କାଲିମେଳା ପୋଲିସକୁ ବଡ଼ ସଫଳତା: ଚଢ଼ାଉବେଳେ ଜଙ୍ଗଲରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ

ମାଲକାନଗିରି: କାଲିମେଳା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପୋଲିସ ଏକ ଜଙ୍ଗଲିଆ ଅଞ୍ଚଳରେ ଚଢ଼ାଉ କରି ପ୍ରାୟ ୧ କୋଟି ୨ ଲକ୍ଷ ଟଙ୍କା (୧.୦୨ କୋଟି) ମୂଲ୍ୟର ୧୦୨୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ବିପୁଳ ପରିମାଣର ଗଞ୍ଜେଇ କାଙ୍ଗୁରୁକୋଣ୍ଡା ପଞ୍ଚାୟତ ଅଧୀନସ୍ଥ ଏମଭି-୭୩ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ଲୁଚାଇ ରଖାଯାଇଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ବିପୁଳ ପରିମାଣର ଗଞ୍ଜେଇ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲା। ତେବେ ପୋଲିସ ପହଞ୍ଚିବା ପୂର୍ବରୁ ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ମାଫିଆମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ପୋଲିସର ସନ୍ଦେହ ଅନୁଯାୟୀ, ଅନ୍ୟ ରାଜ୍ୟକୁ ଚାଲାଣ କରିବା ଉଦ୍ଦେଶ୍ୟରେ ଏହି ଗଞ୍ଜେଇକୁ ଜଙ୍ଗଲରେ ମହଜୁଦ କରି ରଖାଯାଇଥିଲା।

ଏହି ଗଞ୍ଜେଇ ଚାଲାଣ ପଛରେ କେଉଁମାନେ ଅଛନ୍ତି ଏବଂ ଏହା କେଉଁଠାରୁ ଆସିଲା ଓ କେଉଁ ସ୍ଥାନକୁ ପଠାଯିବାର ଥିଲା, ସେ ନେଇ ପୋଲିସ ପକ୍ଷରୁ ଏକ ବିସ୍ତୃତ ତଦନ୍ତ ଆରମ୍ଭ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ଏକ ମାସ ମଧ୍ୟରେ କେବଳ କାଲିମେଳା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଟନ୍‌ରୁ ଅଧିକ ଗଞ୍ଜେଇ ଜବତ କରିସାରିଲାଣି। ଏତେ ବଡ଼ ଧରଣର ଗଞ୍ଜେଇ ଜବତ ହେବା ପରେ, ଏବେ ପୋଲିସ ଏହି ବେଆଇନ କାରବାର ସହ ଜଡ଼ିତ ବୃହତ୍ ନେଟୱାର୍କକୁ ଚିହ୍ନଟ କରିବା ଉପରେ ଗୁରୁତ୍ୱାରୋପ କରୁଛି।

About The Author: Madhusudan Das