କଳାହାଣ୍ଡି: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଗଡ଼ିଲା ମୁଣ୍ଡ । ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା । କଳାହାଣ୍ଡି ଜିଲ୍ଲା ଜୟପାଟଣା ପୋଲିସ ଷ୍ଟେସନ ଅନ୍ତର୍ଗତ କୁମାଜୋର ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି । ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦକୁ ନେଇ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକଙ୍କ ନାମ ସୁବେ ଶବର ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳେ ସୁବେ ଶବର ଏବଂ ତାଙ୍କ ପତ୍ନୀ ସତ୍ୟା ଶବର ଚାଷ କାମ ପାଇଁ ନିଜ ବିଲକୁ ଯାଇଥିଲେ। ଅପରାହ୍ନ ସମୟରେ ସେମାନେ ଘରକୁ ଫେରୁଥିବା ବେଳେ ଗାଁର ଦୁଇ ଜଣ ବ୍ୟକ୍ତି ଜଗନ୍ନାଥ ଶବର ଏବଂ ଦେଶରାମ ଶବର ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ପୂର୍ବ ଶତ୍ରୁତା କାରଣରୁ ଏହି ଦୁର୍ବୃତ୍ତମାନେ ସୁବେଙ୍କୁ ଠେଙ୍ଗା ଏବଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ, ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ।
ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ସୁବେଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ଜୟପାଟଣା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଉଭୟ ଅଭିଯୁକ୍ତ ଜଗନ୍ନାଥ ଏବଂ ଦେଶରାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।