ ଉଦ୍ୟାନ ଭାବେ ମାନ୍ୟତା ପାଇଛି। ୨୦୦୨ରେ ଭିତରକନିକାକୁ ଅନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ରାମସାର ସାଇଡ୍ ରୂପେ ଘୋଷିତ ହୋଇଛି। ଭିତରକନିକା ଅଞ୍ଚଳରେ ୫ଟି ଫରେଷ୍ଟବ୍ଲକ ଅଞ୍ଚଳରେ ୧୫୯୦.୧୮ ହେକ୍ଟର ଜଙ୍ଗଲ ରହିଛି। ସେଥିମଧ୍ୟରୁ ହୁକିଟୋଲାରେ ୫୫୫ ହେକ୍ଟର, ଭିତରଖରନାସି-ଏ ରେ ୫୮୩.୮୪ ହେକ୍ଟର, ଭିତରଖରନାସୀ-ବି ରେ ୧୮୭.୮୦ ହେକ୍ଟର, କଣ୍ଟିଲୋରେ ୧୩୯.୨୮ ହେକ୍ଟର, ଜଟାଧାରରେ ୧୨୪.୨୬ ହେକ୍ଟର ଜଙ୍ଗଲ, ୧୯୭୭ ମସିହାରୁ ୧୯୯୦ ମସିହା ମଧ୍ୟରେ ନୋଟିଫିକେସନ ସମୟରେ ଏହି ଜଙ୍ଗଲ ଥିଲା ।
ସେହିପରି ରାଜନଗର ହେନ୍ତାଳବନ ଫରେଷ୍ଟ ଡିଭିଜନ ଅଞ୍ଚଳ ମଧ୍ୟରେ ଥିବା ୪୭ଟି ପ୍ରୋଟେକ୍ଟେଡ୍ ଫରେଷ୍ଟବ୍ଲକରେ ୧୫୬୨୦.୨୫ ହେକ୍ଟର ଲୁଣା ଜଙ୍ଗଲ ରହିଛି। ୧୯୬୧ ରୁ ୧୯୬୭ ମସିହା ମଧ୍ୟରେ ପ୍ରୋଟେକ୍ଟେଡ୍ ଫରେଷ୍ଟବ୍ଲକ ନୋଟିଫିକେସନ୍ ସମୟରେ ୧୫,୬୨୦.୨୫ ହେକ୍ଟର ଜଙ୍ଗଲ ଥିଲା । ଏବେ ଏ ନେଇ କୌଣସି ବିଧିବଦ୍ଧ ତଥ୍ୟ ନ ଥିଲେ ମଧ୍ୟ ଦିନକୁ ଦିନ ଅଧିକ ଆକର୍ଷଣୀୟ ଓ କଳେବର ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି।
ଆକର୍ଷଣରେ ଦେଶୀ ଓ ବିଦେଶୀ ପକ୍ଷୀ
ଅନୁକୂଳ ପରିବେଶ ଥିବାରୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଓ ହଜାର ହଜାର କିଲୋମିଟର ଅତିକ୍ରମ କରି ପ୍ରତିବର୍ଷ ଲକ୍ଷାଧିକ ପକ୍ଷୀ ସୁଦୂର ମାଲେସିଆ, ଆମେରିକା, ଶ୍ରୀଲଙ୍କା, ପାକିସ୍ଥାନ, ଜାପାନ, ଆଫ୍ଗାନିସ୍ଥାନ, ବାଂଲାଦେଶ ଆଦି ଦେଶରୁ ଭିତରକନିକାକୁ ଆସିଥାନ୍ତି। ଭିତରକନିକାରେ ପକ୍ଷୀମାନେ ଜୁନ୍ ପ୍ରଥମ ସପ୍ତାହରୁ ଡିସେମ୍ବର ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଅବସ୍ଥାନ କରିଥାନ୍ତି। ପାଣିପାଗର ବ୍ୟତିକ୍ରମ ହେଲେ କିଛି ପକ୍ଷୀ ଜାନୁୟାରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରହିବାର ଦେଖାଯାଏ। କିନ୍ତୁ ଭିତରକନିକାରେ ଦେଶୀୟ ପକ୍ଷୀଙ୍କୁ ବର୍ଷ ତମାମ ଦେଖିବାକୁ ମିଳିଥାଏ। ବର୍ଷାଦିନେ ଦେଶୀୟ ପକ୍ଷୀ ବସାକରି ଅଣ୍ଡା ଦେଇଥାନ୍ତି। ମାତ୍ର ଜଳବାୟୁ ପରିବର୍ତ୍ତନ ଯୋଗୁଁ ୨୦୧୭ ମସିହାରୁ ବଗଗହନକୁ ଦେଶୀୟ ପକ୍ଷୀମାନେ ଆସିବା ବନ୍ଦ କରିଦେଇଛନ୍ତି।
ଠିକଣା ବଦଳାଉଛନ୍ତି ଦେଶୀ ପକ୍ଷୀ
୧୯୭୨ରେ କାଳିଭଞ୍ଜଡିଆରେ ଭିଡ଼ ଜମାଉଥିବା ଦେଶୀୟ ପକ୍ଷୀ ୧୯୮୧ରୁ ଶୁଆଯୋରରେ ବସା ବାନ୍ଧିଥିଲେ। ୧୯୮୮ରେ ଶୁଆଯୋରରୁ ଠିକଣା ବଦଳାଇ ବଗଗହନକୁ ସ୍ଥାୟୀ ଠିକଣା କରିଥିଲେ ଦେଶୀୟ ପକ୍ଷୀ। ୧୯୮୮ରୁ ୨୦୧୬ ମସିହା ଯାଏଁ ଦୀର୍ଘ ୨୮ ବର୍ଷ ଧରି ଦେଶୀୟ ପକ୍ଷୀଙ୍କ ସ୍ଥାୟୀ ଠିକଣା ହୋଇଥିଲା ବଗଗହନ। ୩ ହେକ୍ଟର ପରିମିତ ବଗଗହନ ପକ୍ଷୀଙ୍କ ତୀର୍ଥସ୍ଥଳ ପାଲଟି ଯାଇଥିଲା। ଦେଶୀୟ ପକ୍ଷୀଙ୍କ କାକଳି ସହିତ ବସା ବାନ୍ଧିବା, କାଠିକୁଟା ଧରି ଉଡ଼ିବାର ଅପୂର୍ବ ଦୃଶ୍ୟକୁ ଦେଖିବା ପାଇଁ ପର୍ଯ୍ୟଟକମାନଙ୍କର ସୁବିଧା ନିମନ୍ତେ ସେଠାରେ ୧୯୯୫ରେ ୱାଚ୍ ଟାୱାର ନିର୍ମାଣ ହୋଇଛି। ୨୦୧୫ରେ ବଗଗହନରେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା କମିଥିଲା। ୨୦୧୬ରେ କେବଳ ଗେଣ୍ଡାଳିଆ ବସା ବାନ୍ଧିଥିଲେ। ୨୦୧୬ ପରଠୁଁ ବଗଗହନରେ ଆଉ ଦେଶୀୟ ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ଶୁଭୁନାହିଁ। ୨୦୧୬ ମସିହାରୁ ମଠଆଡ଼ିଆରେ ଦେଶୀୟ ପକ୍ଷୀ ଭିଡ଼ ଦେଖିବାକୁ ମିଳିଥିଲା। ଗତ ୩ବର୍ଷ ହେଲା ମଠଆଡ଼ିଆ ସହିତ ଲକ୍ଷ୍ମୀପ୍ରସାଦଡ଼ିଆ ଓ ଦୁର୍ଗାପ୍ରସାଦଡିଆରେ ଦେଶୀୟ ପକ୍ଷୀମାନେ ବସା ବାନ୍ଧୁଛନ୍ତି ।
ମାତ୍ର ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନରୁ ବାହାରେ ପ୍ରଥମଥର ପାଇଁ ଦେଶୀୟ ପକ୍ଷୀଙ୍କ ନୂଆ ଠିକଣା ଠାବ କରାଯାଇଛି। ରାଜନଗର ବ୍ଲକ୍ ଓ ଆଳି ବ୍ଲକର ମଧ୍ୟସ୍ଥଳ ବ୍ରାହ୍ମଣୀନଦୀର ଏକମାଣିଆ ଠାରେ ନଦୀ ଭିତରେ ଥିବା ବାଲିଡିଆ ଦ୍ବିପାଞ୍ଚଳରେ ଏବେ ଦେଶୀୟ ପକ୍ଷୀଙ୍କ କାକଳି ଶୁଣିବାକୁ ମିଳୁଛି। ଏକହଜାର ମିଟର ଲମ୍ବା ଓ ୪ଶହ ମିଟର ଚଉଡ଼ାର ଏହି ଡିଆରେ ଆପେ ଆପେ ଲୁଣା ଜଙ୍ଗଲ ସୃଷ୍ଟି ହୋଇଛି। ଏହି ଦ୍ବିପାଞ୍ଚଳରେ ବଣରୁଆ, କେରୁଆଁ, ବନି ପ୍ରଭୃତି ଗଛ ରହିଛି। ଚଳିତବର୍ଷ ଏହି ଦ୍ବିପାଞ୍ଚଳରେ ୨ ହଜାରରୁ ଅଧିକ ବସା ଦେଶୀୟ ପକ୍ଷୀମାନେ କରିଥିବା ଦେଖିବାକୁ ମିଳିଛି। ଏହି ଆଇଲ୍ୟାଣ୍ଡରେ ଅଧିକ ସଂଖ୍ୟାରେ କାପରଖାଇ ପକ୍ଷୀଙ୍କୁ ଦେଖିବାକୁ ମିଳୁଥିବା ବେଳେ ଗେଣ୍ଡାଳିଆ, ରାଣୀବଗ, ମଝିଆଁ ବଗ, ଛୋଟ ବଗ, ଖଇରା ବଗ, ଅନ୍ଧାରୀ ବଗ, ଦା’ବେଣ୍ଟିଆ ଓ ପାଣିକୁଆ ଆଦି ପକ୍ଷୀ ବସା କରି ଅଣ୍ଡା ଦେଇଥିବା ଦେଖିବାକୁ ମିଳୁଛି। ଜାତୀୟ ଉଦ୍ୟାନ ବାହାରେ ପ୍ରଥମଥର ପାଇଁ ଦେଶୀୟ ପକ୍ଷୀମାନେ ବସା ବାନ୍ଧିଛନ୍ତି। ୨୮ ବର୍ଷ ଧରି ଦେଶୀୟ ପକ୍ଷୀମାନେ ଗୋଟିଏ ସ୍ଥାନରେ ଅର୍ଥାତ୍ ବଗଗହନରେ ଭିଡ଼ ଜମାଉଥିବା ବେଳେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗତ ୭ବର୍ଷରେ ଦେଶୀୟ ପକ୍ଷୀ ଚାରି ଚାରିଟି ସ୍ଥାନକୁ ସେମାନଙ୍କ ଆବାସସ୍ଥଳ ଭାବେ ବାଛିଥିବା ପରିବେଶବିତମାନେ ମତ ରଖିଛନ୍ତି।
ଡଲଫିନଙ୍କ ନୂଆ ଅନ୍ତୁଡ଼ିଶାଳ
ସେହିଭଳି ଓଡ଼ିଶାରେ ସବୁଠୁ ଅଧିକ ସଂଖ୍ୟକ ଓ ଅଧିକ ପ୍ରଜାତିର ଡଲଫିନ ଗହୀରମଥା ଓ ଭିତରକନିକାରେ ଦେଖିବାକୁ ମିଳିଛି। କେବଳ ସବୁଠୁ ଅଧିକ ପ୍ରଜାତିର ନୁହେଁ, ଅଧିକ ସଂଖ୍ୟାରେ ଡଲ୍ଫିନ ଶାବକଙ୍କୁ ଦେଖିବାକୁ ମିଳିଥିବାରୁ ଗହୀରମଥା ଡଲଫିନଙ୍କ ଏନ୍ତୁଡ଼ିଶାଳ ପାଲଟିଛି। ୨୦୨୩ ଡଲଫିନ ଗଣନା ସମୟରେ ବଡ଼ ଡଲଫିନ୍ଙ୍କ ସହିତ ଡଲ୍ଫିନ ଶାବକ ଦେଖିବାକୁ ମିଳୁଛି। ଚଳିତବର୍ଷ ସାରା ଓଡ଼ିଶାରେ ୭୩୩ଟି ଡଲଫିନ ଚିହ୍ନଟ କରାଯାଇଥିବା ବେଳେ ସେଥିମଧ୍ୟରୁ ଗହୀରମଥା ଓ ଭିତରକନିକାରେ ୫୫୦ଟି ଡଲଫିନ ଚିହ୍ନଟ କରାଯାଇଛି। ଅର୍ଥାତ୍ ସାରା ଓଡ଼ିଶାର ୭୫ ପ୍ରତିଶତ ଡଲଫିନ ଗହୀରମଥା ଓ ଭିତରକନିକାରେ ଅଛନ୍ତି। ଚଳିତବର୍ଷ କେବଳ ଗହୀରମଥା ରେଞ୍ଜରେ ୫୪୪ଟି ଡଲଫିନ ଚିହ୍ନଟ କରାଯାଇଥିବା ବେଳେ କନିକା ରେଞ୍ଜ୍ରେ ୪ଟି ଓ ରାଜନଗର ରେଞ୍ଜ୍ରେ ୨ଟି ଡଲଫିନ ଗଣନା ବେଳେ ଦେଖିବାକୁ ମିଳିଥିଲା । ଗହୀରମଥାରେ ହମ୍ପବ୍ୟାକ୍ର ସଉସା ପ୍ଲମ୍ବିଆ ପ୍ରଜାତିର ୨୦୮ଟି, ହମ୍ପବ୍ୟାକ୍ର ସଉସା ଚାଇନିଜ ପ୍ରଜାତିର ୨୮୧ଟି, ବଟଲନୋଜ ପ୍ରଜାତିର ୫୨ଟି , ସ୍ପିନର ପ୍ରଜାତିର ୩ଟି ଡଲଫିନ ଗଣନା ବେଳେ ଦେଖିବାକୁ ମିଳିଛି। ସେହିପରି କନିକା ରେଞ୍ଜ୍ର ଖୋଳାରୁ କଣ୍ଟିଆଖାଇ ମଧ୍ୟରେ ୪ଟି ଇରାୱାଡି ପ୍ରଜାତିର ଡଲଫିନ ଦେଖିବାକୁ ମିଳିଥିବା ବେଳେ ରାଜନଗର ରେଞ୍ଜ୍ରେ ୨ଟି ଡଲଫିନ ଠାବ କରାଯାଇଛି।
ଦୀର୍ଘବର୍ଷ ଧରି ଡଲଫିନଙ୍କ ଏନ୍ତୁଡ଼ିଶାଳ ଓଡ଼ିଶାରେ ଚିଲିକାକୁ ବିବେଚନା କରାଯାଉଥିଲା। ୨୦୧୫ ମସିହାରେ ରାଜ୍ୟର ୭ଟି ସ୍ଥାନରେ ୭ ପ୍ରଜାତିର ସମୁଦାୟ ୪୫୦ଟି ଡଲଫିନ ଚିହ୍ନଟ ହୋଇଥିବା ବେଳେ କେବଳ ଭିତରକନିକାରେ ୬ପ୍ରଜାତିର ୨୭୦ଟି ଡଲଫିନ ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ ଅର୍ଥାତ୍ ୨୦୧୬ରେ ମାତ୍ର ୧୯ଟି ୨୦୧୭ରେ ୮୨ଟି, ୨୦୧୮ରେ ୩୦୭ଟି, ୨୦୧୯ରେ ୧୧୨ଟି, ୨୦୨୦ରେ ୬୨ଟି ଓ ୨୦୨୧ରେ ୩୪୨ଟି ଡଲଫିନ ଚିହ୍ନଟ ହୋଇଥିଲା। ପ୍ରତିବର୍ଷ ଜାନୁୟାରୀରେ ଡଲଫିନ ଗଣନା କରାଯାଇଥାଏ । ପାଗର ପ୍ରତିକୂଳ ଓ ଅତ୍ୟଧିକ କୁହୁଡ଼ି ଯୋଗୁଁ ୨୦୨୨ରୁ ଡିସେମ୍ବରରେ ଡଲଫିନ ଗଣନା କରାଯାଉଛି। ୨୦୨୨ରେ ସାରା ଓଡ଼ିଶାରେ ୭୨୬ଟି ଡଲଫିନ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଗହୀରମଥା ଓ ଭିତରକନିକାରେ ୫୪୦ଟି ଡଲଫିନ ଚିହ୍ନଟ ହୋଇଥିଲା। ଚଳିତବର୍ଷ ସାରା ଓଡ଼ିଶାରେ ୭୩୩ଟି ଡଲଫିନ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଗହୀରମଥା ଓ ଭିତରକନିକାରେ ୫୫୦ଟି ଡଲ୍ଫିନ ଚିହ୍ନଟ ହୋଇଛନ୍ତି। ଗତବର୍ଷ ଅପେକ୍ଷା ସାରା ଓଡ଼ିଶାରେ ୩ଟି କମିଥିବା ବେଳେ ଭିତରକନିକା ଓ ଗହୀରମଥାରେ ଗତବର୍ଷ ଅପେକ୍ଷା ୧୦ଟି ଡଲ୍ଫିନ ଅଧିକ ଚିହ୍ନଟ ହୋଇଛନ୍ତି। ସେହିଭଳି ଡାଙ୍ଗମାଳ ଠାରେ ବଉଳାକୁମ୍ଭୀର ପ୍ରଜନନ ଓ ସଂରକ୍ଷଣ କେନ୍ଦ୍ର ରହିଥିବା ବେଳେ ଏଠାରେ ଭାରତର ସର୍ବାଧିକ ବଉଳାକୁମ୍ଭୀର ଦେଖିବାକୁ ମିଳେ। ଏହାସହ ପ୍ରାକୃତିକ ପରିବେଶରେ ସବୁଠୁ ଅଧିକ ଧଳା କୁମ୍ଭୀର ଭିତରକନିକାରେ ଅଛନ୍ତି। ଏଥିସହ ଗହୀରମଥା ବିରଳ ଅଲିଭରିଡ୍ଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଆରିବାଡ଼ା ଭାବେ ପରିଚିତ। ସାରା ବିଶ୍ୱରେ ଉପଲବ୍ଧ ସଂଖ୍ୟା ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଅଲିଭରିଡଲେ ଗହୀରମଥାରେ ସମୂହଅଣ୍ଡା ଦାନ କରିଥାନ୍ତି । ବଉଳାକୁମ୍ଭୀର ଓ ଅଲିଭରିଡ୍ଲେଙ୍କ ପାଇଁ ଭିତରକନିକା ବିଶ୍ୱ ପ୍ରାକୃତିକ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ପୂର୍ବରୁ ବଉଳାକୁମ୍ଭୀର ଓ ଅଲିଭରିଡ୍ଲେଙ୍କ ଏନ୍ତୁଡ଼ିଶାଳ ରୂପେ ପରିଚିତ ଭିତରକନିକା ଏବେ ଡଲଫିନଙ୍କ ଏନ୍ତୁଡିଶାଳ ପାଲଟିବାକୁ ଯାଉଛି।
ବଉଳାଙ୍କ ଶ୍ରେଷ୍ଠ ପ୍ରଜନନ କେନ୍ଦ୍ର
୧୯୭୦ ମସିହା ମଧ୍ୟଭାଗ୍ୟରେ କରାଯାଇଥିବା ଏକ ସର୍ଭେରେ ଭାରତବର୍ଷରେ କୁମ୍ଭୀର ମାନଙ୍କ ସଂଖ୍ୟା ନଗଣ୍ୟ ବୋଲି ଜଣାପଡିଥିଲା । ଏହାପରେ କୁମ୍ଭୀର ମାନଙ୍କର ବଂଶ ବୃଦ୍ଧି ଓ ବାସସ୍ଥଳୀର ସ୍ଥିତି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ମିଳିତ ଜାତିସଂଘର କୃଷି ଓ ଖାଦ୍ୟ ସଂସ୍ଥାର ସହାୟତାରେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏହି ଯୋଜନା ଅନୁଯାୟୀ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସାମୁଦ୍ରିକ ପ୍ରାଣୀ ବିଶେଷଜ୍ଞ ଡଃ. ଏଚ୍.ଆର୍. ବଷ୍ଟାର୍ଡ ଓଡିଶା ସମୁଦ୍ର ଉପକୂଳ ପରିଦର୍ଶନ କରି ଭିତରକନିକା କୁମ୍ଭୀର ବଂଶବୃଦ୍ଧି ପାଇଁ ଅନୁକୂଳ ପରିବେଶ ବୋଲି ଚିହ୍ନଟ କରିଥିଲେ। ୧୯୭୫ ମସିହାରେ ୧୧୫ ବର୍ଗ କିଲୋମିଟର ଅଞ୍ଚଳରେ ୫୦ ଲକ୍ଷ ବ୍ୟୟରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଗଢ଼ିଉଠିଥିଲା। ପ୍ରଥମେ ୩୪ଟି ପରିପକ୍ୱ କୁମ୍ଭୀରଙ୍କ ସହିତ ୯୬ଟି କୁମ୍ଭୀରଙ୍କୁ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି ସଂଖ୍ୟା ୧୭୯୨ରେ ପହଞ୍ଚିଛି।
ଅଲିଭ୍ରିଡ୍ଲେଙ୍କ ଠିକଣା ଗହୀରମଥା
୧୯୭୪ ମସିହାରେ ଆମେରିକାର ବିଶିଷ୍ଟ ପ୍ରାଣୀବିଜ୍ଞାନୀ ଡଃ. ଏଚ୍.ଆର୍.ବଷ୍ଟାର୍ଡ ଭିତରକନିକାର ବଉଳା କୁମ୍ଭୀରମାନଙ୍କ ଉପରେ ଗବେଷଣା କରିବାକୁ ଆସି ଗହୀରମଥାର ଏହି ବିରଳ କଇଁଛ ସମାଗମସ୍ଥଳ ଦେଖି, ଏହା ଅଲିଭ୍ରିଡ୍ଲେ ପ୍ରଜାତିର ବୋଲି ଚିହ୍ନଟ କରିଥିଲେ। ଏହାପରେ ୧୯୯୭ ସେପ୍ଟେମ୍ବର ୨୭ରେ ରାଜ୍ୟ ସରକାର ଗହୀରମଥାକୁ ରାଜ୍ୟର ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା କଲେ। ୧୯୯୩ରେ ଓଡ଼ିଶା ମାରାଇନ୍ ଫିସ୍ ରେଜୁଲେସନ୍ ଆକ୍ଟ ୧୯୮୧ ଅନୁସାରେ ଗହୀରମଥାକୁ ନୋ ଫିସିଙ୍ଗ୍ ଜୋନ୍ ଘୋଷଣା, ସମୁଦ୍ରକୂଳ ଠାରୁ ୨୦ କିଲୋମିଟର ଯାଏଁ ମେସିନ୍ ଡଙ୍ଗା ବା ଟ୍ରଲରରେ ମାଛଧରା ନିଷେଧ, କଇଁଛଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ସୁରକ୍ଷା ଆଇନ୍ ୧୯୭୨, ପରିବେଶ ସୁରକ୍ଷା ଆଇନ୍ ୧୯୮୬, କୋଷ୍ଟାଲ୍ ରେଜୁଲେସନ୍ ଜନ୍ ୧, ୨, ୩, ଓ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଆଇନ୍ ୧୯୮୨ ମଧ୍ୟ ପ୍ରଣୟନ କରାଗଲା।
ପରିବେଶ ସୁହାଉଥିବାରୁ ହଜାର ହଜାର ମାଇଲ୍ ଅତିକ୍ରମ କରି ଅକ୍ଟୋବର ପ୍ରଥମ ସପ୍ତାହରୁ ଗହୀରମଥାକୁ କଇଁଛ ଆସିଥାନ୍ତି ଓ ଅଣ୍ଡାଦେଇ ଛୁଆ ଫୁଟାଇବା ପରେ ମଇ ମାସ ଶେଷ ସୁଦ୍ଧା ଚାଲିଯାଇଥାନ୍ତି। ବିଶ୍ୱରେ ଉପଲବ୍ଧ ହେଉଥିବା ଏହି ପ୍ରଜାତିର କଇଁଛ ସଂଖ୍ୟାରୁ ପ୍ରାୟ ୫୦ ପ୍ରତିଶତ କଇଁଛଙ୍କ ସମାଗମ ଗହୀରମଥାରେ ହୋଇଥାଏ। ସବୁଠାରୁ ଛୋଟ ବିରଳ ସାମୁଦ୍ରିକ କଇଁଛ ଦଳ ଦଳ ହୋଇ ବାଲୁକା ରାଶିରେ ୪୦ ରୁ ୪୫ ସେଣ୍ଟିମିଟର ଗଭୀରତାର ଗାତ ଖୋଳି ୧୦୦ ରୁ ୧୨୦ଟି ଲେଖାଏଁ ଅଣ୍ଡା ଦେଇଥାନ୍ତି। ଏହି କଇଁଛ ଅଣ୍ଡାରୁ ସାଧାରଣତଃ ୪୫ ରୁ ୬୦ ଦିନ ମଧ୍ୟରେ ଛୁଆ ବାହାରିଥାନ୍ତି ।
ନାଶି-୨ ସ୍ଥାନଟି ମାତ୍ର ୨୨ ହେକ୍ଟର ବାଲିପଠାରେ ସୀମିତ। ଏତେ ଛୋଟ ଜାଗାରେ ଗୋଟିଏ କଇଁଛ ଅଣ୍ଡାଦେଇଯିବା ପରେ ପୁଣି ଆଉ ଗୋଟେ କଇଁଛ ସେହି ସ୍ଥାନରେ ଗାତ ଖୋଳି ଅଣ୍ଡା ଦେଉଛନ୍ତି। ଫଳରେ ଅଣ୍ଡା ଅଣ୍ଡାଦାନ ପକ୍ରିୟା ସମୟରୁ ହିଁ ଅଧିକାଂଶ ଅଣ୍ଡା ନଷ୍ଟ ହୋଇଯାଉଛି। ୧୯୭୪ରେ କଇଁଛମାନେ ଗଣଅଣ୍ଡାଦାନ କରୁଥିବା ଗହୀରମଥାର ନାଶି-୨ ଦୀପ ପୁଞ୍ଜଟିର ଲମ୍ବ ୧୫ କିଲୋମିଟର ୬ ଶହ ମିଟର ଥିଲା । ମାତ୍ର ପରବର୍ତ୍ତୀ ଅବସ୍ଥାରେ ସମୁଦ୍ରର ପଟ୍ଟ ପରିବର୍ତ୍ତନ, ଟ୍ରେକିଂ ୱାଟର ସିଷ୍ଟମର ପ୍ରଭାବ ଓ ବଙ୍ଗୋପସାଗରରେ ଆଶାତୀତ ଭାବେ ଜଳପତ୍ତନ ବୃଦ୍ଧି ଯୋଗୁଁ ଏହି ସ୍ଥାନଟି ଏବେ ୨୨ ହେକ୍ଟରକୁ ଖସି ଆସିଛି।
ସଂରକ୍ଷିତ ଜଙ୍ଗଲ ମାନ୍ୟତା
ସଂରକ୍ଷିତ ଜଙ୍ଗଲ ଆଇନ୍ – ୪ ଅକ୍ଟୋବର ୧୯୬୧ରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ଭିତରକନିକାକୁ ପ୍ରୋଟେକ୍ଟେଡ୍ ଫରେଷ୍ଟ ( ସଂରକ୍ଷିତ ଜଙ୍ଗଲ) ଭାବେ ଘୋଷଣା କରାଗଲା। ଏହାର ପରିସୀମା କନିକା ଜଙ୍ଗଲକୁ ଚିହ୍ନଟ ନ କରି ରାଜନଗର, ରାଜକନିକା, ଆଳି, ମହାକାଳପଡ଼ା, ଚାନ୍ଦବାଲି, ବାଂଶଡ଼ା, ତିହିଡ଼ି ପ୍ରଭୃତି ପୂର୍ବତନ କନିକା ଜମିଦାରୀ ଅଞ୍ଚଳକୁ ସଂରକ୍ଷିତ ଜଙ୍ଗଲ ଭାବେ ଘୋଷଣା କରାଗଲା।
ଭିତରକନିକା ଅଭୟାରଣ୍ୟ- ୨୨ ଅପ୍ରେଲ ୧୯୭୫ରେ ଭିତରକନିକାର ୬୭୨ ବର୍ଗ ବର୍ଗକିଲୋମିଟର ଅଞ୍ଚଳକୁ ରାଜ୍ୟ ସରକାର ଅଭୟାରଣ୍ୟ ରୂପେ ଘୋଷଣା କଲେ। ଏକ ନିର୍ଦ୍ଦିଷ୍ଟ ଜଙ୍ଗଲ ଅଞ୍ଚଳକୁ ବାଦ୍ଦେଲେ ଜାତୀୟ ଉଦ୍ୟାନ ମଧ୍ୟରେ କିଛି ଜନବସତି ଏବଂ ଏ ଅଞ୍ଚଳର ସୁରକ୍ଷା କବଚ ଲୁଣା ଘେରିବନ୍ଧକୁ ସୀମା ସରହଦ ଘୋଷଣା କରାଗଲା ।
ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ- ଭିତରକନିକା ସଂଲଗ୍ନ ବିସ୍ତୀର୍ଣ୍ଣ ବେଳାଭୂମିର ସମୁଦ୍ର ଭିତରକୁ ୨୦ କିମି ଅଞ୍ଚଳକୁ ୨୭ ସେପ୍ଟେମ୍ବର ୧୯୯୭ରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରାଗଲା। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳକୁ ବର୍ଷ ତମାମ ନୋ’ଫିସିଙ୍ଗ୍ ଜୋନ୍ ଭାବେ ଘୋଷଣା କରାଗଲା। ଏହା ଭାରତର ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟର ମାନ୍ୟତା ପାଇଛି। ରାମସାର ସାଇଟ୍- ୨୦୦୨ ମସିହାରେ ଭିତରକନିକାକୁ ଅନ୍ତର୍ଜାତୀୟ ରାମସାର ସାଇଟ୍ର ମାନ୍ୟତା ମିଳିଛି। ଭିତରକନିକାକୁ ରାମସାର ସାଇଟ୍ ରୂପେ ଘୋଷଣା କରାଯାଇଥିବା ବେଳେ ଅନ୍ତର୍ଜାତୀୟ ଆର୍ଦ୍ରଭୂମିର ମାନ୍ୟତା ମିଳିସାରିଛି ।
ଇକୋ ସେନ୍ସେଟିଭ୍ ଜୋନ୍
୨୦୧୫ ଜୁନ୍ ୧୬ ତାରିଖରେ ଭିତରକନିକା ମ୍ୟାନ୍ଗ୍ରୁପ ଡିଭିଜନ୍ ( ୱାଇଲ୍ଡ୍ ଲାଇଫ୍)ର ୨ କିମି ଯାଏଁ ପରିଧିକୁ ପରିବେଶ ସ୍ପର୍ଶକାତର ଅଞ୍ଚଳ ବା ଇକୋ ସେନ୍ସିଟିଭ୍ ଜୋନ୍ ଭାବେ ଘୋଷଣା କରାଯାଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ଗେଜେଟ୍ ଅନୁଯାୟୀ ହେନ୍ତାଳବନ ଫରେଷ୍ଟ ଡିଭିଜନ୍, ୱାଇଲ୍ଡ ଲାଇଫ୍ର ୩ ଟି ପ୍ରୋଟେକ୍ଟେଡ୍ ଏରିଆ ଭିତରକନିକା ୱାଇଲ୍ଡ୍ ଲାଇଫ୍ ସାନ୍ଚୁରୀ (୧୯୭୫), ଗଭୀରମଥା ସାମୁଦ୍ରିକ ଅଭୟାରଣ୍ୟ (୧୯୯୭), ଭିତରକନିକା ନ୍ୟାସ୍ନାଲ ପାର୍କ (୧୯୯୮)ର ବାଉଣ୍ଡାରୀ ରୁ ୨ କିମି ଯାଏଁ ପରିଧିକୁ ପରିବେଶ ସ୍ପର୍ଶକାତର ଅଂଚଳ (ଇକୋ ସେନ୍ସିଟିଭ୍ ଜୋନ୍) ଭାବେ ଘୋଷଣା କରାଯାଇଛି। ୩ଟି ପ୍ରୋଟେକ୍ଟେଡ ଅଞ୍ଚଳର ୫୬୦ ମିଟରରୁ ୨ କିମି ଯାଏଁ ଓସାରରେ ଏହି ଆଇନ୍ ଲାଗୁ ହୋଇଛି । ୪୪୬.୪୦ ବର୍ଗ କିମି ଅଞ୍ଚଳରେ ଏହି ଆଇନ୍ ଲାଗୁ କରାଯାଇଛି। ଭିତରକନିକାରେ ୭୧ ପ୍ରକାରର ବିରଳ ଲୁଣା ଗଛ, କ୍ରୋକଡାଇଲ୍ ପ୍ରୋଜେକ୍ଟ, ଏସିଆର ସବୁଠୁ ବଡ଼ ବଗଗହନ ରହିଛି।