ଧର୍ମଶାଳା: ଆଜି ଦିନ ଦ୍ବିପ୍ରହରରେ ୧୬ ନମ୍ଵର ରାଜପଥ ଉପରେ ଜଣେ ମହିଳାଙ୍କୁ ଚଳନ୍ତା ବାଇକରୁ ଠେଲି ଦେଇ ଲୁଟେରାମାନେ ତାଙ୍କ ନିକଟରୁ ଭ୍ୟାନିଟ ବ୍ୟାଗ୍ ଲୁଟି ନେଇଛନ୍ତି। ମହିଳା ଜଣଙ୍କ ଗୁରୁତର ଆହତ ଅବସ୍ଥାରେ ଧର୍ମଶାଳା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣାରେ ତାଙ୍କ ମୁଣ୍ଡ ଫାଟି ଯାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଥାନା ସୁନ୍ଦରେଇପୁର ଅଞ୍ଚଳର ହରିହର ମଲିକ ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମଲିକ ଆଜି ମଧ୍ୟାହ୍ନରେ ବାଇକରେ କଟକ ମେଡିକାଲ୍ ଯାଉଥିବା ସମୟରେ ଦାମୋଦରପୁର ଛକ ନିକଟରେ ହଠାତ୍ ଦୁଇଜଣ ପଛପଟୁ ବାଇକରେ ଆସି ଲକ୍ଷ୍ମୀଙ୍କୁ ଚଳନ୍ତା ବାଇକରୁ ଠେଲି ଦେଲେ। ଫଳରେ ଲକ୍ଷ୍ମୀ ତଳେ ପଡି ଯାଇଥିଲେ। ଏହି ସମୟରେ ଲୁଟେରା ମାନେ ତାଙ୍କ ଭ୍ୟାନିଟ ବ୍ୟାଗ୍ ନେଇ ଚମ୍ପଟ ମାରିଥିଲେ। ବ୍ୟାଗରେ ୫ ହଜାର ଟଙ୍କା ଓ ଦୁଇଟି ମୋବାଇଲ ରହିଥିଲା। ସେପଟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଲକ୍ଷ୍ମୀଙ୍କୁ ଉଦ୍ଧାର କରାଯାଇ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ଧଳା ରଙ୍ଗର ବାଇକ୍ ହୋଇଥିବା ବେଳେ ସେମାନେ ଦୁଇଜଣ ଥିଲେ। ଏ ସମ୍ପର୍କରେ ସେ ଥାନାରେ ଅଭିଯୋଗ କରିବେ ବୋଲି ଜଣାଇଛନ୍ତି। ତେବେ ଦିନ ଦ୍ବିପ୍ରହରରେ ଲୁଟେରା ମାନଙ୍କ ଦୌରାତ୍ମ୍ୟରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବାରମ୍ବାର ଏମିତି ଘଟି ଚାଲିଥିଲେ ମଧ୍ୟ ସ୍ଥାନୀୟ ପୁଲିସ ଲୁଟେରା ମାନଙ୍କୁ ଧରିବାରେ ବିଫଳ ହୋଇଛି।