କାମାକ୍ଷାନଗର: ଛାତ୍ରୀଙ୍କ ମୁହଁରେ ହସ ଭରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ। ଅର୍ଥ ଅଭାବରୁ ପାଠ ପଢ଼ିପାରୁ ନ ଥିବା ଜଣେ ଛାତ୍ରୀଙ୍କୁ ୫ଟି ସଚିବଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇଛି।
ସୂଚନା ମୁତାବକ, କାମାକ୍ଷାନଗର ବ୍ଲକ୍ ବୁଢ଼ିବିଲି ପଞ୍ଚାୟତ ଭଇରିପୁରର ବାଜିଆ ନାଏକ ଓ ରୋଦନା ନାଏକଙ୍କ ଝିଅ କାମିନା ନାଏକ ୨୦୧୮ରେ ଦଶମ ପାସ୍ କରିଥିଲେ। କିନ୍ତୁ ଅର୍ଥ ଅଭାବରୁ ଆଉ ଆଗକୁ ପଢ଼ିପାରି ନ ଥିଲେ। ସେ ଯୁକ୍ତ ୨ ପଢ଼ିବାକୁ ଚାହିଁଥିଲେ ବି ଅଭାବ ତାଙ୍କ ପାଠ ପଢ଼ାରେ ଡୋରି ବାନ୍ଧି ଦେଇଥିଲା। ଏନେଇ ସାମାଜିକ କର୍ମୀ ସଂଜିତ ଦାସ୍ ଟ୍ବିଟ କରି ୫ଟି ସଚିବ ଶ୍ରୀ ପାଣ୍ଡିଆନ୍ଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଟ୍ବିଟ ଦେଖିବା ପରେ ତୁରନ୍ତ ପଦକ୍ଷେପ ନେବାକୁ ୫ଟି ସଚିବ ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ପଦକ୍ଷେପ ନେବାକୁ ଦାୟିତ୍ବ ଦିଆଯାଇଛି। ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଏନେଇ ଟ୍ବିଟ ଯୋଗେ ଜଣାଇଛନ୍ତି। ଛାତ୍ରୀଙ୍କ କଲେଜ୍ ଆଡ଼ିମିସନ ଓ ପରବର୍ତ୍ତୀ ପାଠପଢ଼ା ଦାୟିତ୍ବ ସରକାର ନେବେ ବୋଲି ଜଣାପଡ଼ିଛି। ଏହା ଶୁଣିବା ପରେ ଛାତ୍ରୀଙ୍କ ପରିବାରରେ ଖୁସିର ଲହରୀ ଖେଳିଛି। ଦଶମ ପାସ୍ କରିବାର ଦୀର୍ଘ ୫ବର୍ଷ ପରେ ଛାତ୍ରୀ କାମିନା କଲେଜ୍ ପଢ଼ିବାର ସୁଯୋଗ ପାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସହିତ ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।