ଝାରସୁଗୁଡ଼ା (ସୁବାସ ଚନ୍ଦ୍ର ପ୍ରଧାନ): ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡ଼ିଶା। ଆମର ଭାଷା ଓ ପରିଚୟ ଉଭୟ ସମାନ। ଏ ପରିଚୟ ପାଇଁ ଅନେକ ଆନ୍ଦୋଳନ କରିବାକୁ ପଡ଼ିଛି। ସ୍ୱତନ୍ତ୍ର ରାଜ୍ୟ ଆମକୁ ମିଳିସାରିଛି। ତଥାପି ଆମର କିଛି ଲୋକ ସୀମା ସେପାରିରେ ରହିଯାଇଛନ୍ତି। ସେମାନଙ୍କୁ ଓଡ଼ିଶା ଓ ଓଡ଼ିଆଙ୍କ ସହ ଯୋଡ଼ିରଖିବା ପାଇଁ ଅହରହ ଉଦ୍ୟମ ଚାଲିଛି। ପ୍ରାୟ ୫୦ ବର୍ଷ ହେଲା ଏହି ଅଭିଯାନରେ ଯୋଡ଼ି ହୋଇ ରହିଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଝାରୁପଡ଼ାର କ୍ଷମାସାଗର ଭୋଇ। ହାରମୋନିୟମ ମାଷ୍ଟରରୁ ଭାଷା ଆନ୍ଦୋଳନର ସିପାହୀ କ୍ଷମାସାଗରଙ୍କ ଏ ଉଦ୍ୟମରେ କେବେ ବି ବିରାମ ଲାଗିନି।
ଛତିଶଗଡ଼ର ଅନେକ ଜିଲ୍ଲାରେ ବହୁ ଓଡ଼ିଆ ରହିଯାଇଛନ୍ତି। ଛତିଶଗଡ଼ ରାୟଗଡ଼ ଜିଲ୍ଲାର ପୁସୋର, ବରମକେଲା, ଜାଞ୍ଜଗିର, ଚାମ୍ପା ଜିଲ୍ଲାର ଦଭୋରା, ବିଳାସପୁର ଜିଲ୍ଲାର ବିଳାସପୁର, ମହାସମୁନ୍ଦ ଜିଲ୍ଲାର ପଥୋରା, ବସନା, ସରେଇପାଲି, ଯୋସୋର ସୁରଗୁଜା ଅଞ୍ଚଳରେ ୪୦ରୁ ୫୦ ପ୍ରତିଶତ ଓଡ଼ିଆ ଲୋକ ରହୁଛନ୍ତି। ଭୌଗଳିକ ସୀମା ସେମାନଙ୍କୁ ଆମଠାରୁ ଅଲଗା କରିଥିଲେ ମଧ୍ୟ ଭାଷା ଓ ସଂସ୍କୃତି ଦୃଷ୍ଟିରୁ ସେମାନେ ଅବିଚ୍ଛିନ୍ନ। ଭାଷା ଓ ସଂସ୍କୃତିର ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ। ଏଥିପାଇଁ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ। କେବେ ପରିଚୟ ଲାଳସାରେ ପଡ଼ି ନଥିବା କ୍ଷମାସାଗର ଭୋଇ ଏ କଥା ତାଙ୍କର ଯୁବା ବୟସରୁ ବୁଝିଯାଇଥିଲେ।
୧୯୭୫ ମସିହାରେ ବୃତ୍ତି ପାଇଁ ସେ ଛତିଶଗଡ଼ର ଓଡ଼ିଆ ଭାଷାଭାଷୀ ଗାଁକୁ ଅନେକ ନାଟକ ଡ୍ରାମାରେ ହାର୍ମୋନିୟମ ବଜାଇବାକୁ ଯାଉଥିଲେ। ସେଠାରେ ଓଡ଼ିଆ ନାଟକ ହେଉଥିଲା କିନ୍ତୁ ଦେବନାଗରୀ ଲିପିରେ ଲେଖା ଓଡ଼ିଆ ସଂଳାପକୁ ଅଭିନେତାମାନେ ଘୋଷୁଥିଲେ। କ୍ଷମାସାଗରଙ୍କୁ ଏହା ଭାରି କଷ୍ଟ ଦେଇଥିଲା। ଏହା ପରେ ସେ କେତୋଟି ଗ୍ରାମରେ ଓଡ଼ିଆ ପଢ଼ାଇବା ଆରମ୍ଭ କରିଥିଲେ। ପରେ ସ୍କୁଲ ଖୋଲିବାରେ ଲାଗିଥିଲେ। ନିଜସ୍ୱ ଉଦ୍ୟମରେ ବର୍ଣ୍ଣବୋଧ ଛାପିଥିଲେ। ୨୦୦୩ ମସିହାରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଶିକ୍ଷକ ନିଯୁକ୍ତି ଆରମ୍ଭ ହୋଇଥିଲା। କ୍ଷମାସାଗରଙ୍କ ଉଦ୍ୟମ ପାଇଁ ଏବେ ସ୍କୁଲ ସଂଖ୍ୟା ୧୯୨ରେ ପହଞ୍ଚିଛି।
ଓଡ଼ିଆ ଭାଷାର ପ୍ରସାର ପାଇଁ ଲୋକମାନଙ୍କୁ ବୁଝାସୁଝା କରି ଆଉଏକ ପରମ୍ପରା ଆରମ୍ଭ କରିଥିଲେ କ୍ଷମାସାଗର। ଓଡ଼ିଶାରୁ ବୋହୂ ନେବା ପାଇଁ ସେ ଅନେକ ଲୋକଙ୍କୁ ବୁଝାଇବାରେ ସଫଳ ହୋଇଥିଲେ। କାରଣ ସେ ଅନୁଭବ କରିଥିଲେ ଓଡ଼ିଶାର ଝିଅ ବୋହୂ ହୋଇଗଲେ ଓଡ଼ିଆ ପଢ଼଼଼଼଼ାଇପାରିବେ। ଆଜି ବି ଏ ପରମ୍ପରା ଚାଲିଛି।
କେବଳ ଓଡ଼ିଆ ଭାଷା ନୁହେଁ, ସଂସ୍କୃତି ପ୍ରଚାର ପ୍ରସାର ପାଇଁ ତାଙ୍କ ଉଦ୍ୟମ ପ୍ରଶଂସନୀୟ। ୮ଟି ଜିଲ୍ଲାରେ ୧୩୨ଟି ଭାଗବତ ଟୁଙ୍ଗୀ ପ୍ରତିଷ୍ଠା ହୋଇଛି। ଏଠାରେ ଭାଗବତ ଟୁଙ୍ଗୀ ପ୍ରଚାର ସମିତି, ଉତ୍କଳ ସମ୍ମିଳନୀର ଶାଖା, ବାଳକୃଷ୍ଣ ଦାସ ସଙ୍ଗୀତ ଫାଉଣ୍ଡେସନ ପ୍ରତିଷ୍ଠା ହୋଇଛି। ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟର ଆଦୃତି ମଧ୍ୟ ବୃଦ୍ଧି ପାଇଛି। ଖାଲି ସେତିକି ନୁହେଁ ନିଜସ୍ୱ ଖର୍ଚ୍ଚରେ ଛତିଶଗଡ଼ର ବେଲେରିଆରେ ଏକ ପାଠାଗାର ପ୍ରତିଷ୍ଠା ମଧ୍ୟ କରିଛନ୍ତି।