ଫୁଲବାଣୀ : ଶୁକ୍ରବାର ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ପ୍ରିତିଶ କୁମାର ରାଉତରାଇ ଏକ ଏସିଡ ଫିଙ୍ଗା ମାମଲାରେ ଆସାମୀ ପ୍ରମୋଦ କୁମାର ସାହୁଙ୍କୁ ୧୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୧୭ ଜଣ ସାକ୍ଷୀ ଓ ପ୍ରତ୍ୟକ୍ଷଦର୍ଶୀ ବୟାନକୁ ଭିତ୍ତି କରି ଅଦାଲତ ପ୍ରମୋଦକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଦୋଷୀକୁ ସଶ୍ରମ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି , ଜରିମାନା ଅନାଦେୟ ହେଲେ ଆଉ ୬ ମାସ ଜେଲ୍ରେ ରହିବାକୁ ପଡିବ ବୋଲି ରାୟରେ ଉଳ୍ଲେଖ ରହିଛି। ସରକାରକ ପକ୍ଷରୁ ଓକିଲ ଶିବ ପ୍ରସାଦ ତ୍ରିପାଠୀ ଏହି ମାମଲାର ପରିଚାଳନା କରିଥିଲେ।
ଘଟଣାରୁ ପ୍ରକାଶ ଯେ ୨୦୨୩ ମସିହା ଡିସେମ୍ବର ୨୮ ତାରିଖ ଅପରାହ୍ନ ୧.୩୦ ସମୟରେ ଫୁଲବାଣୀ ସାହିର ସୁରଜ କୁମାର ମହାନ୍ତି , ଫୁଲବାଣୀ ଶଶୀ ପାନ ଦୋକାନ ଛକଠାରେ ଠିଆ ହୋଇ ଥିଲାବେଳ ଆସାମୀ ପ୍ରମୋଦ ତାଙ୍କ ଉପରକୁ ଏସିଡ ଫିଙ୍ଗି ଥିଲା , ଏ ଖବର ପାଇ ସୁରଜଙ୍କ ବାପା କୃଷ୍ଣ ଚନ୍ଦ୍ର ମହାନ୍ତି ଘଟଣାସ୍ଥଳକୁ ଆସି ପହଁଚିଲା ପରେ ଆସାମୀ ତାଙ୍କ ଉପରକୁ ମଧ୍ୟ ଏସିଡ ଫିଙ୍ଗି ଥିଲା । ଏସିଡ ମାଡ଼ରେ ବାପା ଓ ପୁଅ ଗୁରୁତର ହେବାରୁ କିଛି ସ୍ଥାନୀୟ ବ୍ୟକ୍ତି ତାଙ୍କୁ ଫୁଲବାଣୀ ହସ୍ପିଟାଲକୁ ନେଇଥିଲେ । ଆସାମୀକୁ ସେଠାରେ ଥିବା ଲୋକ କାବୁ କରି ପୁଲିସର ଜିମା ଦେଇଥିଲେ।