ଜି.ଉଦୟଗିରି (ବଟ୍ଟକୃଷ୍ଣ ଦାଶ): ଭଗବାନଙ୍କ ଉପରେ ଆସ୍ଥା ଚମତ୍କାର। ଏଥିପାଇଁ ପ୍ରମାଣ ଲୋଡ଼ା ହୁଏନି; ବରଂ ଅନେକ ଲୋକଶୃତି, ଲେଖା ମାଧ୍ୟମରେ ଠାକୁରଙ୍କ ମହିମା ପିଢ଼ି ପରେ ପିଢ଼ି ପରିବ୍ୟାପ୍ତ। ଆମ ରାଜ୍ୟରେ ଅନେକ ଦେବାଦେବୀଙ୍କ ପୀଠ ରହିଛି। ସବୁ ପୀଠର ମହିମା ଅଲଗା ଓ ପରମ୍ପରା ବି ଭିନ୍ନ। କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିର ଅଧିଷ୍ଠାତ୍ରୀ ଦେବୀ ମା ବରାଳିନୀ। ମାଆଙ୍କର ମନ୍ଦିର ଅଛି; କିନ୍ତୁ ଏଠାରେ ମାଆଙ୍କର ମୂର୍ତ୍ତି ନାହିଁ। ମାଆ କିନ୍ତୁ ଭାରି ପ୍ରତ୍ୟକ୍ଷ। ବର୍ଷକୁ ମାତ୍ର ୫ ଥର ମନ୍ଦିର ଦ୍ୱାର ଖୋଲେ। ଏହି ସମୟରେ ଭକ୍ତଙ୍କର ପ୍ରବଳ ଭିଡ଼ ହୁଏ।
ଲୋକଶ୍ରୁତି କହେ ଘୁମୁସର ରାଜା ଉପେନ୍ଦ୍ର ଭଞ୍ଜ ସପ୍ତଦଶ ଶତାବ୍ଦୀରେ ଏହି ମନ୍ଦିର ତିଆରି କରିଥିଲେ। ଏ ମନ୍ଦିର ତିଆରି ପଛରେ ବି ଚମତ୍କାର କିମ୍ବଦନ୍ତୀ ରହିଛି। ବହୁ ବର୍ଷ ପୂର୍ବେ ଜି.ଉଦୟଗିରି ଗୋଟେ ଛୋଟ ଗାଁ ଥିଲା। ମନ୍ଦିର ତିଆରି ହୋଇଥିବା ଜମିରେ ଦୁଇଜଣ ହଳ କରିବାକୁ ଯାଇଥିବା ବେଳ ଲଙ୍ଗଳ ମୂନ ବାଜି ପ୍ରଚୁର ରକ୍ତ ବାହାରିଥିଲା। ସେହି ଦିନ ରାତିରେ ଗୁନା ବଂଶର ମୁଖିଆଙ୍କୁ ମାଆ ବରାଳିନୀ ସ୍ୱପ୍ନାଦେଶ ଦେଇ ପୂଜା କରିବା ପାଇଁ କହିଥିଲେ। ସ୍ୱତନ୍ତ୍ର ଲଗ୍ନ ଦେଖି କେବଳ ଦୁଆର ଖୋଲିବା ପାଇଁ କହିଥିବାରୁ ସେହିଦିନଠାରୁ ବର୍ଷକୁ ୫ ଥର ହିଁ ମନ୍ଦିର ଖୋଲେ। ଜ୍ୟେଷ୍ଠ ଶୁକ୍ଲ ପକ୍ଷ ନବମୀ ଏବଂ ଦଶମୀ ତିଥିରେ ଥରେ ମାଆଙ୍କ ମନ୍ଦିର ଖୋଲେ। ସେହିପରି ଗହ୍ମା ପୂର୍ଣ୍ଣମୀ, ଆଶ୍ୱୀନ ଶୁକ୍ଳପକ୍ଷରେ ଦିନେ, ପୌଷ ପୂର୍ଣ୍ଣମୀରେ ଦିନେ ମନ୍ଦିର ଖୋଲାଯାଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୁଏ। ଦଣ୍ଡ ଯାତ୍ରା ପୂର୍ବରୁ ଫାଲଗୁନ ମାସରେ ପଞ୍ଚମ ଥର ପାଇଁ ମନ୍ଦିର ଖୋଲାଯାଇ ପାଳନ ହୁଏ ଆମ୍ବ ମହୁଲ ସହ ପାଳିତ ହୁଏ ନୂଆଖିଆ ପର୍ବ। ଅନ୍ୟ ଦିନଗୁଡ଼ିକରେ ମନ୍ଦିର ବାହାରେ ଭକ୍ତମାନେ ପୂଜା କରନ୍ତି।
ମାଆ ବରାଳିନୀଙ୍କୁ ନେଇ ଆଉ ଏକ ସୁନ୍ଦର ଲୋକ କଥା ରହିଛି। କଳାହାଣ୍ଡିର ରାଜା ମାଣିକେଶ୍ୱରୀ ଦେବୀଙ୍କ ସାତ ଭଉଣୀଙ୍କୁ ନିଜ ଶାଳକ ବୈଦ୍ୟରାଜାଙ୍କୁ ପୂଜାର୍ଚ୍ଚନା ପାଇଁ ଦେଇଥିଲେ। କଥା ଥିଲା ବୈଦ୍ୟରାଜା ସେମାନଙ୍କୁ ନେଇ ଆସିବା ବେଳେ ଯେଉଁ ସ୍ଥାନରେ ବିଶ୍ରାମ ନେବେ ସେଠାରେ ଜଣେ ଜଣେ ଭଉଣୀ ରହିଯିବେ। ରାଜା ବାଲିଗୁଡା, ମହାସଙ୍ଗି, ବନ୍ଧଗଡ଼, ଲିଙ୍ଗାଗଡ଼, ଜି. ଉଦୟଗିରି, ବଲସକୁମ୍ପା ଏବଂ ପୁରୁଣା କଟକରେ ରାଜା ବିଶ୍ରାମ ନେଇଥିବା ବେଳେ ସେଠାରେ ମାଣିକେଶ୍ୱରୀଙ୍କ ସାତ ଭଉଣୀଙ୍କ ଆସ୍ଥାନ ରହିଛି।