ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବରିକିଆ ଗାଁରେ ଗଞ୍ଜେଇ ଜବତ କରିବାକୁ ଯାଇଥିବା ବେଳେ ପୁଲିସକୁ ହଟହଟା ହେବାକୁ ପଡିଛି। ଜବତ ଗଞ୍ଜେଇକୁ ନେଇ ପୁଲିସ୍ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ସୂଚନା ଅନୁସାରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ରବିବାର ଭୋର୍ରେ ବାଲିଗୁଡ଼ା ଏସଡିପିଓ ରାହୁଲ ଗୋଏଲଙ୍କ ନେତୃତ୍ୱରେ ସଶସ୍ତ୍ର ପୁଲିସ ଫୋର୍ସ ବରିକିଆ ଗ୍ରାମରେ ଚଢ଼ଉ କରିଥିଲେ। ବୋରିକିଆ ଅଞ୍ଚଳରୁ ଗଞ୍ଜେଇ ଜବତ କରି ଫେରିବା ସମୟରେ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି।
ଗ୍ରାମବାସୀ ଗଛ କାଟି ରାସ୍ତା ଅବରୋଧ କରି ପୁଲିସକୁ ଅଟକାଇଥିଲେ। ଉଭୟଙ୍କ ମଧ୍ୟରେ ବାକ୍ ଯୁଦ୍ଧ ହେବା ପରେ ଗ୍ରାମବାସୀ ଜବତ ଗଞ୍ଜେଇକୁ ସେଠାରୁ ନେବାକୁ ଦେଇ ନଥିଲେ। ପରେ ଗ୍ରାମବାସୀ ଜବତ ଗଞ୍ଜେଇକୁ ଗାଁ ଦାଣ୍ଡରେ ପୋଡ଼ିବା ପରେ ପୁଲିସକୁ ଛାଡ଼ିଥିଲେ। ଘଟଣାକୁ ନେଇ ବାଲିଗୁଡ଼ା ଥାନାରେ ଏକ ମାମଲା ରୁଜୁ କରି ଗଞ୍ଜେଇ ମାଫିଆଙ୍କୁ ଧରିବାକୁ ଜାଲ ବିଚ୍ଛାଯାଇଛି ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ ଶ୍ରୀ ଗୋଏଲ୍।